ବିଜାତଳା ଉପନିର୍ବାଚନ ପରେ ରୋଚକ ସ୍ଥିତିରେ ସାରସକଣା

ରାଇରଙ୍ଗପୁର(ଅସୀମ ମହାପାତ୍ର): ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ନିର୍ବାଚନୀ ମଇଦାନ ବେଶ୍ ରୋମାଞ୍ଜକର ହେବାକୁ ଯାଉଛି। ବିେଶଷକରି ସାଧାରଣ ନିର୍ବାଚନ ପୂର୍ବରୁ ବିଜାତଳା ବ୍ଲକ ୩୨ନଂ. ଜିଲ୍ଲା ପରିଷଦ ଜୋନ ଉପନିର୍ବାଚନରେ ବିଜେଡି ବୃହତ୍ତ ବ୍ୟବଧାନରେ ବିଜୟୀ ହେବା ପରେ ଜିଲ୍ଲା ରାଜନୀତିରେ ସମୀକରଣ କିଛିଟା ବଦଳିଛି। ଗତ ପଞ୍ଚାୟତ ନିର୍ବାଚନରେ ମିଳିଥିବା ଝଟକାରୁ ବାହାରିବା ପାଇଁ ବିଜାତଳା ଉପନିର୍ବାଚନର ଫଳାଫଳ ଜିଲ୍ଲା ବିଜେଡିକୁ ଏକ ରାସ୍ତା ଦେଖାଇଥିଲା। ତେବେ ଏହି ଆସନରୁ ଆଗାମୀ ଦିନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଥିବା ବେଳେ ବିଜେଡି-ଜେଏମ୍ଏମ୍-ବିଜେପି ଦଳରୁ କାହାକୁ ଚେହେରା କରାଯାଉଛି, ତାହା ବେଶ୍ ଗୁରୁତ୍ବ ବହନ କରୁଛି। ତେବେ ତିନିଟି ପ୍ରମୁଖ ଦଳ ଏଠାରୁ ହେଭିୱେଟ୍ ନେତାଙ୍କୁ ମଇଦାନକୁ ଓହ୍ଲାଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଜେଏମ୍ଏମ୍ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ୍ ଏଥର ଯଶିପୁର ନିର୍ବାଚନ ମଣ୍ଡଳୀ ଛାଡ଼ି ସାରସକଣା ନିର୍ବାଚନ ମଣ୍ଡଳୀରୁ ରାଜନୈତିକ ଭାଗ୍ୟ ପରୀକ୍ଷା କରିବାକୁ ମନ ବଳାଇଛନ୍ତି। ୨୦୧୪ ନିର୍ବାଚନରେ ତତ୍କାଳୀନ ଜେଏମ୍ଏମ୍ ରାଜ୍ୟ ସଭାପତି ସୁଦାମ ମାରଣ୍ଡିଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାଦବ ହାଁସଦା ଦଳ ଛାଡ଼ି ବ‌ିଜେଡିକୁ ଆସିଥିଲେ। ସୁଦାମ ବାଙ୍ଗିରିପୋଷିରୁ ବିଜୟୀ ହୋଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବେଳେ ଭାଦବଙ୍କୁ ଦଳର ଗୋଟିଏ ଗୋଷ୍ଠୀ ବିରୋଧ ସତ୍ବେ ସାରସକଣା ଆସନରୁ ବିଜୟୀ ହୋଇଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଜିଲ୍ଲାଯାକରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଜାତଳା ଉପନିର୍ବାଚନରେ ବୃହତ୍ତ ବ୍ୟବଧାନରେ ବିଜୟ ଭାଦବଙ୍କୁ ଅଧିକ ସୁଦୃଢ଼ କରି ଗଢ଼ି ତୋଳିଥିଲା। ୨୦୧୪ ନିର୍ବାଚନରେ ବିଜେଡିର ଏହି ଗୋଷ୍ଠୀ ଭାଦବଙ୍କୁ ବିରୋଧ କରି ଜେଏମ୍ଏମ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କୁ ଭିତିରେ ସମର୍ଥନ କରିଥିଲେ। ଜେଏମ୍ଏମ୍ ପ୍ରାର୍ଥୀ ଶ୍ରୀ ମୁର୍ମୁ ମଧ୍ୟ ବିଜେଡି ପ୍ରାର୍ଥୀ ଭାଦବଙ୍କ ଠାରୁ ଅଳ୍ପକେ ହାରିଯାଇଥିଲେ। ଏଥର ମଧ୍ୟ ବିଜେଡିର ଗୋଳିଆପାଣିରେ ସକୀକରଣ ବିଗାଡ଼ିବାକୁ ଜେଏମ୍ଏମ୍ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍ ଆଖି ରଖିଛନ୍ତି। ମହେଶଙ୍କୁ ପରବର୍ତ୍ତୀ ସମୟରେ ସାରସକଣା ରାଜନୀତିରେ କେତେଟା ସଫଳତା ମିଳିବ ତାହା ସମୟ ହିଁ କହିବ।

ଅନ୍ୟପକ୍ଷରେ ବିଜେପି ମଧ୍ୟ ଏହି ଆସନରୁ ନୂଆ ଓ ସ୍ବଚ୍ଛ ଚେହେରାକୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ମିଳିଥିବା ଭୋଟବ୍ୟାଙ୍କକୁ ପରବର୍ତ୍ତୀ ସମୟରେ ଧରି ରଖିବାରେ ଦଳୀୟ ନେତୃତ୍ବ ଏତେଟା ସଫଳ ହୋଇନାହାନ୍ତି। ବିଜେପି ଟିକେଟ୍ ଦୌଡ଼ରେ ଡା. ବୁଢ଼ାନ ମୁର୍ମୁଙ୍କ ନାମ ଚର୍ଚ୍ଚାରେ ଆଗୁଆ ରହିଛି। ସାରସକଣାରେ ଡାକ୍ତର ଥିବା ବେଳଠୁ ବୁଢ଼ାନ ସମାଜସେବା ସହିତ ଜଡ଼ିତ ଥିଲେ। ବିଶୋଇରୁ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେପି ରାଜ୍ୟ ଆଦିବାସୀ ମୋର୍ଚ୍ଚାର ନେତା ଗୁରୁବା ମୁର୍ମୁଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସେହିପରି ବିଜାତଳା ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ ଡମାନ ମୁର୍ମୁ ମଧ୍ୟ ବିଜେପି ସଂଗଠନ କାର୍ଯ୍ୟରେ ଜଡ଼ିତ ଥିବା ବେଳେ ଆଶାୟୀ ଦୌଡ଼ରେ ରହିଛନ୍ତି। ଗତ ୨୦୦୯ ମସିହାରେ ବିଜେଡିର ତତ୍କାଳୀନ ସହଯୋଗୀ ଦଳ ଏନସିପିରୁ ରାମଚନ୍ଦ୍ର ହାଁସଦା ସାରସକଣାରୁ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ରାମଚନ୍ଦ୍ର ବିଜେଡିରେ ମିଶିବା ପରେ ୨୦୧୪ ମସିହାରେ ବିଜେଡି ଟିକେଟରେ ମୟୂରଭଞ୍ଜ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଜିତିବାର କିଛି ମାସ ପରେ ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ରାମଚନ୍ଦ୍ରଙ୍କୁ ସିବିଆଇ ଗିରଫ କରିଥିଲା। ରାମଚନ୍ଦ୍ରଙ୍କ ନିକଟତର ଥିବା ବିଜାତଳା ବ୍ଲକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ ମଧ୍ୟ ବିଜେଡିରୁ ଆଶାୟୀ ଦୌଡ଼ରେ ରହିଛନ୍ତି। ବିଜେଡି ଆଶାୟୀଙ୍କ ଦୌଡ଼ରେ ମହିଳା ପ୍ରାର୍ଥୀ ଭାବେ ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରୀ ହାଁସଦାଙ୍କ ନାଁ ଚର୍ଚ୍ଚାରେ ରହିଛି।  ସେହିପରି ଅନ୍ୟ ଆଶାୟୀ ଦୌଡ଼ରେ ବିଶୋଇ ବ୍ଲକ ଖଡ଼ମବେଡ଼ା ସରପଞ୍ଚ ଅମର ସିଂ ଟୁଡୁ, ବିଶୋଇ ପଞ୍ଚାୟତରୁ ହରମୋହନ ନାଏକ, ବିଶୋଇ ବ୍ଲକ ବିଜେଡି ସଭାପତି ଫାଗୁରାମ ମାର୍ଣ୍ଡି ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର