ଦୁବାଇ ଯିବା ପୂର୍ବରୁ ଶ୍ରୀଦେବୀ ଅସୁସ୍ଥ ଥିଲେ ବୋଲି କହିଲେ ତାଙ୍କ ପିଲାଦିନର ସାଥୀ

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ବୁଧବାର ଅପରାହ୍ନରେ ଶେଷ ହେବ। ଶ୍ରୀଦେବୀଙ୍କୁ ଶେଷ ଥର ଦେଖିବା ପାଇଁ ମୁମ୍ବାଇ ସେଲିବ୍ରେସନ୍‌ କ୍ଲବରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଛି । ୨୦୦ ପୁଲିସ୍‌ କର୍ମଚାରୀ ପୂରା ସତର୍କତାର ସହ ସେଲିବ୍ରେସନ୍‌ କ୍ଲବ୍‌ ସମ୍ମୁଖରେ ଜଗି ରହିଛନ୍ତି। ମିଳିଥିବା ସୂଚନା ମୁତାବକ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ।

ପିଲାବେଳର ସାଙ୍ଗ ପିଙ୍କି ରେଡ୍ଡି ଶ୍ରୀବେଦୀଙ୍କୁ ମନେ ପକାଇ କହନ୍ତି, ‘ମୁଁ ମୋର ଭଉଣୀକୁ ହରାଇ ଦେଇଛି। ମୋତେ ଆଠବର୍ଷ ହୋଇଥିବା ବେଳେ ମୁଁ ଶ୍ରୀଦେବୀଙ୍କ ସାଙ୍ଗ ହୋଇଥିଲି। ଏଯାବତ୍‌ ଆମର ବନ୍ଧୁତା ଅତୁଟ ଥିଲା। ମୁଁ ଶ୍ରୀଦେବୀଙ୍କୁ ପିଲାଟି ବେଳୁ ଜାଣିଛି। ସୁଖ ଓ ଦୁଃଖ ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ତାଙ୍କ ସହ ସାମିଲ ଥିଲି। ଏମିତି କି ଦକ୍ଷିଣ ଭାରତୀୟ ସିନେମାଠାରୁ ଆରମ୍ଭ କରି ବଲିଉଡ୍‌ରେ ତାଙ୍କ କ୍ୟାରିୟର ଗଢ଼ିବା ସମୟରେ ଟିକିନିଖି ସମସ୍ତ ଘଟଣା ସମ୍ପର୍କରେ ମୁଁ ଅବଗତ।’

ଅନ୍ୟପକ୍ଷରେ ପିଙ୍କି କହନ୍ତି, ‘ମୋର ପିତା ‘ଚାନ୍ଦ୍‌ନି’ ସିନେମାର ଜଣେ ସହ-ନିର୍ମାତା ଥିଲେ। ସେଥିପାଇଁ ମୁଁ ଶ୍ରୀଦେବୀଙ୍କୁ ଷ୍ଟାର ବନିବା ସମୟରେ ଅତି ନିକଟରୁ ଦେଖିଛି। ହଠାତ୍‌ ଆମ ସମସ୍ତଙ୍କୁ ସେ ଛାଡ଼ି ଚାଲିଯିବା ଖବର ସ୍ତବ୍ଧ କରି ରଖି ଦେଇଛି। ଏଥି ସହିତ ପିଙ୍କି ଆଉ ଏକ କଥା କହିଛନ୍ତି, ନିଜ ଭଣଜାର ବାହାଘରକୁ ଯିବା ପୂର୍ବରୁ ଶ୍ରୀଦେବୀଙ୍କ ଶରୀର ବି ଅସୁସ୍ଥ ଥିଲା। ଶ୍ରୀଦେବୀ ଯେଉଁଦିନ ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ମୋର ତାଙ୍କ ସହ କଥା ହୋଇଥିଲା। ତାଙ୍କୁ ଜ୍ୱର ହୋଇଥିଲା ଏବଂ ସେ କିଛି ଆଣ୍ଟିବାୟୋଟିକ୍ସ ଔଷଧ ସେବନ କରୁଥିଲେ ବୋଲି କହିଥିଲେ। ତାଙ୍କୁ ଦୁର୍ବଳ ମଧ୍ୟ ଲାଗୁଥିଲା। ସେ କହିଲେ ଯେମିତି ହେଲେ ବି ତାଙ୍କୁ ଏହି ବିବାହ ଉତ୍ସବରେ ସାମିଲ ହେବାକୁ ପଡ଼ିବ। ଶ୍ରୀଦେବୀଙ୍କ ମୃତ୍ୟୁପରେ ଯେଉଁସବୁ ଗୁଜବ ଉଠୁଛି ତାହା ମୋତେ ଆଦୌ ଠିକ୍‌ ଲାଗୁ ନାହିଁ।’

ସମ୍ବନ୍ଧିତ ଖବର