ସୋନୁ ସୁଦ୍‌ଙ୍କ ପଥରେ ସ୍ବରା ଭାସ୍କର, ଶ୍ରମିକଙ୍କ ପାଇଁ କିଛି ନ କରିପାରିଲେ ଲାଜ ଲାଗୁଛି କହି ବଢ଼ାଇଲେ ସହାୟତାର ହାତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପଥ ଅନୁସରଣ କରିଛନ୍ତି ଅଭିନେତ୍ରୀ ସ୍ବରା ଭାସ୍କର। ସୋନୁଙ୍କ ପରି ସ୍ବରା ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇବା ଅଭିଯାନରେ ନିଜକୁ ସାମିଲ୍‌ କରିବାର ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି କି ପ୍ରବାସୀ ଶ୍ରମିକମାନଙ୍କ ପାଇଁ କିଛି ନକରି ଘରେ ବସି ବସି ସେ ଲଜ୍ଜା ଅନୁଭବ କରୁଛନ୍ତି।

ନିକଟରେ ଏକ ସାକ୍ଷାତ୍‌କାର ଦେଇ ସ୍ବରା କହିଛନ୍ତି ଲକ୍ଷ ଲକ୍ଷ ଲୋକ କରୋନା ସଂକଟ ବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ହାତ ଉପରେ ହାତ ରଖି ଘରେ ରହିବାକୁ ଲାଜ ଲାଗୁଛି। ଏହି ସଂକଟ ଆମ ପ୍ରକ୍ରିୟାର ପରାଜୟକୁ ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି।

ପ୍ରବାସୀମାନଙ୍କୁ ଟ୍ରେନ୍‌ ଟିକେଟ୍‌ ଦେବା ପାଇଁ ସ୍ବରା ଦିଲ୍ଲୀ ସରକାରଙ୍କ ସହ ହାତ ମିଳାଇଛନ୍ତି। ଫଳରେ ଉତ୍ତରପ୍ର‌ଦେଶ ଓ ବିହାରର ଅନେକ ଶ୍ରମିକ ସ୍ବରାଙ୍କ ଏହି ଉଦ୍ୟମରେ ଉପକୃତ ହେବେ।

ପୂର୍ବରୁ ସ୍ବରା ଏକ ଜୋତା କମ୍ପାନି ସହ ମିଶି ଶ୍ରମିକମାନଙ୍କୁ ଜୋତା ଯୋଗାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସ୍ବରାଙ୍କ ପୂର୍ବରୁ ସୋନୁ ସୁଦ୍‌ ଅନେକ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାରେ ସମର୍ଥ ହୋଇଛନ୍ତି। ସେ କେରଳରେ ଫସିଥିବା ୧୬୯ ଓଡ଼ିଆ ଝିଅଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚାଇଛନ୍ତି।

ସମ୍ବନ୍ଧିତ ଖବର