ଭୁବନେଶ୍ବର : କରୋନା ପାଇଁ ୨୧ଦିନ ଲକ୍ ଡାଉନ ଘୋଷଣା ପରେ ଏବେ ସମସ୍ତେ ପ୍ରାୟ ଗୃହବନ୍ଦୀ। ଫିଲ୍ମ ଓ ଧାରାବାହିକ ସୁଟିଙ୍ଗ ସବୁ ବନ୍ଦ। ଅଧିକାଂଶ ସମୟ ମୁହଁରେ ରଙ୍ଗ ବୋଳି କ୍ୟାମେରାକୁ ସାମ୍ନା କରୁଥିବା ଏହି ତାରକାମାନେ ଏବେ ଅତି ଜରୁରୀ କ୍ଷେତ୍ରରେ ନିଜ ଘରେ ଟେକ୍ ଦେଉଛନ୍ତି। ନିଜ ରୁଚିକୁ ସାକାର ରୂପ ଦେଉଛନ୍ତି। ଓଲିଉଡ୍ର ଲୋକପ୍ରିୟ ତାରକା ଶ୍ରୀତମ ଦାସଙ୍କ କହିବା ମୁତାବକ, ଗଛକୁ ମୁଁ ବହୁତ ଭଲ ପାଏ। ତେଣୁ ନିଜ ଅଗଣା ଓ ଛାତ ଉପରେ କିଚେନ ଗାର୍ଡେନ ତିଆରି କରିଛି। ମାତ୍ର ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ ବ୍ୟସ୍ତତା ଯୋଗୁଁ ମୁଁ ଲଗେଇଥିବା ଗଛଗୁଡ଼ିକ ସହ ସମୟ ବିତାଇ ପାରେନି। ଏବେ କିନ୍ତୁ ସେଇ ଗଛମାନଙ୍କ ସହ ସମୟ ବିତାଇବାକୁ ଢେର୍ ସୁଯୋଗ ପାଇଛି। ଏହା ମତେ ଆନ୍ତରିକ ଆନନ୍ଦ ଦେଉଛି। ସେ କହିଛନ୍ତି ଯେ, ମୋର ଗଛ ପ୍ରୀତି ଦେଖି ମୋ ଝିଅ ବି ମତେ ଥଟ୍ଟାରେ କୁହେ ମୁଁ ଗଛ ପାଗଳ।
ଶ୍ରୀତମ କଟକ କନିକା ଛକସ୍ଥିତ ରାମଗଡ଼ରେ ଥିବା ନିଜ ବାସଭବନ ପରିସରରେ ଟମାଟୋ, କଲରା, ଝୁଡ଼ଙ୍ଗ, ଲଙ୍କା, ପୁଦିନା, ଧନିଆ ପତ୍ର ସହ ମନ୍ଦାର ଫୁଲ, ତୁଳସୀ, ବେଲ, ଘିକୁଆଁରୀ, ଅକ୍ସିଜେନ ପାମ ଆଦି ଗଛ ଲଗାଇଛନ୍ତି। ଏବେ ସେ ସେଇ ଗଛଗୁଡ଼ିକରେ ନିଜେ ପାଣି ଦେବା ସହ ଯତ୍ନ ନେଉଛନ୍ତି। ଏଥିସହ ସକାଳ ଓ ଅପରାହ୍ଣରେ ଜିମ୍ରେ ବ୍ୟାୟମ କରିବାକୁ ଯଥେଷ୍ଟ ସମୟ ପାଉଛି। ନିଜ ୭ବର୍ଷର ଝିଅ ଲିପାକ୍ସି ସହ ମଧ୍ୟ ସମୟ ବିତାଉଛି। ରୋଷେଇ ଜ୍ଞାନ ନ ଥିଲେ ବି ପତ୍ନୀ ପୁନମଙ୍କ ରୋଷେଇ କୌଶଳ ଅନୁଧ୍ୟାନ କରୁଛି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଲକ୍ ଡାଉନରେ ରହିବାକୁ ଘୋଷଣା କରିଥିବାରୁ ଏହାକୁ ମୁଁ ପାଳନ କରୁଛି ବୋଲି ସେ କହିଛନ୍ତି। ଏଥିସହ ଏହି ସମୂହ କରୋନା ଯୁଦ୍ଧରେ ସମସ୍ତେ ଘରେ ରହି ଭାଗୀଦାରି ହେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଆଣ୍ଟି ନମସ୍କାର ଚଳଚ୍ଚିତ୍ରରେ ସେ କିନ୍ନର ଭୂମିକାରେ ଅଭିନୟ କରୁଥିବା ବେଳେ ଏବେ ସେ ଅଭିନୟ କରୁଥିବା ୩ଟି ଫିଲ୍ମ ଓ ରିଅଲିଟି ସୋ’ ବନ୍ଦ ରହିଛି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/sreetam-f.jpg)