୧୦ ବର୍ଷର ଶୀତଳଯୁଦ୍ଧକୁ ଭୁଲି ବାହାଘରକୁ ଐଶ୍ୱର୍ଯ୍ୟାଙ୍କୁ ନିମନ୍ତ୍ରଣ କଲେ ସୋନମ, ଦେଖିବାକୁ ବାକି ରହିଲା ବଚ୍ଚନବୋହୂଙ୍କ ବଡ଼ପଣ

ମୁମ୍ବାଇ: ରାତି ପାହିଲେ ନିଜର ଦୀର୍ଘ ଦିନର ପ୍ରେମିକ ଆନନ୍ଦ ଆହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ସୋନମ କପୁର୍‌। ମୁମ୍ବାଇର ବାନ୍ଦ୍ରାଠାରେ ମାଉସୀ କବିତା ସିଂହଙ୍କ ବାସଭବନ ପରିସରରେ ସୋନମ ବିବାହ ଉତ୍ସବ ଆୟୋଜନ କରାଯାଇଛି। ଅନେକ ଷ୍ଟାର୍‌ମାନଙ୍କର ସୋନମଙ୍କ ଘରକୁ ଯିବା ଆସିବା ଲାଗି ରହିଛି। ଏହା ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବି ଘଟିଛି। ସୋନମ ବାହାଘର ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ।

ଆପଣଙ୍କୁ ଆମେ ମନେ ପକାଇ ଦେଉଛୁ ଯେ ପ୍ରାୟ ୧୦ ବର୍ଷ ତଳୁ ସୋନମ ଓ ଐଶ୍ୱର୍ଯ୍ୟାଙ୍କ ଭିତରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି। ସୋନମ ଏକ ସାକ୍ଷାତକାର୍‌ରେ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହି ଦୁଇ ସୁନ୍ଦରୀ ପରସ୍ପରର ବିରୋଧୀ ପାଲଟି ଯାଇଥିଲେ। ସୋନମ କହିଥିଲେ କି ଐଶ୍ୱର୍ଯ୍ୟା ହେଉଛନ୍ତି ଭିନ୍ନ ଏକ ପିଢ଼ିର ‘ଆଣ୍ଟି’ଙ୍କ ପରି। ସୋନମଙ୍କର ଏହି କଥାକୁ ଟିକେ ଦେହକୁ ନେଇ ଯାଇଥିଲେ ବଚ୍ଚନବଧୂ। ଏପରିକି କେଉଁ ଉତ୍ସବରେ ଯଦି କଦବା କ୍ୱଚିତ ଦୁହେଁ ମୁହାଁମୁହିଁ ହୋଇ ଯାଇଥିଲେ ତେବେ ବାଟ ଭାଙ୍ଗି ଯିବା ବ୍ୟତୀତ ଅନ୍ୟ କିଛି ଘଟୁ ନଥିଲା।

ଏବେ ସୋନମ ତାଙ୍କ ବାହାଘର ଉତ୍ସବକୁ ଐଶ୍ୱର୍ଯ୍ୟାଙ୍କୁ ନିମନ୍ତ୍ରଣ କରିବା ଘଟଣା ଏକ ନୂତନ ସଂପର୍କର ଆଶା ସୃଷ୍ଟି କରିଛି। ବାକି ରହିଲା ଦେଖିବାକୁ ସୋନମ ତଥା ନିଜର କୋ-ଷ୍ଟାର୍‌ ଅନୀଲ କପୁର୍‌ଙ୍କ ଝିଅ ବାହାଘରରେ ପୂର୍ବ କଥା ଭୁଲି ନୀଳନୟନା ଉପସ୍ଥିତ ରହୁଛନ୍ତି କି ନାହିଁ।

ସମ୍ବନ୍ଧିତ ଖବର