ଭଦ୍ରକ ଲୋକସଭା: ମଇଦାନରେ ୩ ନବାଗତ

ଭଦ୍ରକ: ୨୦୧୯ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଭଦ୍ରକ ଜିଲ୍ଲା। ନିର୍ବାଚନ ପୂର୍ବରୁ ଭଦ୍ରକର ରାଜନୈତିକ ସମୀକରଣ ସବୁ ଓଲଟପାଲଟ ହୋଇଯାଇଛି। କେଉଁ ଦଳରୁ କିଏ ଟି‌େକଟ ପାଇବେ ଏହାକୁ ନେଇ ଦଳୀୟ ନେତା ଓ କର୍ମୀ ଯାହା ଭାବୁଥିଲେ, ଏବେ ତାର ଓଲଟା ଫଳ ଦେଖିବାକୁ ମିଳିଛି। ଏଭଳି ଟି‌େକଟ ବଣ୍ଟନକୁ ଦେଖି ଅନେକ ନେତା ଓ କର୍ମୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଅନ୍ୟ ଦୃଷ୍ଟିରେ ଦେଖିଲେ ଏଥର ଭଦ୍ରକର ଲୋକସଭା ଆସନରେ ତିନିଟି ଯାକ ପ୍ରମୁଖ ଦଳ ରାଜନୀତିରେ ସଂପୂର୍ଣ୍ଣ ଭାବେ ନୂଆ ଚେହେରାଙ୍କୁ ମଇଦାନକୁ ଆଣିଛନ୍ତି। ଦୀର୍ଘ ପାଞ୍ଚ ଦଶନ୍ଧିର ରାଜନୈତିକ ଜୀବନ ବିତାଇଥିବା ପୁରୁଖା ବିଜେଡି ନେତା, ଦଳର ଜିଲ୍ଲା ସଭାପତି ତଥା ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ଏଥର ଦଳ ଆଉ ଟିକଟ ଦେଲା ନାହିଁ କି ତାଙ୍କ ପୁତ୍ର ଅଭିମନ୍ୟୁ ସେଠୀଙ୍କୁ ବି ଟି‌େକଟ ଦେଲା ନାହିଁ। ବିଜେଡିର ଏଭଳି ଆଭିମୁଖ୍ୟକୁ ବିରୋଧ କରି ଶେଷରେ ବାଧ୍ୟ ହୋଇ ଅର୍ଜୁନ ଓ ତାଙ୍କ ପୁତ୍ର ଅଭିମନ୍ୟୁ ଶଙ୍ଖ ଛାଡି ବିଜେପି ଶିବିରକୁ ଯାଇ ପଦ୍ମ ଧରିଛନ୍ତି। ଆଉ ପ୍ରାର୍ଥୀ ଖୋଜୁଥିବା ବିଜେପି ମଧ୍ୟ ନବାଗତ ଅଭିମନ୍ୟୁଙ୍କୁ ନେଇ ଭଦ୍ରକ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ କରିଛି। ବିଜେପି ଅଭିମନ୍ୟୁଙ୍କୁ ନେଇ ନିର୍ବାଚନ ମଇଦାନରେ ନିଜର ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ଅଭିମନ୍ୟୁ ମଧ୍ୟ ନିଜର ରାଜନୈତିକ କ୍ୟାରିୟର ଏକ ଜାତୀୟ ଦଳରୁ ଆରମ୍ଭ କରିଥିବାରୁ ବେଶ୍ ଖୁସି ଅଛନ୍ତି।

ସେହିପରି ଭଦ୍ରକ ଲୋକସଭା କ୍ଷେତ୍ରରେ କଂଗ୍ରେସ ମଧ୍ୟ ପଛରେ ପଡି ନାହିଁ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଝିଅ ଇଂ ମଧୁମିତା ସେଠୀ ରାଜନୀତିରେ ସଂପୂର୍ଣ୍ଣ ନୂଆ ଚେହେରା ଭାବେ ମଇଦାନକୁ ଓହ୍ଲାଇଛନ୍ତି। ରାଜନୀତିରେ ନୂଆ ହେଲେ ମଧ୍ୟ ମଧୁମିତା କିନ୍ତୁ ଏକ ପୋଖତ ରାଜନୈତିକ ପରିବାର ଝିଅ। ବାପା ଅନନ୍ତ ଥିଲେ ଏକଦା ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଏକାନ୍ତ ଅନ୍ତରଙ୍ଗ। ପିଲାଟି ଦିନରୁ ବାପାଙ୍କର ରାଜନୈତିକ ଜୀବନ ଦେଖିଛନ୍ତି ମଧୁମିତା। କଂଗ୍ରେସ ଦଳ ତାଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ପ୍ରାର୍ଥୀ କରିଥିବାରୁ ସେ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି। ନିର୍ବାଚନରେ ମଧୁମିତାଙ୍କୁ ନେଇ ଏକ ନୂଆ ଫର୍ମୁଲାରେ ଗୋଟିଚାଳନା ଆରମ୍ଭ କରିଛି। ଅପରପକ୍ଷରେ ବିଜେଡି ଅର୍ଜୁନଙ୍କ ବୟସାଧିକ କାରଣରୁ ଦଳ ଏଥର ଆଉ ତାଙ୍କୁ ଟିକଟ ନଦେଇ ରାଜନୀତିରେ ଆଉ ଏକ ନୂଆ ଚେହେରା ମଂଜୁଲତା ମଣ୍ଡଳଙ୍କୁ ଭଦ୍ରକ ଲୋକସଭା ପାଇଁ ପ୍ରାର୍ଥୀ କରିଛି। ରାଜନୈତିକ ମଇଦାନରେ ସିନା ମଂଜୁଲତା ନୂଆ କିନ୍ତୁ ଏକ ବିଚକ୍ଷଣ ରାଜନେତା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କର ସେ ଧର୍ମପତ୍ନୀ। ମଂଜୁଲତା ସ୍ବାମୀଙ୍କ ସହ ଦୀର୍ଘ୍ୟ ୨୫ ବର୍ଷ ଧରି ରାଜନୈତିକ କାର୍ଯ୍ୟ କରିଛନ୍ତି। ସ୍ବାମୀଙ୍କ ନିର୍ବାଚନ ବେଳେ ପ୍ରଚାର ମଙ୍ଗ ବି ଧରିଛନ୍ତି। ବିଜେଡି ମଧ୍ୟ ନବାଗତ ମଂଜୁଲତାଙ୍କୁ ନେଇ ଏଥର ନିର୍ବାଚନ ବୈତରଣୀ ପାର ହେବା ପାଇଁ ନୂଆ ଫର୍ମୁଲା ଆରମ୍ଭ କରି ଦେଇଛି। ଆସନ୍ତା ଏପ୍ରିଲ ଆଠ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଏଇ ତିନି ନୂଆ ପ୍ରାର୍ଥୀ ନିଜର ନିଜର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଆଗାମୀ ଦିନରେ ଭଦ୍ରକରେ ନାରୀଶକ୍ତିର ବିଜୟ ହେଉଛି ନା ପୁରୁଷ ଶକ୍ତିର ପରାକାଷ୍ଠା ଦେଖିବାକୁ ମିଳୁଛି, ତାହାକୁ ନେଇ ରାଜନୈତିକ ମହଲରେ ଚାଲିଛି ଚର୍ଚ୍ଚା। ତାହାକୁ ନେଇ ମଧ୍ୟ ଭଦ୍ରକ ରାଜନୀତି‌ ଚଞ୍ଚଳ ‌େହାଇଉଠିଛି।

ସମ୍ବନ୍ଧିତ ଖବର