ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ ଘଟଣାରେ ରାଜ୍ୟ ସିନେକଳାକାର ସଂଘର ସାମ୍ବାଦିକ ସମ୍ମିଳନୀ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ ମରାଯିବା ଘଟଣା ୩ ଦିନ ବିତି ଯାଇଥିଲେ ବି ଏହି ଘଟଣାରେ ସଂପୃକ୍ତ କାହାକୁ ହେଲେ ଏଯାବତ୍‌ ଗିରଫ କରାଯାଇନାହିଁ। ଏ ନେଇ ଉଷସୀ ବୁଧବାର ଏକ ସାମ୍ବାଦିକ ସମ୍ମଳନୀ କରିଛନ୍ତି। ତାଙ୍କ ସମର୍ଥନରେ ବାହାରିଛି ରାଜ୍ୟ ସିନେକଳାକାର ସଂଘ। ସଂଘ ପକ୍ଷରୁ ଦୋଷୀକୁ ତୁରନ୍ତ ଗିରଫ କରାଯିବାକୁ ଦାବି ହୋଇଛି ।

ସମ୍ମିଳନୀରେ ଉଷସୀ ବକ୍ତବ୍ୟ ଦେଇ କହିଛନ୍ତି, ‘ପୁଲିସ ପ୍ରଶାସନ ଉପରୁ ଭରସା ଉଠିଗଲାଣି।ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଡିଜିଙ୍କୁ ଭେଟିବି।’ ସେଦିନର ସମସ୍ତ ଘଟଣାକୁ ସ୍ପଷ୍ଟ ଭାବେ ଗଣମାଧ୍ୟମ ସମ୍ମୁଖରେ ସେ ଉପସ୍ଥାପନ କରିଥିଲେ । ଘଟଣା ସମୟରେ ଯାତ୍ରାକମିଟିର କେହି ତାଙ୍କୁ ସାଥ ଦେଇ ନ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଯାତ୍ରା ନାଟକରେ ଅଭିନୟ କରିବା ପାଇଁ ଅନୁଗୁଳର ଡେରଙ୍ଗ ଯାଇଥିଲେ ଉଷସୀ ମିଶ୍ର। ସେଠାରେ ତାଙ୍କ ଗାଡ଼ିକୁ ନେଇ ବିବାଦ ଉପୁଜିଥିଲା। ଜନଗହଳିରେ ତାଙ୍କ ଡ୍ରାଇଭର ଗାଡ଼ି ପୁରାଇ ଦେଇଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ବିରୋଧ କରି ଆକ୍ରମଣ କରିଥିଲେ ବୋଲି ଜାଣିବାକୁ ମିଳିଛି। ମାତ୍ର ଉଷସୀଙ୍କ କହିବା ମୁତାବକ ତାଙ୍କ ଗାଡ଼ିର ଚାବି ହଜିଯାଇଥିଲା। ହଠାତ କିଛି ଲୋକ ଆସି ତାଙ୍କ ଚାଳକଙ୍କୁ ଚାବି ମାଗିଥିଲେ। ଚାଳକ ଚାବି ଦେଇ ନ ପାରିବାରୁ ସେମାନେ ଗାଡ଼ି ଭାଙ୍ଗି ଦେବେ ବୋଲି ଧମକ ଦେବା ସହ ଉଷସୀଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଥିଲେ। ଏ ନେଇ ଉଷସୀ କଣିହାଁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର