ନବୀନଙ୍କ ପରେ ନିର୍ବାଚନ କମିସନଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ : ପାଟକୁରା ମତଦାନ ତାରିଖ ପରିବର୍ତ୍ତନ ନ କରିବାକୁ ଦାବି

ନୂଆଦିଲ୍ଲୀ: ଆଜି ଭାରତୀୟ ନିର୍ବାଚନ କମିସନଙ୍କୁ ଭେଟିଛି ଓଡ଼ିଶା ବିଜେପି ପ୍ରତିନିଧି ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଇସିଆଇଙ୍କୁ ଭେଟିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଆସି ବାତ୍ୟା ଫନିର ପ୍ରଭାବ ହେତୁ ପାଟକୁରାରେ ମତଦାନ ଘୁଞ୍ଚାଇବା ଲାଗି ଇସିଆଇଙ୍କୁ ସାକ୍ଷାତ କରିବା ପରେ ଆଜି ବିଜେପି ପ୍ରତିନିଧି ଦଳ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟି ପାଟକୁରା ନିର୍ବାଚନ ତାରିଖ ନ ଘୁଞ୍ଚାଇବା ଲାଗି ଦାବି କରିଛନ୍ତି।

ଏ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି, ପାଟକୁରା ନିର୍ବାଚନରେ ପରାଜୟ ଭୟରେ ତାରିଖ ଘୁଞ୍ଚାଇବାକୁ ବାତ୍ୟାର ନାଁ ନେଇ ଚାପ ପକାଇବାକୁ ଚେଷ୍ଟା କରୁଛି ବିଜେଡି । କାରଣ ବାତ୍ୟା ‘ଫୋନି’ର ଲ୍ୟାଣ୍ଡଫଲ୍ ପାଟକୁରା ଠାରୁ ୧୦୦ କିଲୋମିଟର ଦୂରରେ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ହେଲେ ବିଜେଡି ପାଟକୁରାରେ ପରାଜୟ ଭୟରେ ଏଭଳି ଚାପ ପକାଇବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ବିରୋଧରେ ମଧ୍ୟ ଇସିଆଇଙ୍କୁ ଅବଗତ କରାଇଛି । କାରଣ ରାଜ୍ୟରେ ହୋଇଥିବା ୪ଟି ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପକ୍ଷପାତିତା କରିଛନ୍ତି । ସେ ଜଣେ ସବୁଠାରୁ ଅଧିକ ପକ୍ଷପାତିତା କରୁଥିବା ଅଫିସର ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଇସିଆଇଙ୍କୁ ଅବଗତ କରାଇଥିଲୁ ଆଉ ଆଜି ମଧ୍ୟ ଦିଲ୍ଲୀ  ଆସି କମିସନର ସୁନିଲ ଅରୋରାଙ୍କୁ ଅବଗତ କରାଇଛୁ ।

ସମ୍ବନ୍ଧିତ ଖବର