ସୁସ୍ଥ ହେଲେ ସଲମାନ ଖାନ୍‌ଙ୍କ ଅଭିନେତ୍ରୀ ପୂଜା ଡଡ୍‌ଓ୍ଵାଲ, ଚିକିତ୍ସା ପରେ ସଲମାନଙ୍କ ପାଇଁ ଆଜି ନୂଆ ଜୀବନ ପାଇଛି ବୋଲି କହିଲେ

ମୁମ୍ବାଇ : କିଛି ବଲିଉଡ୍‌ ଫିଲ୍ମରେ ଅଭିନୟ କରି ସାରିଥିବା ପୂଜା ଡ଼ଡ୍‌ଓ୍ଵାଲ ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହିଥିଲେ । କିଛି ମାସ ତଳେ ଟଙ୍କା ଅଭାବରୁ ନିଜର ଚିକିତ୍ସା କରାଇ ନ ଥିବାରୁ ସେ ଟିବିରେ ପୀଡ଼ିତ ଥିବା ଖବର ମିଳିଥିଲା । ସଲମାନଙ୍କ ସହ ସେ ଫିଲ୍ମ ‘ବୀରଗତି’ରେ ଅଭିନୟ କରିଥିବାରୁ ନିଜର ଚିକିତ୍ସା ପାଇଁ ଟଙ୍କା ଦେବାକୁ ସେ ସଲମାନଙ୍କୁ ଗୁହାରି କରିଥିଲେ । କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ସଲମାନ ତାଙ୍କୁ ସାହାଯ୍ୟ ଯୋଗାଇ ନଥିବାରୁ ସଲମାନଙ୍କୁ ନେଇ ଅନେକ କଥା ଲୋକେ କହିବା ଆରମ୍ଭ କରିଥିଲେ । କିନ୍ତୁ ଏବେ ସଲମାନଙ୍କଠାରୁ ଆର୍ଥିକ ସହାୟତା ନେଇ ପୂଜା ସଂପୂର୍ଣ୍ଣ ଠିକ୍‌ ହୋଇ ଯାଇଥିବା ଜଣା ପଡ଼ିଛି । ଗମ୍ଭୀର ଅବସ୍ଥାରେ ପୂଜାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କୁ ଡ଼ିସ୍‌ଚାର୍ଜ କରାଯାଇଥିବା ସୂଚନା ମିଳିଛି । ସଲମାନ ନିଜର ‘ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ’ ଜରିଆରେ ପୂଜାଙ୍କୁ ସାହାଯ୍ୟ କରିଥିଲେ । ଏବେ ପୂଜା ଠିକ୍‌ ହୋଇ ଗୋଆରେ ରହୁଛନ୍ତି ।

MovieMagic

ସୁସ୍ଥ ହେବା ପରେ ସେ କହିଛନ୍ତି,‘ମୁଁ କହି ପାରିବି ନାହିଁ ମୁଁ କେମିତି ଅନୁଭବ କରୁଛି । ମାର୍ଚ୍ଚ ୨ରେ ଡ଼ାକ୍ତରଖାନାରେ ଭର୍ତ୍ତି ହେବା ପରେ ମୁଁ ମରିଯିବି ବୋଲି ଭାବିଥିଲି । ମୋ ସାଙ୍ଗ ଏବଂ ପରିବାର ଲୋକେ ମୋ ହାତ ଛାଡ଼ି ଦେଇଥିଲେ । ମୁଁ ଭାବି ପାରୁ ନ ଥିଲି ମୋ ସହ ଆଗକୁ କ’ଣ ହେବ । ଏଭଳି ପରିସ୍ଥିତିରେ ସଲମାନ ମୋତେ ସାହାଯ୍ୟର ହାତ ବଢ଼ାଇଥିଲେ । ଖାଇବା ପିନ୍ଧିବାଠାରୁ ଗାଧୋଇବା ସାବୁନ ପର୍ଯ୍ୟନ୍ତ ସବୁର ଖର୍ଚ୍ଚ ଉଠାଇଥିଲା ସଲମାନଙ୍କ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ । ଆଜି ଯଦି ମୁଁ ବଞ୍ଚିଛି କେବଳ ସଲମାନଙ୍କ ପାଇଁ ବଞ୍ଚିଛି।’

ସମ୍ବନ୍ଧିତ ଖବର