‘ବାହୁବଳୀ-୨’କୁ ଜାପାନ ଦେଲା ‘ଜି’ ସାର୍ଟିଫିକେଟ, ଜାଣନ୍ତୁ ଭାରତରେ କେଉଁ ସାର୍ଟିଫିକେଟ୍‌ ସହ ଏହା ସମାନ

ମୁମ୍ବାଇ: ସମଗ୍ର ବିଶ୍ୱରେ ଚହଳ ସୃଷ୍ଟିକାରୀ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ବାହୁବଳୀ-୨’ ଖୁବ୍‌ ଶୀଘ୍ର ଜାପାନରେ ମୁକ୍ତିଲାଭ କରିବାକୁ ଯାଉଛି। ୨୦୧୮ ମସିହା ଏପ୍ରିଲ୍‌ ୨୮ ତାରିଖରେ ଚଳଚ୍ଚିତ୍ରଟି ଜାପନରେ ରିଲିଜ୍‌ କରିବ ବୋଲି ଜାଣିବାକୁ ମିଳିଛି। ଜାଣିରଖନ୍ତୁ ଯେ କେବଳ ଭାରତରେ ଚଳଚ୍ଚିତ୍ରଟି ୧୦୦୦ କୋଟି ଟଙ୍କାର ବ୍ୟବସାୟ କରିଛି। ବର୍ତ୍ତମାନ ପ୍ରଭାସ-ଅନୁଷ୍କାଙ୍କ ଜବରଦସ୍ତ ପ୍ରେମକାହାଣୀଙ୍କୁ ଦେଖିବାପାଇଁ ଅତ୍ୟନ୍ତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଜାପାନବାସୀ। ମଙ୍ଗଳବାର ଦିନ ‘ବାହୁବଳୀ-୨’ର ଜାପାନରେ ମୁକ୍ତିଲାଭ କରିବାର ତାରିଖ ଧାର୍ଯ୍ୟ ହୋଇଛି। ଜାପାନ ସେନ୍‌ସର୍‌ ବୋର୍ଡ ଚଳଚ୍ଚିତ୍ରଟିକୁ ‘ଜି’ ସାର୍ଟିଫିକେଟ୍‌ ପ୍ରଦାନ କରିଛି। ଏଠାରେ ଜଣାଇ ଦେଉଛୁକି ଭାରତରେ ଚଳଚ୍ଚିତ୍ରକୁ ମିଳୁଥିବା ‘ୟୁ’ ସାର୍ଟିଫିକେଟ୍‌ ସହ ଜାପାନର ‘ଜି’ ସାର୍ଟିଫିକେଟ୍‌ ସମାନ। ଚଳଚ୍ଚିତ୍ରଟିକୁ ଏସ୍‌ଏସ୍‌ ରାଜମୌଲୀ ଜାପାନୀ ଭାଷାରେ ଡବିଂ କରିଛନ୍ତି।

ଉଲ୍ଳେଖଯୋଗ୍ୟ, ୨୦୧୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବାହୁବଳୀ: ଦି ବିଗିନିଂ’ ବ୍ୟବସାୟର ଯେଉଁ ଆକାଶଛୁଆଁ ରେକର୍ଡ ସ୍ଥାପନ କରିଥିଲା। ଏସ୍‌.ଏସ୍‌. ରାଜାମୌଳିଙ୍କ ନିର୍ଦ୍ଦେଶିତ ସେ ଫିଲ୍ମଟି ମୂଳତଃ ତାମିଲ୍‌ ଓ ତେଲୁଗୁରେ ତିଆରି ହୋଇ ହିନ୍ଦୀରେ ମଧ୍ୟ ଡବ୍‌ ହୋଇ ରିଲିଜ୍‌ ହୋଇଥିଲା। ୧୮୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ‘ବାହୁବଳୀ: ଦି ବିଗିନିଂ’ ସାରା ବିଶ୍ୱରେ ୬୫୦ କୋଟି ଟଙ୍କାରୁ ଅଧିକ ଆୟକରି ଭାରତୀୟ ଫିଲ୍ମ ଇତିହାସର ତୃତୀୟ ସଫଳତମ ଫିଲ୍ମର ମାନ୍ୟତା ପାଇଥିଲା। କେବଳ ଭାରତରୁ ହୋଇଥିବା ଆୟକୁ ତୁଳନାକଲେ ‘ବାହୁବଳୀ: ଦି ବିଗିନିଂ’ର ସ୍ଥାନ ପ୍ରଥମ ହେବ। ହିନ୍ଦୀରେ ଡବ୍‌ହୋଇ ରିଲିଜ୍‌ ହୋଇଥିବା ‘ବାହୁବଳୀ: ଦି ବିଗିନିଂ’ ୧୦୦ରୁ ଅଧିକ ଆୟ କରିଥିଲା।

ସେହିପରି ଚଳିତବର୍ଷ ‘ବାହୁବଳୀ: ଦି ବିଗିନିଂ’ର ଦ୍ୱିତୀୟ ଓ ଶେଷ ଭାଗ ‘ବାହୁବଳୀ: ଦି କନ୍‌କ୍ଲୁଜନ୍‌’ ମୁକ୍ତିଲାଭ କରିବା ପରେ ସମସ୍ତ ରେକର୍ଡ ଭଙ୍ଗ କରିସାରିଛି। ଏହାର ବଜେଟ୍‌ ରହିଥିଲା ପ୍ରାୟ ୨୦୦ କୋଟି ଟଙ୍କା। ଏ ଫିଲ୍ମଟିକୁ ନେଇ ଲୋକଙ୍କ ଭିତରେ ଏତେ ଉତ୍କଣ୍ଠା ରହିଥିଲା ଯେ ରିଲିଜ୍‌ ପୂର୍ବରୁ ହିଁ ଫିଲ୍ମଟି ୫୦୦ କୋଟି ଟଙ୍କାରୁ ଅଧିକ ଆୟ କରି ସାରିଥିଲା। ‘ବାହୁବଳୀ: ଦି କନ୍‌କ୍ଲୁଜନ୍‌’ ମଧ୍ୟ ତାମିଲ୍‌, ତେଲୁଗୁ ଓ ହିନ୍ଦୀରେ ଆଦି ଅନେକ ଭାଷାରେ ରିଲିଜ୍‌ ହୋଇଯାଇଛି। ହିନ୍ଦି ଭର୍ସନ୍‌ର ସତ୍ତ୍ୱ କିଣିଥିଲା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ ସଂସ୍ଥା।

ଚଳଚ୍ଚିତ୍ରଟି ଭାରତୀୟ ସିନେ ଜଗତର ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହା କେବଳ ବ୍ୟବସାୟୀକ ଦୃଷ୍ଟିରୁ ନୁହେଁ, ଲୋକଙ୍କ ଭାବପ୍ରବତଣା ଦୃଷ୍ଟିରୁ ମଧ୍ୟ ଅଦ୍ଭୂତପୂର୍ବ ସଫଳତା ହାତେଇ ପାରିଛି। ଯଦିଓ ଆପଣ ଜାଣିଥିବେ ‘ବାହୁବଳୀ-୨’ ଚଳଚ୍ଚିତ୍ର ଦେଖିବାକୁ ପରୀକ୍ଷା ବନ୍ଦ କରିବା, ବିବାହ ଘୁଞ୍ଚାଇବା ଏବଂ ଅପରେସନ୍‌ ଥିଏଟର୍‌ରେ ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ଅନୁରୋଧ କରିବା ଆଦି ଅନେକ ଘଟଣା ସେ ସମୟରେ ବେଶ୍‌ ଚର୍ଚ୍ଚା ପାଲଟଥିଲା। ଏକପରିକି ଜଣେ ରୋଗୀକୁ ଡାକ୍ତର ‘ବାହୁବଳୀ’ ଚଳଚ୍ଚିତ୍ର ଦେଖାଇ ଅପରେସନ୍‌ କରିଥିବା ଘଟଣା ଚଳଚ୍ଚିତ୍ର ପ୍ରତି ଲୋକଙ୍କର ଭଲପାଇବାର ପ୍ରମାଣ।

ସମ୍ବନ୍ଧିତ ଖବର