ଏହି କଥାକୁ ସହଜରେ ବିଶ୍ୱାସ କରିପାରି ନଥିଲେ ଅଭିନେତା ମନୋଜ ବାଜପେୟୀ

ମୁମ୍ବାଇ: ବଲିଉଡ଼୍‍ର ଚର୍ଚ୍ଚିତ ଅଭିନେତା ମନୋଜ ବାଜପେୟୀ ପିଲାଦିନରୁ ଅଭିନେତା ହେବାର ସ୍ୱପ୍ନ ଦେଖିଥିଲେ। ଦିନେ ସେ ଜାଣିବାକୁ ପାଇଲେ ଯେ,ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଦିଲ୍ଲୀର ନେସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାରେ ପଢ଼ିଲେ ଭଲ ହେବ।ଏଣୁ ସେ ଦିଲ୍ଲୀ ଗଲେ,କିନ୍ତୁ ସେଥିରେ ଆଡ଼୍‍ମିଶନ୍‌ ପାଇଁ ତାଙ୍କୁ ସୁଯୋଗ ମିଳିଲା ନାହିଁ।ଏହାପରେ ସେ କିନ୍ତୁ ଘରକୁ ଫେରିନଥିଲେ।

ଦିଲ୍ଲୀରେ ରହି ଥିଏଟର୍‌ରେ କାମ କରିଲେ। ମନୋଜ୍‌ ବାଜ୍‌ପେୟୀ ପ୍ରଥମେ ସମ୍ଭବ ଥିଏଟର୍‌ ଗ୍ରୁପ୍‌ରେ ଏବଂ ତା’ପରେ ବେରିଜନ୍‌ଙ୍କ ଗ୍ରୁପ୍‌ରେ କାମ କରିଲେ। ପ୍ରଖ୍ୟାତ ମଞ୍ଚ ବ୍ୟକ୍ତିତ୍ୱ ଏନ୍‌.କେ.ଶର୍ମା ତାଙ୍କର ଥିଏଟର ଗ୍ରୁପ୍‌ରେ ଅଭିନୟ କରିବାକୁ ଏବଂ ନିର୍ଦ୍ଦେଶନାରେ ସହକାରୀ ହେବାପାଇଁ ମାସିକ ଅଠର ଶହ ଟଙ୍କା ଦେଉଥିଲେ। ସେଥିରେ ବି କେବେହେଲେ ଅସନ୍ତୁଷ୍ଟ ହେଉନଥିଲେ। ଦିଲ୍ଲୀରେ ପ୍ରାୟ ଦଶବର୍ଷ ଧରି ମନୋଜ ବାଜ୍‌ପେୟୀ ଥିଏଟର୍‌ରେ କାମ କରିଲେ।

ସେଠାରେ ଏବେକାର ନାମୀ ନିର୍ଦ୍ଦେଶକ ତିଗ୍‌ମାଂଶୁ ଧୂଲିଆ ଶେଖର କପୁର୍‌ଙ୍କ ଫିଲ୍ମ ‘ବ୍ୟାଣ୍ଡିଟ୍‌ କୁଇନ୍‌’ରେ କାଷ୍ଟିଂ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଦିନେ ମନୋଜ୍‌ ଏକ ନୁକ୍‌କଡ଼ ଚାହା ଦୋକାନରେ ଖଟି କରୁଥିବାବେଳେ ତିଗ୍‌ମାଂଶୁ ତାଙ୍କର ସ୍କୁଟର୍‌ରେ ସେଠାରେ ପହଁଞ୍ଚିଲେ ଏବଂ କହିଲେ ନିର୍ଦ୍ଦେଶକ ଶେଖର କପୁର୍‌ ତାଙ୍କୁ ଦେଖା କରିବାକୁ ଚାହାଁନ୍ତି। ଏକଥା ଶୁଣି ନିଜ କାନକୁ ବିଶ୍ୱାସ କରିପାରିଲେନି ମନୋଜ। ସେ ଭାବିଲେ ତିଗ୍‌ମାଂଶୁ ବୋଧ ହୁଏ ମିଛ କହୁଛନ୍ତି। କିନ୍ତୁ ପରେ ତିଗ୍‌ମାଂଶୁ ମନୋଜଙ୍କୁ ମୁମ୍ବାଇରେ ଶେଖର କପୁରଙ୍କ ସହିତ ଦେଖା କରାଇଲେ। ବାସ୍‌ ତା’ପରେ ମନୋଜଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଗଲା।

ନିର୍ଦ୍ଦେଶକ ଶେଖର କପୁର୍‌ ତାଙ୍କର ବହୁଚର୍ଚ୍ଚିତ ସିନେମା ‘ବ୍ୟାଣ୍ଡିଟ୍‌ କୁଇନ୍‌’ରେ ବ୍ରେକ୍‌ ଦେଲେ ମନୋଜ୍‌ ବାଜ୍‌ପେୟୀଙ୍କୁ।‘ବ୍ୟାଣ୍ଡିଟ୍‌ କୁଇନ୍‌’ରେ କାମ କରିବାପରେ ଶେଖର କପୁର୍‌ ମନୋଜଙ୍କୁ ମୁମ୍ବାଇ ଆସିବାପାଇଁ ପରାମର୍ଶ ଦେଲେ। ତାଙ୍କ କଥା ମାନି ମନୋଜ ବାଜ୍‌ପେୟୀ ମୁମ୍ବାଇ ଆସି ବଲିଉଡ଼୍‍ରେ ତାଙ୍କର କ୍ୟାରିଅର୍‌ କରିଲେ।

ସମ୍ବନ୍ଧିତ ଖବର