ନାମାଙ୍କନ ଦାଖଲ କଲେ ବଦ୍ରି ପାତ୍ର

ଆନନ୍ଦପୁର: ଘସିପୁରାରୁ ବିଜେଡି ପ୍ରାର୍ଥୀଭାବେ ବଦ୍ରିନାରାୟଣ ପାତ୍ର ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶ୍ରୀ ପାତ୍ର ନିଜ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଶାଳପଡ଼ାରୁ ବାହାରିଥିଲେ। ଦିନ ସାଢ଼େ ୧୨ଟା ବେଳେ ଶ୍ରୀ ପାତ୍ର ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦୁଇସେଟ୍ ନାମାଙ୍କନପତ୍ର ଦାଖଲ କରିଥିଲେ। ଶ୍ରୀ ପାତ୍ରଙ୍କ ସହ ବିଜେଡି ଜିଲ୍ଲା ସଭାପତି ବିମ୍ବାଧର ବିଶ୍ବାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ, ଘସିପୁରା ବ୍ଲକ ବିଜେଡି ସଭାପତି ବଳରାମ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ଯୁବ ବିଜେଡି ସଭାପତି ଲିପୁନ୍ ନାୟକ, ନଗର ସଭାପତି ରମାକାନ୍ତ ବେହେରା, ଦେବପ୍ରିୟ ପାତ୍ର, ସଂଜୟ ମିଶ୍ର ସାମିଲ ହୋଇଥିଲେ। ସେହିପରି ଘସିପୁରାର ବିଜେପି ପ୍ରାର୍ଥୀ ପୃଥ୍ବୀରାଜ କୁଅଁର ଆଜି ଗୋଟିଏ ସେଟ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆସନ୍ତା ୪ ତାରିଖରେ ସେ ନିଜ ସମର୍ଥକଙ୍କ ଗହଣରେ ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି। ସେହପରି କଳିଙ୍ଗସେନାର ପ୍ରାର୍ଥୀଭାବେ ଜଗବନ୍ଧୁ ମହାନ୍ତ ମଧ୍ୟ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ସେଟ୍ ନାମାଙ୍କନପତ୍ର ଦାଖଲ କରିଥିଲେ। ଆନନ୍ଦପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ, ଘସିପୁରା ତହସିଲଦାର ରାମଚନ୍ଦ୍ର ଜେନା, ଘଟଗାଁ ବିଡିଓ ତ୍ରିଲୋଚନ ମହାନ୍ତି ନାମାଙ୍କନ ଦାଖଲ ପ୍ରକ୍ରିୟା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର