୧୬ ବର୍ଷ ପରେ ପୁଣି ସିଦ୍ଧାନ୍ତ ଓ ଶ୍ରୀତମ୍‌ ଆସିବେ ଏମିତିକା ଚରିତ୍ରରେ!

ଓଲିଉଡ଼୍‍ର ଦୁଇ ଲୋକପ୍ରିୟ ନାୟକ ହେଲେ ସିଦ୍ଧାନ୍ତ ମହାପାତ୍ର ଓ ଶ୍ରୀତମ୍‌ ଦାସ। ସିଦ୍ଧାନ୍ତ ‘ଶ୍ରଦ୍ଧାଞ୍ଜଳି’ ସିନେମା ପାଇଁ ପ୍ରଥମେ କ୍ୟାମେରା ଫେସ୍‌ କରିଥିଲେ। ଠିକ୍‌ ସେହିପରି ଶ୍ରୀତମ୍‌ ‘ସାବିତ୍ରୀ’ ଛବି ପାଇଁ ପ୍ରଥମେ କ୍ୟାମେରାକୁ ସାମ୍ନା କରିଥିଲେ। ଉଭୟେ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଓଲିଉଡ଼୍‍ରେ ସକ୍ରିୟ ଅଛନ୍ତି।

ସିଦ୍ଧାନ୍ତ ଓ ଶ୍ରୀତମ୍‌ଙ୍କୁ ଦର୍ଶକ ନାୟକ ଓ ଖଳନାୟକ ଉଭୟ ଭୂମିକାରେ ଦେଖିଛନ୍ତି। ଆଉ ପସନ୍ଦ ବି କରିଛନ୍ତି। ଉଭୟ ସିଦ୍ଧାନ୍ତ ଓ ଶ୍ରୀତମ୍‌ ଆଗରୁ କେତୋଟି ଓଡ଼ିଆ ଛବିରେ ଏକାଠି ବି ସ୍କ୍ରିନ୍‌ ସେଆର୍‌ କରିଛନ୍ତି। ଏଥିମଧ୍ୟରେ ରହିଛି ‘ଲକ୍ଷ୍ମୀପ୍ରତିମା’,‘ବାହୁଡ଼ିବେ ମୋ ଜଗା ବଳିଆ’,‘ରହିଚି ରହିବି ତୋରିି ପାଇଁ’,‘ସନ୍ତାନ’ ଓ ‘ବାଜି’ ଆଦି ଓଡ଼ିଆ ସିନେମା। ଏଥିମଧ୍ୟରୁ ‘ସନ୍ତାନ’ରେ ସିଦ୍ଧାନ୍ତ ନାୟକ ଓ ଶ୍ରୀତମ୍‌ ଦାସ ଖଳନାୟକ ଭୂମିକାରେ ନଜର ଆସିଥିଲେ। ସୁବାସ ରାଉତଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନ୍‌ଙ୍କ ନିର୍ଦ୍ଦେଶିତ ‘ସନ୍ତାନ’୨୦୦୨ରେ ରିଲିଜ୍‌ ହୋଇଥିଲା।

ଏବେ ପ୍ରାୟ ୧୬ ବର୍ଷ ପରେ ପୁଣି ସିଦ୍ଧାନ୍ତ ନାୟକ ଓ ଶ୍ରୀତମ୍‌ ଖଳନାୟକ ଭୂମିକାରେ ପରଦାକୁ ଆସୁଛନ୍ତି ଏକ ନୂଆ ଓଡ଼ିଆ ସିନେମାରେ। ହଁ ଏଠାରେ ଯେଉଁ ନୂଆ ଓଡ଼ିଆ ଛବିର କଥା କୁହାଯାଉଛି,ତାର ଟାଇଟଲ୍‌ ହେଲା‘ଦିଓ୍ଵାନା ହେଲି ତୋ’ପାଇଁ’। ଏଥିରେ ଦର୍ଶକ ଶ୍ରୀତମ ଦାସଙ୍କୁ ଜଣେ ଖତରନାକ୍‌ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ। ତାଙ୍କର ମୁହଁ ଅଧା ପୋଡ଼ି ଯାଇଛି ଓ ଲମ୍ବା କେଶରେ ଗେଟ ଅପ୍‌ରେ ଦେଖିବାକୁ ମିଳିବ। ଅପରପକ୍ଷରେ ସିଦ୍ଧାନ୍ତ ଅଛନ୍ତି ନାୟକର ବଡ଼ଭାଇ ଭୂମିକାରେ । ଏହା ଏକ ପଜିଟିଭ୍‌ ରୋଲ୍‌। ୧୬ ବର୍ଷ ପରେ ଏ ଦୁହେଁ କି କମାଲ୍‌ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର