ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ କେରଳ ଡିଜିପିଙ୍କ ଚାଞ୍ଚଲ୍ୟକର ବୟାନ: ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଅଭିନେତ୍ରୀଙ୍କୁ ହତ୍ୟା କରାଯାଇଥିବା କହିଥିଲେ
ନୂଆଦିଲ୍ଲୀ: ବଲିଉଡ୍ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୁରି ସାରିଛି । ଫେବୃଆରୀ ୨୪,୨୦୧୮ରେ ବାଥ୍ଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଦୁବାଇକୁ ସେ ବିବାହରେ ଯୋଗ ଦେବାକୁ ଯାଇଥିବା ବେଳେ ଅଧିକ ମଦ ପିଇ ଦେଇଥିଲେ । ଯାହା ଫଳରେ ସେ ଅଜାଣତରେ ବାଥ୍ଟବରେ ପଡ଼ିଯିବା ସହ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏବେ ବର୍ଷକ ପରେ କେରଳର ଡିଜିପି ରିଶିରାଜ ସିଂହଙ୍କ ବୟାନ ମାମଲାକୁ ଏକ ନୂଆ ମୋଡ଼ ଦେଇଛି । କେରଳର ଏକ ଖବରକାଗଜକୁ ସାକ୍ଷାତକାର ଦେଇ ସେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ଅନୁଯାୟୀ, ମୋର ବନ୍ଧୁ ତଥା ଦିବଂଗତ ଫରେନ୍ସିକ ଏକ୍ସପର୍ଟ ଡାକ୍ତର ଉମାଦଥନ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶବ ବ୍ୟବଚ୍ଛେଦ କରିଥିଲେ । ସେ ସମୟରେ ମୁଁ ତାଙ୍କୁ କାରଣ ଜାଣିବା ପାଇଁ ଏହା ହତ୍ୟା ନା ଦୁର୍ଘଟଣା ବୋଲି ପଚାରିଥିଲି । ସେ ମୋତେ ଏହା ହତ୍ୟା ହୋଇପାରେ । କାରଣ ଦୁର୍ଘଟଣାର କୌଣସି ସଙ୍କେତ ଜଣା ପଡ଼ୁନାହିଁ ବୋଲି କହିଥିଲେ ।
ଏଭଳି ଦାବି କରିବା ସହ ସେ ମୋତେ ଦାବି ପଛର କାରଣ ମଧ୍ୟ ଜଣାଇଥିଲେ । ଯେତେ ମଦ ପିଇଥିଲେ ମଧ୍ୟ ଗୋଟେ ଫୁଟ ଗଭୀର ଜଳରେ କେହି ବୁଡ଼ି ମୃତ୍ୟୁବରଣ କରି ପାରିବ ନାହିଁ । ଯଦି କେହି ତାଙ୍କର ଦୁଇ ଗୋଡ଼ ଧରି ମୁହଁକୁ ବାଥ୍ଟବରେ ବୁଡ଼ାଇ ଥିବା, ତେବେ ଯାଇ ଜଣେ ମୃତ୍ୟୁବରଣ କରି ପାରିବ ବୋଲି ସେ ମୋତେ ଜଣାଇଥିଲେ । କିନ୍ତୁ ଆଜି ସେ ଏହାକୁ କହିବା ପାଇଁ ଦୁନିଆରେ ନାହାନ୍ତି ।