ଶହୀଦ୍‌  ଭଗତସିଂହଙ୍କ ଉପରେ ଏହି ବର୍ଷ ନିର୍ମିତ ହୋଇଥିଲା ତିନିଟି ସିନେମା

ମୁମ୍ବାଇ: ଭାରତବର୍ଷକୁ ସ୍ୱାଧୀନତା ଆଣିଦେବା ଲାଗି ଯେଉଁ କ୍ରାନ୍ତିକାରୀମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରୟାସ ଆରମ୍ଭ କରିଥିଲେ, ସେମାନଙ୍କ ମଧ୍ୟରେ ଜଣେ ହେଲେ ଶହୀଦ୍‌ ଭଗତ୍‌ ସିଂହ। ଏହି ମହାନ୍‌ କ୍ରାନ୍ତିକାରୀଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ବେଶ୍‌ କେତୋଟି ହିନ୍ଦୀ ସିନେମା।

ହେଲେ ଆପଣ କ’ଣ ଜାଣନ୍ତି କି? ଶହୀଦ୍‌  ଭଗତସିଂହଙ୍କ ଉପରେ ଆଧାରିତ ତିନିଟି ହିନ୍ଦୀ ସିନେମା ଗୋଟିଏ ବର୍ଷରେ ରିଲିଜ୍‌ ହୋଇଥିଲା। ହଁ, ୨୦୦୨ରେ କ୍ରାନ୍ତିକାରୀ ଭଗତ ସିଂହଙ୍କ ଉପରେ ଯେଉଁ ତିନିଟି ଫିଲ୍ମ ରିଲିଜ୍‌ ହୋଇଥିଲା।

ସେଥିମଧ୍ୟରୁ ଗୋଟିଏ ହେଲା ‘ଶହୀଦ୍‌ -ଏ ଆଜମ୍‌’। ଏଥିରେ ଭଗତ ସିଂହ ଭୂମିକା ନିଭାଇଥିଲେ ସୋନୁ ସୁଦ୍‌। ଏଥିରେ ସମା ସିକନ୍ଦର୍‌ ଥିଲେ ମଧ୍ୟ ମୁଖ୍ୟ ଭୂମିକାରେ। ଏହି ଫିଲ୍ମଟି କିନ୍ତୁ ଫ୍ଲପ୍‌ ହୋଇଥିଲା।

 

୨୦୦୨ ମସିହା ଜୁନ୍‌ ୭ ତାରିଖରେ ପରଦାକୁ ଆସିଥିଲା ‘ଶହୀଦ୍‌- ୨୩ ମାର୍ଚ୍ଚ ୧୯୩୧’। ଗୁଡୁ ଧାନୋଆ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ସିନେମାରେ ବବି ଦେଓଲଙ୍କୁ ଦର୍ଶକ ଶହୀଦ୍‌ ଭଗତ ସିଂହ ଭୂମିକାରେ ଦେଖିବାକୁ ପାଇଥିଲେ। ଅନ୍ୟପକ୍ଷରେ ଏଥିରେ ଚନ୍ଦ୍ରଶେଖର ଆଜାଦ୍‌ ଭାବେ ପରଦାରେ ନଜର ଆସିଥିଲେ ସନ୍ନି ଦେଓଲ୍‌। ଏହି ଫିଲ୍ମଟି ବି ବିଶେଷ ସଫଳତା ହାସଲ କରି ନଥିଲା।

ସେହି ୨୦୦୨ ମସିହା ଜୁନ୍‌ ୭ ତାରିଖରେ ‘ଦି ଲିଜେଣ୍ଡ ଅଫ୍‌ ଭଗତ ସିଂହ’ ମଧ୍ୟ ରିଲିଜ୍‌ ହୋଇଥିଲା। ଏହି ସିନେମାରେ ଅଜୟ ଦେବଗନ୍‌ ବନିଥିଲେ ଭଗତ ସିଂହ। ଏଥିରେ ଅଜୟଙ୍କ ବ୍ୟତୀତ ଅମ୍ରିତା ରାଓଙ୍କୁ ବି  ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀ ଓ ପ୍ରଯୋଜନା କରିଥିଲେ ରମେଶ ତୌରାନୀ। ଏହି ସିନେମାଟି ହିଟ୍‌ ମଧ୍ୟ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ‘ଦି ଲିଜେଣ୍ଡ ଅଫ୍‌ ଭଗତ ସିଂହ’ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର