ବାପାଙ୍କୁ ସିଗାରେଟ୍ ଟାଣୁଥିବାର ଦେଖି ଧୂମପାନ ଲାଗି ମନ କରିଥିଲେ ସଞ୍ଜୁ ବାବା,ଜିଦ୍ ଯୋଗୁଁ ସଞ୍ଜୁଙ୍କ ହାତରେ ସିଗାରେଟ୍ ଧରାଇଥିଲେ ସୁନୀଲ ଦତ୍ତ!
ମୁମ୍ବାଇ : ଫିଲ୍ମ ‘ସଞ୍ଜୁ’ର ରିଲିଜ୍ ତାରିଖ ପାଖେଇ ଆସିବା ସହ ଫିଲ୍ମକୁ ନେଇ ଦର୍ଶକଙ୍କ ଆଗ୍ରହ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଇ କିଛି ଦିନ ମଧ୍ୟରେ ବଲିଉଡ଼୍ ଅଭିନେତା ସଞ୍ଜୟ ଦତ୍ତଙ୍କ ବ୍ୟକ୍ତିଗତ ଜୀବନ ଖୋଲା ବହି ପାଲଟି ଯାଇଛି । ତାଙ୍କ ସହ ଜଡ଼ିତ ଅନେକ ଗୁମର ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ଛୋଟ ବେଳୁ ଅଭିନେତା ସଞ୍ଜୟ ଦତ୍ତ ନିଶା ଖାଇବା ଆରମ୍ଭ କରିଥିଲେ ଏହା ପ୍ରାୟ ସମସ୍ତଙ୍କୁ ଜଣା । କିନ୍ତୁ ତାଙ୍କର ଏହି ଅଭ୍ୟାସ ତାଙ୍କ ବାପା ସୁନୀଲ ଦତ୍ତଙ୍କ ପାଇଁ ଆରମ୍ଭ ହୋଇଥିଲା ବୋଲି ଏହା ଖୁବ୍ କମ ଲୋକଙ୍କୁ ଜଣା ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜ୍ଞା ହଁ ! ସଞ୍ଜୟ ଦତ୍ତ ସିଗାରେଟ ପିଇବା ପାଇଁ ଜିଦ୍ ଧରିବାରୁ ପିତା ସୁନୀଲ ନିଜେ ସଞ୍ଜୟଙ୍କ ହାତରେ ସିଗାରେଟ ଧରାଇଥିଲେ । ନିଶା ଖାଇବା ଶରୀର ପ୍ରତି କେତେ କ୍ଷତିକାରକ ତାହା ଜଣାଇବା ପାଇଁ ସୁନୀଲ ସଞ୍ଜୟଙ୍କ ସିଗାରେଟ ଦେଇଥିବା ବେଳେ ସଞ୍ଜୟ ଖୁବ୍ ସହଜରେ ପୂରା ସିଗାରେଟ୍କୁ ପିଇ ଯାଇଥିଲେ । ଏକ ସାକ୍ଷାତକାରରେ ସିଗାରେଟ୍ ଟାଣିବାର କାହାଣୀ ସମସ୍ତଙ୍କ ସହ ସେୟାର କରିଥିଲେ ସଞ୍ଜୟ ଦତ୍ତ ।
ସେ ଦେଇଥିବା ସୂଚନା ଅନୁଯାୟୀ, କଶ୍ମୀରରେ ବାପାଙ୍କ ସୁଟିଂ ଚାଲିଥିଲା । ଏହି ସମୟରେ ଗୋଟେ ଦୃଶ୍ୟରେ ମୁଁ ତାଙ୍କୁ ସିଗାରେଟ ପିଉଥିବାର ଦେଖିଲି । ଏହା ଦେଖି ମୁଁ ମା’ଙ୍କୁ ସିଗାରେଟ୍ ପିଇବା ପାଇଁ କହିଲି । ମା’ ମୋତେ ରାଗିବାରୁ ଯଦି ବାପା ନିଶା କରି ପାରିବେ ତା’ହେଲେ ମୁଁ କାହିଁକି ନୁହଁ ବୋଲି ପ୍ରଶ୍ନ କରିଥିଲି । ଏହା ଶୁଣି ବାପା ମୋତେ ରାଗିଥିଲେ । କିନ୍ତୁ ତଥାପି ମୁଁ ଜିଦ୍ କରିଥିଲି । ଏହା ଦେଖିି ଫିଲ୍ମର କ୍ରୁ ମେମ୍ବରଙ୍କୁ ମତେ ସିଗାରେଟ୍ ଦେବା ପାଇଁ କହିଥିଲେ । ହାତ ଜଳିଗଲେ ସେ ଆଉ ସିଗାରେଟ୍ ପିଇବାକୁ କହିବନି ବୋଲି କହି କ୍ରୁ ମେମ୍ବର ବାପାଙ୍କୁ ବୁଝାଇଥିଲେ । କିନ୍ତୁ ମୋତେ ସିଗାରେଟ୍ ଦିଆଯିବା ପରେ ମୁଁ ଖୁବ୍ ଆରାମରେ ସିଗାରେଟ୍ ପିଇ ଯାଇଥିଲି, ଯାହା ବାପାଙ୍କୁ ଅଶ୍ଚର୍ଯ୍ୟ କରିଥିଲା ।