ବ୍ରହ୍ମପୁର ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କରଙ୍କ ଜାମିନ ଖାରଜ

କଟକ: ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ ପି˚ଟୁଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦାଶଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ସାକ୍ଷୀଙ୍କୁ ଧମକ ଆଶଙ୍କା ଓ ସାକ୍ଷ୍ୟ ପ୍ରଭାଣ ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଜାମିନ ଆବେଦନ ଖାରଜ ହୋଇଥିବା ପ୍ରକାଶିତ ରାୟରୁ ସ୍ପଷ୍ଟ ହୋଇଛି। ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ୨୦୧୭, ନଭେମ୍ବର ୨୫ରେ ଅନନ୍ତ ଦାସ ନାମକ ବ୍ୟକ୍ତି ହାଜର ହୋଇ ଲିଖିତ ଅଭିଯୋଗ କରିଥିଲେ ଯେ ଆବେଦନକାରୀ ଓ ଓ ତାଙ୍କ ସହଯୋଗୀ ଜୋର ଜବରଦସ୍ତ ଏକ ଖାଲି କାଗଜରେ ତାଙ୍କ ଦସ୍ତଖତ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ଜାଲିଆତି କରି ତାଙ୍କ ଜମି ବିକ୍ରି କରାଯାଇଛି। ଏ ନେଇ ଗୋଳନ୍ଥରା ଥାନାରେ ରଜୁ ମାମଲା‌ର ତଦନ୍ତ ପରେ ପୁଲିସ ଆବେଦନକାରୀ ଓ ଅନ୍ୟ ୯ଜଣଙ୍କ ବିରୋଧରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୫୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦-ଖ, ୩୪, ଏସଇ ଅଣ୍ଡ ଏସଟି (ପିଏ) ଆଇନର ଧାରା ୩ ଓ ଆର୍ମସ ଆକ୍ଟର ଧାରା ୨୫ ଓ ୨୭ରେ ୨୦୧୮, ମେ ୧୫ରେ ଚାର୍ଜସିଟ ଦାଖଲ କରିଥିଲା। ଆବେଦନକାରୀଙ୍କୁ ଏହି ମାମଲାରେ ୨୦୧୮, ଜାନୁଆରି ୧୮ରେ ଗିରଫ କରାଯାଇଥିବା ବେଳେ ୨୦୧୮, ଜୁଲାଇ ୨୦ରେ ଗଞ୍ଜାମ ସ୍ବତନ୍ତ୍ର ଅଦାଲତ ତାଙ୍କ ଜାମିନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଗୋଳନ୍ଥରା ଥାନାର ଆଇଆଇସିଙ୍କ ସତ୍ୟପାଠ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ଆବେଦନକାରୀଙ୍କ ବିରୋଧରେ ୫୩ଟି ମାମଲା ରୁଜୁ ହୋଇଥିବା ବେଳେ ୧୩ଟିରେ ସେ ନିର୍ଦ୍ଦୋଷରେ ଖାଲାସ ହୋଇଛନ୍ତି। ଗୋଟିଏ ମାମଲା ବନ୍ଦ କରାଯାଇଛି। ଅବଶିଷ୍ଟ ମାମଲାରୁ କେତେକର ତଦନ୍ତ ଚାଲିଥିବା ବେଳେ କେତେକ ବିଚାରାଧୀନ ରହିଛି। ଏଥିରୁ ଦୁଇଟିରେ ଏ ପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳି ନାହିଁ।

ସମ୍ବନ୍ଧିତ ଖବର