‘ଶ୍ରୋତାଙ୍କ ମନରେ ଘର କରିବା ଭଳି ଗୀତ ଲେଖିବା ମୋର ଲକ୍ଷ୍ୟ’

ଭୁବନେଶ୍ୱର: ଚଳିତ ବର୍ଷ ଶ୍ରେଷ୍ଠ ଗୀତିକାର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି ସୁବ୍ରତ ସ୍ୱାଇଁ । ୨୦୧୬ରେ ମୁକ୍ତିଲାଭ କରିଥିବା ‘ଅଗସ୍ତ୍ୟ’ ଛବିରେ ସ୍ଥାନିତ ‘ ଧୀରେ ଧୀରେ…’ ଗୀତ ଲାଗି ସୁବ୍ରତଙ୍କୁ ଏହି ପୁରସ୍କାର ଦିଆଯାଇଛି । ଏବର ଓଡ଼ିଆ ଛବିରେ ଜଣେ ଆଗଧାଡ଼ିର ଗୀତିକାର ଭାବେ ପରିଚିତ ସୁବ୍ରତ ସ୍ୱାଇଁ ପ୍ରାୟ ୨୦ ପୂର୍ବରୁ ଗୀତ ଲେଖିବା ଆରମ୍ଭ କରିଥିଲେ । ୨୦୦୦ ମସିହାରେ ତାଙ୍କ ଲିଖିତ ଜଗନ୍ନାଥ ଭଜନ ‘ବାଉଁଶ ପତର ସରୁ ଲୋ ଝାଇଁ ଝୁମୁରୁ…’ ଗୀତଟି ଲୋକପ୍ରିୟ ହେବା ପରେ ସୁବ୍ରତ ଲୋକଲୋଚନକୁ ଆସିଥିଲେ । ସୁବ୍ରତଙ୍କ ଏହି ଗୀତରେ କଣ୍ଠଦାନ କରିଥିଲେ ବଲିଉଡ୍‌ ଗାୟକ ମହମ୍ମଦ ଅଜିଜ୍‌ ।

ଏହି ପ୍ରଥମ ସଫଳତା ତାଙ୍କୁ ଗୀତ ରଚନା କ୍ଷେତ୍ରରେ ଆଗେଇବାକୁ ଖୋରାକ ଯୋଗାଇଥିଲା । ୨୦୦୮ ମସିହାରେ ଚିତ୍ତରଜଂନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମୁଖ୍ୟମନ୍ତ୍ରୀ’ ରେ ଗୀତ ରଚନା କରି ସୁବ୍ରତ ଓଲିଉଡ଼ରେ ପ୍ରବେଶ କଲେ। ଏହାପରେ ‘ପ୍ରେମ ଅଢେଇ ଅକ୍ଷର’ ଛବିରେ ଗୀତ ଲେଖିବାର ସୁଯୋଗ । ଜାରି ରହିଲା ଲେଖନୀ ଚାଳନା। ଧୀରେ ଧୀରେ ଓଡ଼ିଆ ଫିଲ୍ମ ସଙ୍ଗୀତ କ୍ଷେତ୍ରରେ ନିଜର ସ୍ଥିତି ସୃଦୁଢ କଲେ ସୁବ୍ରତ। କ୍ରମେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମଆନନ୍ଦଙ୍କ ସଂସ୍ପର୍ଶରେ ଆସନ୍ତି ସୁବ୍ରତ । ଉଭୟଙ୍କ ଯୋଡ଼ି ଜମିଯାଏ ଓ ପ୍ରେମ ଆନନ୍ଦ ତାଙ୍କ ନିର୍ଦ୍ଦେଶିତ ଅଧିକାଂଶ ଛବିରେ ସୁବ୍ରତଙ୍କୁ ସୁଯୋଗ ଦିଅନ୍ତି । ଶ୍ରୋତା ମହଲରେ ପରିଚିତି ପାଆନ୍ତି ସେ। ଇତିମଧ୍ୟରେ ସୁବ୍ରତ ପାଖାପାଖି ୨୦ଟି ଓଡ଼ିଆ ସିନେମାରେ ଗୀତ ରଚନା କରି ସାରିଲେଣି ।

ସରଳ ଶଦ୍ଦର ପ୍ରୟୋଗ ଓ ସାବଲୀଳ ଶଦ୍ଦ ସଂଯୋଜନା ହେଉଛି ସୁବ୍ରତଙ୍କ ଶୈଳୀ। ଏଯାବତ୍‌ ନିଜର ଶ୍ରେଷ୍ଠ ସୃଷ୍ଟିକୁ ଅପେକ୍ଷା ରଖିଥିବା ସୁବ୍ରତ କହନ୍ତି, ଶ୍ରୋତାଙ୍କ ମନରେ ଘର କରିବା ଭଳି ଗୀତ ଲେଖିବା ମୋର ଲକ୍ଷ୍ୟ । ମୁଁ ସେଇ ଚେଷ୍ଟା ଜାରି ରଖିଛି । ଏଇ ପୁରସ୍କାର ତାହାର ଏକ ସ୍ୱୀକୃତି ମାତ୍ର। ଏଥିଲାଗି ମୁଁ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମଆନନ୍ଦଙ୍କ ପାଖରେ ଋଣୀ।

ସଂପ୍ରତି ସୁବ୍ରତ ସାମ୍ବାଦିକ ବୃତ୍ତିରେ ଅଛନ୍ତି ଏବଂ ‘ସମ୍ବାଦ’ର କେଉଁଝର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର