ପ୍ରିମିୟର୍‌ରୁ ଫେରିବା ବେଳେ କୁନି ଫ୍ୟାନ୍‌ଙ୍କ ସହ ସେଲ୍‌ଫି ଉଠାଇଲେ ବରୁଣ

ମୁମ୍ବାଇ : ବଲିଉଡ୍‌ର ହାର୍ଟଥ୍ରୋବ୍‌ ବରୁଣ ଧଓ୍ଵନ୍‌ ତାଙ୍କର ଲାଟେଷ୍ଟ ଫିଲ୍ମ ‘ଅକ୍ଟୋବର’ର ପ୍ରିମିଅର୍‌ରୁ ଫେରୁଥିବା ବେଳେ ଜଣେ କୁନି ପ୍ରଶଂସକଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୁଜିତ ସରକାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନିଜର ଅଭିନୟ ଜରିଆରେ ପୁଣି ଥରେ ଉଭୟ ଦର୍ଶକ ଓ ସମୀକ୍ଷକଙ୍କ ଦ୍ୱାରା ଆଦୃତ ହୋଇଥିବା ବରୁଣ ଧଓ୍ଵନ ଖୁସିରେ ଘରକୁ ଫେରୁଥିବା ବେଳେ ହଠାତ୍‌ ତାଙ୍କ କାର୍‌କୁ ଅଟକାଇଥିଲେ ଜଣେ ଶିଶୁ ଓ ତାଙ୍କର ପିତା।

ବରୁଣ ଧଓ୍ଵନ୍‌ ଗାଡ଼ି ଅଟକାଇବା ପରେ ପିଲାଟି ନିଜକୁ ବରୁଣଙ୍କର ଜଣେ ବଡ଼ ଫ୍ୟାନ୍‌ ବୋଲି କହିଥିଲା। ଖାଲି ସେତିକି ନୁହେଁ, ସେହି ନାବାଳକ ଓ ତାର ପିତା ବରୁଣ ଧଓ୍ଵନଙ୍କ ସହିତ ସେଲ୍‌ଫି ନେବା ଲାଗି ଚାହିଁଲେ। ବରୁଣ ବି ନିଜକୁ ରୋକି ପାରିଲେନି। ସେ ତତ୍‌କ୍ଷଣାତ୍‌ ସେଲ୍‌ଫି ଉଠାଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ବରୁଣ ଧଓ୍ଵନ୍‌ ନିଜ ଫ୍ୟାନ୍‌ମାନଙ୍କ ସହିତ ସେଲଫି ଉଠାଇବାକୁ କେବେ ହେଲେ କୁଣ୍ଠାବୋଧ କରନ୍ତି ନାହିଁ। ଥରେ ଏକ ଅଘଟଣ ଘଟିଥିଲା। ଫ୍ୟାନ୍‌ଙ୍କୁ ସେଲଫି ଦେଇଥିବା ହେତୁ ପୁଲିସ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା ବରୁଣ ଧଓ୍ଵନଙ୍କୁ। ସେ ଏକ ଟ୍ରାଫିକ ପୋଷ୍ଟରେ ଗାଡ଼ିରେ ବସି ଫ୍ୟାନ୍‌ମାନଙ୍କର ଇଚ୍ଛା ପୂରଣ କରିଥିଲେ। ସେଠାରେ ଅଟୋରେ ବସିଥିବା ଜଣେ ଯୁବତୀ ବରୁଣଙ୍କ ସହ ସେଲ୍‌ଫି ନେବାକୁ ଅନୁରୋଧ କରିଥିଲେ ଓ ସେଥିପାଇଁ ବରୁଣ କାର୍‌ ଭିତରୁ ନିଜର ମୁଣ୍ଡ ବାହାରକୁ ବାହାର କରି ସେଲ୍‌ଫି ନେଇଥିଲେ। ଏଥିପାଇଁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର