ମୁଁ ଶ୍ରମିକ ଥିଲି, ଶ୍ରମିକର ଯନ୍ତ୍ରଣା ଜାଣିଛି: ସୋନୁ ସୁଦ୍‌

ମହାରାଷ୍ଟ୍ରରୁ ଶେଷ ଶ୍ରମିକଟିଏ ଘରକୁ ନଫେରିବା ପର୍ଯ୍ୟନ୍ତ ଅଭିଯାନ ଚାଲୁ ରହିବ।

ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଅଭିନେତା ସୋନୁ ସୁଦ୍‌। ପରଦାରେ ସେ ସିନା ଖଳନାୟକ କିନ୍ତୁ କରୋନା ମୁକାବିଲା ବେଳେ ତାଙ୍କର ମହତ୍‌ କାମ ତାଙ୍କୁ ଅସଲ ନାୟକର ପରିଚୟ ଦେଇଛି। ଲକ୍‌ଡାଉନ୍‌ ଯୋଗୁଁ ମୁମ୍ବାଇରେ ଫସି ରହିଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଭିଟାମାଟିକୁ ଫେରାଇବା ପାଇଁ ସୋନୁ ରୀତିମତ ବସ୍‌ର ବ୍ୟବସ୍ଥା କରିଚାଲିଛନ୍ତି। ଏ ପର୍ଯ୍ୟନ୍ତ ସେ ମୁମ୍ବାଇରେ ଫସି ରହିଥିବା ବିଭିନ୍ନ ରାଜ୍ୟର ୧୨ ହଜାର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଫେରାଇ ସାରିଲେଣି। ସୋନୁ ନିଜ ବନ୍ଧୁ ନିତି ଗୋଏଲ୍‌, ପଙ୍କଜ ଜଲିସଟ୍‌ଗି, ହର୍ଷ ସିକାରିୟାଙ୍କ ଉଦ୍ୟମରେ ବସ୍‌ ଯୋଗାଡ଼ କରି ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଉଛନ୍ତି।

ତାଙ୍କ ମହାନତାର ଆଉ ଏକ ଉଦାହରଣ ହେଉଛି, ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ଟୋଲ୍‌-ଫ୍ରି ନମ୍ବର ଜାରି କରିଛନ୍ତି। ଟ୍ବିଟ୍‌ରେ ନିଜର ଦୁଃଖ ଜଣାଉଥିବା ପ୍ରତିଟି ଗରିବ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା କଥା ଶୁଣି ସୋନୁ ସେମାନଙ୍କୁ ତାଙ୍କ ଘରକୁ ପଠାଉଛନ୍ତି। ସୋନୁ କହିଛନ୍ତି, ମୁଁ ଏହି ଶ୍ରମିକମାନଙ୍କୁ ସାହାଯ୍ୟ କରିବାର କାରଣ ହେଉଛି, ମୁଁ ବି ଜଣେ ଶ୍ରମିକ ଥିଲି। ଯେବେ ମୁଁ ସେଇ ଶ୍ରମିକମାନଙ୍କର ଯନ୍ତ୍ରଣାର ଛବି ଦେଖିଲି ଏବଂ ବିନା ଖାଦ୍ୟ ଓ ପାଣିରେ ହଜାର ହଜାର କିଲୋମିଟର ବାଟ ଚାଲି ଚାଲି ଯାଉଥିବାର କରୁଣ କାହାଣୀ ଶୁଣିଲି, ତାହା ମୋ ପିଲାଦିନକୁ ମନେ ପକାଇ ଦେଇଥିଲା। ମୁଁ ପ୍ରଥମେ ମୁମ୍ବାଇକୁ ବିନା ସଂରକ୍ଷଣ ଟିକେଟ୍‌ରେ ଟ୍ରେନ୍‌ ଯୋଗେ ଆସିଥିଲି। ଡୋର୍‌ ପାଖେ ଛିଡ଼ା ହୋଇ ଓ ପାଇଖାନା ପାଖେ ବସି ଆସିଥିଲି। ତେଣୁ ସଂଘର୍ଷ କ’ଣ ମୁଁ ଜାଣିଛି।

ସୋନୁ ଓ ତାଙ୍କର ଟିମ୍‌ କର୍ଣ୍ଣାଟକ, ରାଜସ୍ଥାନ, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ ଓ ବିହାରକୁ ବସ୍‌ ଯୋଗେ ଶ୍ରମିକମାନଙ୍କୁ ପଠାଇଛନ୍ତି। ତାଙ୍କ ପତ୍ନୀ ସୋନାଲି ଓ ପୁତ୍ର ଏଶାନ ଓ ଆୟନ ମଧ୍ୟ ତାଙ୍କର ଏହି ମହତ୍‌ କାମରେ ସାମିଲ୍‌ ହୋଇଛନ୍ତି। ସେ ଓ ତାଙ୍କ ପରିବାର ହେଲ୍‌ପ ଲାଇନ୍‌ ନମ୍ବର ନିଜେ ଉଠାଇବା ସହ ତାଙ୍କ ପତ୍ନୀ ଓ ପୁତ୍ର କିଏ କେଉଁ ବସ୍‌ରେ ନିଜ ଘରକୁ ଫେରିବ, ତା’ର ତାଲିକା ପ୍ରସ୍ତୁତ କରୁଛନ୍ତି। ରୋହିତ ସେଟ୍ଟୀ, ତବୁ ତାଙ୍କ ସହ ସମ୍ପର୍କରେ ଥିବା ବେଳେ ଫାରହା ଖାନ୍‌ ମଧ୍ୟ ପ୍ରତ୍ୟେକ ଦିନ ତାଙ୍କୁ କଲ୍‌ କରି ତାଙ୍କୁ କ’ଣ ସାହାଯ୍ୟ ଆବଶ୍ୟକ ପଡ଼ିଲେ, ଜଣାଇବାକୁ କହୁଛନ୍ତି। ସୋନୁ କହିଛନ୍ତି, ମହାରାଷ୍ଟ୍ରରୁ ଯେପର୍ଯ୍ୟନ୍ତ ଶେଷ ପ୍ରବାସୀ ଶ୍ରମିକଟିଏ ନିଜ ଘରକୁ ନଫେରିଛି, ସେପର୍ଯ୍ୟନ୍ତ ଆମ ଅଭିଯାନ ଚାଲୁ ରହିବ।

ସମ୍ବନ୍ଧିତ ଖବର