ପଦ୍ମଶ୍ରୀ ଅଭିନେତା ଟମ୍‌ ଅଲଟର୍‌ ଆଉ ନାହାନ୍ତି !

ବରିଷ୍ଠ ଚଳଚ୍ଚିତ୍ର,ଟେଲିଭିଜନ୍‌ ଓ ଥିଏଟର୍‌ ଅଭିନେତା ପଦ୍ମଶ୍ରୀ ଟମ୍‌ ଅଲଟର୍‌ଙ୍କ ପରଲୋକ ହୋଇଯାଇଛି। ୧୯୫୦ ମସିହାରେ ମସୌରିଠାରେ ଜନ୍ମଗ୍ରହଣ କରିଥିବା ଟମ୍‌ ଅଲଟର୍‌ ପ୍ରାୟ ୩୦୦ ସିନେମାରେ ଅଭିନୟ କରିଛନ୍ତି।
ଟମ୍‌ ଅଲଟର୍‌ ଥିଏଟର୍‌ରୁ ତାଙ୍କର ଅଭିନୟ ଜୀବନକୁ ଆରମ୍ଭ କରିଥିଲେ।ନଶିରୁଦ୍ଦିନ୍‌ ଶାହା ଓ ଗିଲାନିଙ୍କ ସହିତ ମିଶି ସେ ୧୯୭୯ ମସିହାରେ ମୋଟାଲ୍‌ ପ୍ରଡ଼କ୍‌ସନ୍‌ସ ନାମରେ ଏକ ସଂସ୍ଥା ପ୍ରତିଷ୍ଠା କରିଥିଲେ।ସେ ୧୯୭୨ରେ ପୁନେ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆକ୍ଟିଂରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇ ଡ଼ିପ୍ଲୋମା ହାସଲ କରିଥିଲେ।

୧୯୭୬ ମସିହାରେ ରାମାନାନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଚରସ୍‌’ରେ ସୁପରଷ୍ଟାର୍‌ ଧର୍ମେନ୍ଦ୍ରଙ୍କ ବସ୍‌ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଟମ୍‌।ଏହାପରେ ଟମ୍‌ ଅଲଟର୍‌ଙ୍କୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଥିବା ସିନେମା ଗୁଡ଼ିକ ମଧ୍ୟରେ ରହିଛି ସତ୍ୟଜିତ୍‌ ରାୟଙ୍କ ‘ସତରଞ୍ଜ୍‌ କେ ଖିଲାଡ଼ି’(୧୯୭୭),‘ଶ୍ୟାମ୍‌ ବେନେଗଲଙ୍କ ଜୁନୁନ (୧୯୭୯),ମନୋଜ କୁମାରଙ୍କ କ୍ରାନ୍ତି (୧୯୮୧) ‘ରାମ୍‌ ତେରା ଗଙ୍ଗା ମୈଲୀ’(୧୯୮୫) ଆଦି।
ଟମ୍‌ ଅଲଟର୍‌ଙ୍କ ଅନ୍ୟ ଲୋକପ୍ରିୟ ନିର୍ଦ୍ଦେଶକ ମାନଙ୍କ ମଧ୍ୟରେ ଭି- ଶାନ୍ତାରାମ୍‌,ହୃଷିକେଶ ମୁଖାର୍ଜୀ,ମନମୋହନ ଦେଶାଇ,ସୁଭାଷ ଘାଇ,ଚେତନ ଆନନ୍ଦ ଏବଂ ବିଧୂ ବିନୋଦ ଚୋପ୍ରା ପ୍ରମୁଖଙ୍କ ସହ କାମ କରିଛନ୍ତି।ନବେ ଦଶକରେ ପ୍ରଖ୍ୟାତ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ‘ଆଶିକୀ’,‘ଜୁନୁନ୍‌’ଓ ‘ଗୁମ୍‌ରାହ’କେତନ ମେହେଟ୍ଟାଙ୍କ ‘ସର୍‌ଦାର୍‌’,ପ୍ରିୟଦର୍ଶନଙ୍କ ‘କାଲାପାନି’ ଆଦି ସିନେମାରେ ମଧ୍ୟ ପ୍ରଭାବଶାଳୀ ଅଭିନୟ କରିଥିଲେ ଏହି ଅଭିନେତା। ସେ ବିଦେଶୀ ସିନେମା ରିଚାର୍ଡ଼ ଆଟେନ୍‌ ବୋଓରାଙ୍କ ‘ଗାନ୍ଧୀ’ ଓ ‘ଓ୍ଵାନ୍‌ ନାଇଟ୍‌ ଉଇଥ୍‌ କିଙ୍ଗ୍‌’ରେ ମଧ୍ୟ କାମ କରିବାର ସୁଯୋଗ ପାଇଥିଲେ।

ଟମ୍‌ ଅଲ୍‌ଟର୍‌ ଟେଲିଭିଜନ୍‌ ପରଦାରେ ଜୁନୁନ୍‌,ଜବାନ୍‌ ସମ୍ଭାଲ୍‌କେ,ଯୁଗଲବନ୍ଦୀ,ଭାରତ୍‌ ଏକ୍‌ ଖୋଜ୍‌,ଘୁଟନ୍‌,ଶକ୍ତିମାନ୍‌,କ୍ୟାପ୍‌ଟେନ୍‌ ବ୍ୟୋମ୍‌,ମେରେ ଘର୍‌ ଆନା ଜିନ୍ଦେଗୀ,ଚାହାଁ କେଦମ୍‌ ସିକନ୍ଦର୍‌ରେ ନଜର ଆସିଥିଲେ।ସଂପ୍ରତି ଷ୍ଟାରପ୍ଲସ୍‌ରେ ପ୍ରସାରିତ ମେଗା ଧାରାବାହିକ ‘ରିସ୍ତୋଁ କା ଚକ୍ରବ୍ୟୁହ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏଥିସହିତ ୨୦୦୮ରେ ଟମ୍‌ ଅଲଟର୍‌ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଆଓ୍ଵାର୍ଡ଼ରେ ପୁରସ୍କୃତ ହୋଇଥିଲେ।

ତେବେ ଚର୍ମକର୍କଟ ରୋଗରେ ପିଡ଼ୀତ ଟମ୍‌ଙ୍କୁ ମୃତ୍ୟୁବେଳକୁ ମାତ୍ର ୬୭ବର୍ଷ ବୟସ ହୋଇଥିଲା। ତେବେ ତାଙ୍କର ଜଣେ ପତ୍ନୀ କାରୋଲ୍‌ ,ପୁତ୍ର ଜେମି ଓ ଝିଅ ଅଫ୍‌ସାନ୍‌ ଅଛନ୍ତି। ଟମ୍‌ ଅଲଟର୍‌ଙ୍କ ବିୟୋଗରେ ବଲିଉଡ଼୍‍ର ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର