ଆଗାମୀ ୨୨ରେ ଆସୁଛି ‘ଟାଇଗର୍‌ ଜିନ୍ଦା ହୈ’

ହଁ, ଏଇ ଡିସେମ୍ବର୍‌ ୨୨ ତାରିଖରେ ଟାଇଗର୍‌ ଆସୁଛି, ଅର୍ଥାତ୍‌ ସଲ୍‌ମାନ୍‌ ଖାଁଙ୍କ ନୂଆ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ ରିଲିଜ୍‌ ହେଉଛି। ଏ ଫିଲ୍ମଟିକୁ ନେଇ ସଲ୍‌ମାନ୍‌ଙ୍କ ପ୍ରଶଂସକମାନଙ୍କର ଉତ୍ସାହ ଓ ଉତ୍କଣ୍ଠା ତ ଆକାଶ ଛୁଆଁ! ସୋସିଆଲ୍‌ ମିଡିଆରେ ଏହାର କ୍ରେଜ୍‌କୁ ଦେଖି କେବଳ ସାଧାରଣ ଦର୍ଶକ ନୁହନ୍ତି, ଫିଲ୍ମ ପଣ୍ଡିତମାନେ ମଧ୍ୟ ବେଶ୍‌ ଉତ୍ସାହିତ। ଏ ଫିଲ୍ମଟି ଏକ ବ୍ଲକ୍‌ବଷ୍ଟର୍‌ ହେବାର ସବୁ ସମ୍ଭାବନା ଅଛି ବୋଲି ସମସ୍ତେ ଏକମତ ହେଲେଣି। ତେଣୁ ‘ଟାଇଗର୍‌ ଜିନ୍ଦା ହୈ’ ଗୋଟେ ବଡ଼ ଧମାକା କରିବ ବୋଲି ସମସ୍ତେ ଆଶା କରୁଛନ୍ତି। ‘ଟାଇଗର୍‌ ଜିନ୍ଦା ହୈ’ରେ ସଲ୍‌ମାନ୍‌ଙ୍କର ନାୟିକା ଅଛନ୍ତି କ୍ୟାଟ୍ରିନା କୈଫ୍‌। ୟଶ୍‌ରାଜ୍‌ ଫିଲ୍ମସ୍‌ ବ୍ୟାନର୍‌ରେ ତିଆରି ହୋଇଥିବା ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଅବାସ୍‌ ଜାଫର୍‌।
‘ଟାଇଗର୍‌ ଜିନ୍ଦା ହୈ’ର କାହାଣୀଟି ଏମିତି: ଏକ କୁଖ୍ୟାତ ଆତଙ୍କବାଦୀ ସଂଗଠନ ୨୫ ଜଣ ଭାରତୀୟ ନର୍ସଙ୍କୁ ଅପହରଣ କରି ନେଇଛି। ସେମାନଙ୍କୁ ଭାରତୀୟ ସିକ୍ରେଟ୍‌ ଏଜେଣ୍ଟ୍‌ ଟାଇଗର୍‌ (ସଲ୍‌ମାନ୍‌) ଉଦ୍ଧାର କରୁଛି। ଫିଲ୍ମରେ ସଲ୍‌ମାନ୍‌ଙ୍କର ବହୁ ଆଖିଝଲସା ଷ୍ଟଣ୍ଟ୍‌ ରହିଛି। ବିଶେଷକରି ସେ ଭୋକିଲା ହେଟାମାନଙ୍କର ମୁକାବିଲା କରିବାର ଏକ ଦୃଶ୍ୟକୁ ନେଇ ଭାରି ଚର୍ଚ୍ଚା ହେଉଛି।
ଆଉ ଗୋଟିଏ ଉଲ୍ଲେଖନୀୟ ଖବର ହେଉଛି, ‘ଟାଇଗର୍‌ ଜିନ୍ଦା ହୈ’ ପାକିସ୍ତାନରେ ରିଲିଜ୍‌ ହେବାଲାଗି ଅନୁମତି ପାଇନାହିଁ। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏଥିପାଇଁ ସବୁଜ ସଙ୍କେତ ଦେଇନାହିଁ। ପୂର୍ବରୁ ଏହାର ପ୍ରଥମ ଭାଗ ‘ଏକ୍‌ ଥା ଟାଇଗର୍‌’କୁ ମଧ୍ୟ ପାକିସ୍ତାନ ସରକାର ଅନୁମତି ଦେଇ ନ ଥିଲେ। ସେ ଫିଲ୍ମରେ କ୍ୟାଟ୍ରିନା ଜଣେ ପାକିସ୍ତାନୀ ସିକ୍ରେଟ୍‌ ଏଜେଣ୍ଟ୍‌ ଭୂମିକାରେ ଅଭିନୟ କରିଥିଲେ। ‘ଟାଇଗର୍‌ ଜିନ୍ଦା ହୈ’ ମଧ୍ୟ ସେ ପ୍ରାୟତଃ ସମାନ ଭୂମିକାରେ ଅଛନ୍ତି।

ସମ୍ବନ୍ଧିତ ଖବର