ଇଭିଏମରେ ରହିପାରିବ ୩୮୪୦ ଭୋଟ୍‌

୧୯୮୨ରେ ପ୍ରଥମେ କେରଳରୁ ଆରମ୍ଭ ହୋଇଥିଲା ଇଭିଏମ ବ୍ୟବହାର

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ। ୭ଟି ପର୍ଯ୍ୟାୟରେ ଏହି ଭୋଟ୍ ହେବାକୁ ଯାଉଛି। ଭୋଟଦାତାମାନେ ‌ଇଲେକଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ମାଧ୍ୟମରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ୨୦୦୪ ଲୋକସଭା ନିର୍ବାଚନରେ ଦେଶର ସମସ୍ତ ପୁଲିଂ ବୁଥ୍‌ରେ ନିର୍ବାଚନ ପାଇଁ ୧୦ ଲକ୍ଷ ୭୫ ହଜାର ଇଭିଏମ ବ୍ୟବହାର ହୋଇଥିଲା। ସେବେଠାରୁ ସବୁ ନିର୍ବାଚନ ଇଭିଏମରେ ପରିଚାଳିତ ହୋଇଆସୁଛି। ଇଭିଏମ ସମ୍ପର୍କରେ କେତୋଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏଠାରେ ପ୍ରଦାନ କରାଯାଇଛି। ଇଭିଏମରେ ଦୁଇଟି ୟୁନିଟ୍‌ ରହିଥାଏ। ଗୋଟିଏ ହେଲା କଣ୍ଟ୍ରୋଲ ୟୁନିଟ୍ ଓ ଅନ୍ୟଟି ହେଲା ବ୍ୟାଲଟିଂ ୟୁନିଟ୍। ଏହି ଦୁଇଟି ୟୁନିଟ୍‌କୁ ଗୋଟିଏ କେବୁଲ୍ ଦ୍ବାରା ସଂଯୋଗ କରାଯାଇଥାଏ। କଣ୍ଟ୍ରୋଲ ୟୁନିଟଟି ପୁଲିଂ ଅଫିସରଙ୍କ ପାଇଁ ରଖାଯାଇଥିବାବେଳେ ବ୍ୟାଲଟିଂ ୟୁନିଟଟି ଭୋଟଦାନ ପାଇଁ ଏକ ନିବୁଜ ସ୍ଥାନ ମଧ୍ୟରେ ରଖାଯାଇଥାଏ। ନିର୍ବାଚନ ମଇଦାନରେ ଯଦି ପ୍ରାର୍ଥୀଙ୍କ ସଂଖ୍ୟା ୬୪ରୁ ଅଧିକ ହୋଇ ନଥାଏ ତାହେଲେ ଇଭିଏମ୍ ବ୍ୟବହାର କରାଯାଇ ପାରିବ। ଗୋଟିଏ ଇଭିଏମରେ ସର୍ବାଧିକ ୩୮୪୦ଟି ଭୋଟ ରେକର୍ଡ ହୋଇପାରିବ। ମତଦାନ ଶେଷ ହେବା ପରେ ଇଭିଏମରୁ ତୁରନ୍ତ ଫଳାଫଳ ଜାଣିବା ବ୍ୟବସ୍ଥା ରହିଛି।‌ କେଉଁ ପ୍ରାର୍ଥୀଙ୍କୁ କେତେ ଭୋଟ ମିଳିଛି ତାହା ଜାଣିବା ପାଇଁ ଇଭିଏମ୍‌ରେ ଏକ ରେଜଲ୍ଟ ସୁଇଚ୍ ରହିଥାଏ। କଣ୍ଟ୍ରୋଲ ୟୁନିଟରେ ଏକ ସିଲ୍ ହୋଇଥିବା କମ୍ପାର୍ଟମେଣ୍ଟ ମଧ୍ୟରେ ଏହି ସୁଇଚ୍ ରହିଥାଏ। ଦେଶରେ ଦୁଇଟି ସଂସ୍ଥା ଦ୍ବାରା ଇଭିଏମ୍ ନିର୍ମାଣ ହୋଇଥାଏ। ସେହି ଦୁଇଟି ସଂସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛନ୍ତି। ଗୋଟିଏ ହେଲା ଭାରତ ଇଲେକଟ୍ରୋନିକ୍ସ ଲିମିଟେଡ ଏବଂ ଅନ୍ୟଟି ହେଲା ଇଲେକଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ। ୧୯୮୨ ମସିହାରେ କେରଳର ପାରୁର ନିର୍ବାଚନମଣ୍ଡଳୀରେ ହୋଇଥିବା ଏକ ଉପନିର୍ବାଚନରେ ପ୍ରଥମେ ୫୦ଟି ବୁଥ୍‌ରେ ଇଭିଏମ ବ୍ୟବହାର ହୋଇଥିଲା। କିନ୍ତୁ ୧୯୮୩ ମସିହାରେ ସୁପ୍ରିମକୋର୍ଟ ଏ ନେଇ ଏକ ରାୟ ଦେବା ପରେ ଇଭିଏମ କିଛିବର୍ଷ ପାଇଁ ବ୍ୟବହାର ହୋଇ ପାରି ନଥିଲା। ସରକାର ୧୯୮୮ ମସିହାରେ ସଂସଦରେ ଏକ ଆଇନ ସଂଶୋଧନ କରିବା ପରେ ନିର୍ବାଚନ କମିସନ ଭୋଟିଂ ମେସିନ୍ ବ୍ୟବହାର କରିବାକୁ ସକ୍ଷମ ହୋଇଥିଲେ। ବିଜୁଳି ନଥିବା ସ୍ଥାନରେ ମଧ୍ୟ ଇଭିଏମ୍ ବ୍ୟବହାର ହୋଇପାରିବ। କାରଣ ଇଭିଏମଗୁଡ଼ିକୁ ଆଲକାଲାଇନ୍ ବ୍ୟାଟେରିରେ ବି ପରିଚାଳିତ କରାଯାଇପାରିବ।

ସମ୍ବନ୍ଧିତ ଖବର