ପ୍ରଚାରର ପ୍ରମୁଖ ମାଧ୍ୟମ ଇନଷ୍ଟାଗ୍ରାମ୍‌, ତେଲେଙ୍ଗାନାରେ ଇନଷ୍ଟା ଟ୍ରେଣ୍ଡ୍‌ ଆଗରେ

ହାଇଦ୍ରାବାଦ୍‌: ଫେସବୁକ୍‌ ନୁ‌ହେଁ କି ଟ୍ବିଟର ନୁହେଁ ଏଥର ପ୍ରଚାରର ପ୍ରମୁଖ ମାଧ୍ୟମ ପାଲଟିଛି ଇନଷ୍ଟାଗ୍ରାମ୍‌। ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ସୋସିଆଲ ମିଡିଆକୁ ନିର୍ବାଚନୀ ପ୍ରଚାର ପାଇଁ ବ୍ୟବହାର କରିବା କିଛି ନୂଆ କଥା ନୁ‌ହେଁ। କିନ୍ତୁ ଏଥର ଇନଷ୍ଟାଗ୍ରାମ୍‌ ପ୍ରଚାରର ମୁଖ୍ୟ ଆକର୍ଷଣ ପାଲଟିଛି। ଯୁବପିଢ଼ିଙ୍କୁ ଆକର୍ଷିତ କରିବାପାଇଁ ବିଶେଷ କରି ସ୍ବାଧୀନ ପ୍ରାର୍ଥୀମାନେ ଇନଷ୍ଟାଗ୍ରାମ୍‌ରେ ପ୍ରଚାର କରୁଥିବା ଜଣାପଡ଼ୁଛି। ତେବେ ତେଲେଙ୍ଗାନାରେ ଏହି ଇନଷ୍ଟା ଟ୍ରେଣ୍ଡ୍‌ ସବୁଠୁ ଆଗରେ ରହିଛି। ଟିଆରଏସ ପ୍ରାର୍ଥୀ ରଂଜିତ ରେଡ୍ଡି ତେଲେଙ୍ଗାନାର ଚେବେଲ୍ଲା ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ସେ ଇନଷ୍ଟାଗ୍ରାମ୍‌ରେ ତାଙ୍କ ପ୍ରଚାର ଆରମ୍ଭ କରିଛନ୍ତି। ରଂଜିତଙ୍କ ଝିଅ ପୁଜା ରେଡ୍ଡି ବାପାଙ୍କ ପାଇଁ ଇନଷ୍ଟାଗ୍ରାମ୍‌ରେ ପ୍ରଚାର ଆରମ୍ଭ କରିଛନ୍ତି। ପୂଜାଙ୍କ କହିବା ଅନୁଯାୟୀ ଚେବେଲ୍ଲାରେ ଦେଢ଼ ଲକ୍ଷ ନୂଆ ଭୋଟର ଅଛନ୍ତି ଏବଂ ଇନଷ୍ଟାଗ୍ରାମ୍‌ରେ ଅଧିକ ସଂଖ୍ୟାରେ ଯୁବ ବର୍ଗ ରହୁଥିବାରୁ ଏହା ପ୍ରଚାରର ଉତ୍କୃଷ୍ଟ ମାଧ୍ୟମ ହୋଇଛି। ଗତ ମାର୍ଚ୍ଚ ୮ରେ ରଂଜିତ ଇନଷ୍ଟାଗ୍ରାମ୍‌ରେ ପ୍ରଥମ ପୋଷ୍ଟ୍‌ କରିଥିବାବେଳେ ଏବେ ତାଙ୍କର ୨୬୦ ଅନୁଗାମୀ ଅଛନ୍ତି। ସେହିପରି ଗତ ୬ ଦିନ ପୁ‌ର୍ବେ ଇନଷ୍ଟାରେ ପ୍ରଚାର ଆରମ୍ଭ କରିଥିବା ଅନ୍ୟ ଜଣେ ଟିଆରଏସ୍‌ ସଦସ୍ୟ କୋଥା ପ୍ରଭାକର ରେଡ୍ଡିଙ୍କ ଅନୁଗାମୀ ସଂଖ୍ୟା ଏବେ ୧୩୦। ଅନ୍ୟପକ୍ଷେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ନିଜାମାବାଦ୍‌ ସାଂସଦ କବିତା ଗତ ଅଗଷ୍ଟ ୨୦୧୮ରେ ତାଙ୍କ ଇନଷ୍ଟାଗ୍ରାମ୍‌ ‌ପେଜ୍‌ ଆରମ୍ଭ କରିଥିବାବେଳେ ଏବେ ତାଙ୍କ ଅନୁଗାମୀ ସଂଖ୍ୟା ୬୧,୩୦୦ । ଜଣାପଡ଼ିଛି ଯେ ବାପା ମା’ଙ୍କ ପାଇଁ ସେମାନଙ୍କ ପୁଅ ଝିଅ ଇନଷ୍ଟାଗ୍ରାମ୍‌ରେ ଅଧିକାଂଶ ସମୟରେ ଅପଡେଟ୍‌ ରହୁଛନ୍ତି। ହାଇଦ୍ରାବାଦ୍‌ ସାଂସଦ ଅସାଦଉଦ୍ଦିନ୍‌ ଅୱେସି ମଧ୍ୟ ଇନ‌ଷ୍ଟାରେ ସକ୍ରିୟ ଅଛନ୍ତି। ଖୁବ୍‌ ନିକଟରେ ଇନ‌ଷ୍ଟା ଲଞ୍ଚ୍‌ କରିଥିବା ଅୱେସିଙ୍କ ଅନୁଗାମୀ ସଂଖ୍ୟା ୯,୫୦୦। ଅନ୍ୟପ‌କ୍ଷେ ଫେସବୁକ୍‌ରେ ତାଙ୍କ ଅନୁଗାମୀ ସଂଖ୍ୟା ୨.୫ ମିଲିଅନ୍‌। କଂଗ୍ରେସ ପ୍ରାର୍ଥୀ ଫିରୋଜ୍‌ ଖାନ୍‌ ମଧ୍ୟ ଗତ ବର୍ଷ ନଭେମ୍ବରେ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ଖୋଲିଥିବାବେଳେ ଏବେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୧୬୩।

ସମ୍ବନ୍ଧିତ ଖବର