ଦେଶର ସ୍ଥିତି ଦେଖି ଭାରତୀୟଙ୍କୁ ସୋନୁଙ୍କ ପରାମର୍ଶ: ଛୁଆଙ୍କ ଭଳି ବାଣ ଫୁଟାଇ ପାକ୍କୁ ଚିଡ଼ାଅ ନାହିଁ
ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣ ଏବଂ ଏହାର ଜବାବ ଦେବାକୁ ଯାଇ ବାଲାକୋଟ୍ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ଏବେ ଭାରତ-ପାକ୍ ମଧ୍ୟରେ ସଂପର୍କ ଅଧିକ ତିକ୍ତ ହୋଇଛି । ଭାରତ-ପାକ୍ ସୀମାରେ ଦୁଇ ଦେଶ ମଧ୍ୟରେ ଗୁଳି ବର୍ଷା ଲାଗି ରହିଥିବା ବେଳେ କୌଣସି ମୂହୁର୍ତ୍ତରେ ଯୁଦ୍ଧ ହେବାର ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭାରତ ଏକା ସାଙ୍ଗରେ ଦୁଇଟି ସଫଳତା ପାଇବା ପରେ ଏବେ ଭାରତବାସୀ ଖୁସିକୁ ପାଳନ କରୁଥିବା ଦେଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏୟାର ଷ୍ଟ୍ରାଇକ୍ କରି ୩୦୦ଆତଙ୍କବାଦୀଙ୍କୁ ନିହତ କରିବା ପରେ ପରେ ପାଇଲଟ୍ ଅଭିନନ୍ଦନଙ୍କୁ ଭାରତ ଫେରାଇ ଆଣିବାର ସଫଳତାକୁ ଦେଖି ଏବେ ସାରା ଭାରତବାସୀ ନିଜ ଖୁସିକୁ ପାଳନ କରିବା ସହ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କରୁଥିବା ଦେଖା ଯାଇଛି । ଯାହାକୁ ଦେଖି ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଭାରତବାସୀଙ୍କୁ ଏକ ଉପଦେଶ ଦେଇଛନ୍ତି ।
“ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ମୁଁ ଯୁଦ୍ଧର ସପକ୍ଷରେ ନୁହେଁ । କିନ୍ତୁ ଦେଶ ଯାହା ବି ନିଷ୍ପତ୍ତି ନେବ, ଆମେ ତାଙ୍କୁ ସମର୍ଥନ କରିବା । ଏତେ ଦିନ ପରେ ଆତଙ୍କବାଦ ବିରୋଧରେ କିଛି ଗୋଟେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି । ଏହି ଖୁସିକୁ ବାଣ ଫୁଟାଇ ପାଳନ୍ତୁ ନାହିଁ । ଏହା ଦ୍ୱାରା ପାକିସ୍ତାନ ଚିଡ଼ିବା ସହ ଆଉ ଏକ ନୂଆ ଚକ୍ରାନ୍ତ କରିବ । ଏଭଳି ହେଲେ ଯେଉଁ ପରିସ୍ଥିତି ଏବେ ସୃଷ୍ଟି ହୋଇଛି, ତାହାର ଅନ୍ତ ହେବ ନାହିଁ” ବୋଲି ୟୁଟ୍ୟୁବ୍ରେ ଭିଡିଓ ପୋଷ୍ଟ କରି କହିଛନ୍ତି ସୋନୁ । ଏହା ଏବେ ଭାଇରାଲ ହେବାରେ ଲାଗିଛି ।