କ’ଣ କରୁଛନ୍ତି ଏବେ ଛୋଟ ଏବଂ ବଡ଼ ପରଦାର ଏହି ନାମୀ ନାୟିକା ?

ଉଭୟ ଛୋଟ ଏବଂ ବଡ଼ ପରଦାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଜଣେ ନାୟିକା ଏବେ ଚର୍ଚ୍ଚାରେ ନାହାନ୍ତି । ତାଙ୍କୁ ଏବେ ନାଛୋଟ କି ବଡ଼ ପରଦାରେ ଦେଖିବାକୁ ପାଉ ନାହାନ୍ତି ଦର୍ଶକ। ଏହି ନାୟିକାଜଣକ ରିଆଲିଟି ସୋ’ରେ ନିଜର ଦମଦାର୍‌ ଅଭିନୟ ପ୍ରତିଭାର ପାରାକାଷ୍ଠା ପ୍ରଦର୍ଶନ କରି ସେ ଛୋଟ ପରଦାରେ ପ୍ରବେଶ କରିଥିଲେ । ହଁ ତାଙ୍କୁ ସର୍ବପ୍ରଥମେ ବ୍ରେକ୍‌ ମିଳିଥିଲା ଛୋଟ ପରଦାରେ ପ୍ରସାରିତମେଗା ଧାରାବାହିକ ‘ କିଛି ଲୁହ ପିଇଯାଏ ଓଠ’ରେ । ଏଥିରେ ତାଙ୍କର ଜୀବନ୍ତ ଅଭିନୟ ତାଙ୍କୁ ଖୁବ୍‌ କମ୍‌ ଦିନ ଭିତରେ ଲୋକପ୍ରିୟ କରିଥିଲା ଟେଲି ଶିଳ୍ପରେ । ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି, ସେ ହେଲେ ଲିପ୍‌ସା ମିଶ୍ର ।

ଲିପ୍‌ସା କିନ୍ତୁ ଛୋଟ ପରଦାରେ ଅଟକି ଯିବାକୁ ଚାହିଁ ନ ଥିଲେ । ଏହାପରେ ସେ ମୁହାଁଇଥିଲେ ବଡ-ପରଦାକୁ । ଦର୍ଶକ ଇତିମଧ୍ୟରେ ଲିପ୍ସାଙ୍କୁ ‘ ମାୟା ’ ଏବଂ ‘ପିଲାଟା ବିଗିଡ଼ିଗଲା’ ଭଳି ସିନେମାରେ ଦେଖିବାକୁ ପାଇଛନ୍ତି । ‘ ମାୟା’ରେ ଲିପ୍‌ସା ଜଣାଶୁଣା ନାୟକ ସୁନୀଲ କୁମାରଙ୍କ ବିପକ୍ଷରେ ନାୟିକା ବନିଥିବା ବେଳେ ‘ ପିଲାଟା ବିଗିଡ଼ିଗଲା’ରେ ସେ ନଜର ଆସିଥିଲେ କମେଡିଆନ୍‌ ପପୁ ପମ୍‌ପମ୍‌ଙ୍କ ସହ ।


ଲିପ୍‌ସାଙ୍କ ଓଲିଉଡ୍‌ର ଜୟଯାତ୍ରା ଆରମ୍ଭ ହେବା ପରେ ତାଙ୍କୁ ମିଳିଥିଲା ଆଉ କେତୋଟି ଓଡ଼ିଆ ଛବିରେ ଲିଡ୍‌ରୋଲ୍‌ । ହେଲେ ଏହି ଫିଲ୍ମଗୁଡ଼ିକ ଅଧାପନ୍ତରିଆ ହୋଇପଡ଼ି ରହିଛି । ଏହା କେବେ ରିଲିଜ୍‌ ହେବ ତା’କୁ ନେଇ କିଛି ଖବର ନାହିଁ । ଲିପ୍‌ସାଙ୍କର ଯେଉଁ ତିନିଟି ଓଡ଼ିଆ ଛବି ଫ୍ଲୋରକୁ ଯାଇଥିଲା , ସେଗୁଡିକ ହେଲା ‘ଆତ୍ମା’, ‘ଜୋକର୍‌’ ଓ ‘ତତେ କିଛି କହିବାର ଅଛି ’ । ଏଥିମଧ୍ୟରୁ ‘ଆତ୍ମା’ରେ ଲିପ୍ସାଙ୍କୁ ଚକଲେଟି ହିରୋ ଅଭିଷେକଙ୍କ ସହ, ‘ ଜୋକର’ରେ ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ନିଆଯାଇଥିଲା । ଉକ୍ତ ଦୁଇଟି ସିନେମାର ପାଖାପାଖି ଅଶି ପ୍ରତିଶତ ସୁଟିଂ ସରିଛି । ଅପରପକ୍ଷରେ ‘ ତତେ କିଛି କହିବାର ଅଛି ’ର ମାତ୍ର କିଛି ଦିନର ସୁଟିଂ ପରେ ତାହାର କାମ ଆଗେଇ ପାରି ନ ଥିଲା । ସେ ଯାହା ହେଉନା କାହିଁକି ଅଳ୍ପ ଦିନ ଭିତରେ ଲିପସା ଜଣେ ପ୍ରତିଭାବାନ୍‌ ଅଭିନେତ୍ରୀଭାବେ ପରିଚିତା ହୋଇଥିଲେ ଏଥିରେ କାହାର ସନ୍ଦେହ ନାହିଁ। ସେ ଲୋକପ୍ରିୟ ନିର୍ଦ୍ଦେଶକ ବସନ୍ତ ସାହୁ ଏବଂ ସଞ୍ଜୟ ନାୟକଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି। ଏହାପରେ ଲିପ୍‌ସା ଙ୍କ ବଡ ପରଦାରେ କ୍ୟାରିଅରରେ ହଠାତ୍‌ ବ୍ରେକ୍‌ ଲାଗିଥିଲା । ଅପରପକ୍ଷରେ ସେ ପୁଣି ଛୋଟ ପରଦାକୁ ମୁହାଁଇ ସାର୍ଥକ ଟିଭିରେ ପ୍ରସାରିତ ‘ ତୋ’ ଅଗଣାରେ ତୁଳସୀ ମୁଁ’ ରେ ନିୟମିତ ଭାବେ ଅଭିନୟ କରୁଥିଲେ, ହେଲେ ସେହି ମେଗା ଧାରାବାହିକରେ ବି ତାଙ୍କୁ ଢ଼େର ଦିନ ହେବ ଦେଖିବାକୁ ମିଳୁ ନାହିଁ। କିଛି ବୁଝାପଡ଼ୁନି ତାଙ୍କର କ୍ୟାରିଅର୍‌ ସଂପର୍କରେ।

ସମ୍ବନ୍ଧିତ ଖବର