୨୨ରେ ସିଇସି ବୈଠକ: ଚୂଡ଼ାନ୍ତ ହେବ ସବୁ ପ୍ରାର୍ଥୀଙ୍କ ତାଲିକା

ମହିଳ‌ା, ଯୁବ ପ୍ରାର୍ଥୀଙ୍କୁ ମିଳିବ ଅଗ୍ରାଧିକାର

ନୂଆଦିଲ୍ଲୀ/ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ଦଳ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ବାଦ୍‌ ପ୍ରଥମ ୨ଟି ପର୍ଯ୍ୟାୟର ନିର୍ବାଚନ ପାଇଁ ଆହୁରି ଅନେକ ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା ବାକି। ତେବେ ଗତକ‌ାଲି ଘୋଷିତ ତାଲିକାରେ ଲୋକସଭା ଆସନ ପାଇଁ ଜଣେ ହେଲେ ବି ମହିଳା ପ୍ରାର୍ଥୀଙ୍କର ନାମ ନାହିଁ। ପୁରୁଣା ତଥା ଅଭିଜ୍ଞ ଦଳୀୟ ନେତା, ନବାଗତ, ଯୁବ ଓ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନରେ ଛିଡ଼ା କରାଇବା ପାଇଁ ଜୋରଦାର କସରତ ଚଳାଇଛି କଂଗ୍ରେସ। ଆସନ୍ତା ୨୨ ତାରିଖରେ ଏ ନେଇ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ବସିବ। ଏଥିରେ ପ୍ରାର୍ଥୀ ତାଲିକାର ରୂପରେଖ ଚୂଡ଼ାନ୍ତ ହେବ ବୋଲି ଦଳୀୟ ନେତୃବୃନ୍ଦ ଆଶାପ୍ରକାଶ କରୁଛନ୍ତି। ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ତାଲିକାରେ କୋରାପୁଟ ଲୋକସଭା ଆସନ ପାଇଁ କାହାରି ନାମ ଘୋଷଣା କରିନାହିଁ କଂଗ୍ରେସ। ଏହି ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ସପ୍ତଗିରି ଉଲାକା ଓ ମେରୀ ସୁରୀନଙ୍କ ନାମ ସିଇସିକୁ ସୁପାରିସ କରିଛି ସ୍କ୍ରିନିଂ କମିଟି। ଏ ନେଇ ମାନସ ମନ୍ଥନ କରୁଛି ସିଇସି। ଗତକାଲି ଅପରାହ୍ଣରେ ବିଜେଡି ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଘୋଷିତ ୯ଟି ଲୋକସଭା ଆସନରୁ ୩ଜଣ ମହିଳା ଅର୍ଥାତ୍‌ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ବ ଉପରେ ଗୁରୁତ୍ବ ଦେଉଛନ୍ତି। ଏହା କଂଗ୍ରେସର ଉଭୟ ସ୍କ୍ରିନିଂ କମିଟି ଓ କେନ୍ଦ୍ରୀୟ ନିର୍ବାଚନ କମିଟି ଉପରେ ଚାପ ପକାଇଛି। ଏସବୁ ବିଚାରକୁ ନେଲେ କୋରାପୁଟ ଲୋକସଭା ଆସନରେ କଂଗ୍ରେସ ମହିଳା ପ୍ରାର୍ଥୀଙ୍କୁ ଛିଡ଼ା କରାଇବାର ସମ୍ଭାବନା ଅଧିକ।

ମହିଳା ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଦୃଷ୍ଟିରୁ ପରବର୍ତୀ ପ୍ରାର୍ଥୀ ତାଲିକାରେ ଅଧିକ ସଂଖ୍ୟକ ମହିଳା ପ୍ରାର୍ଥୀଙ୍କ ନାମ ସୁପାରିସ କରିପାରେ ସିଇସି। କେବଳ କୋରାପୁଟ ନୁହେଁ, ଅନ୍ୟ ଆସନଗୁଡ଼ିକ ପାଇଁ ବି ଅଧିକ ସଂଖ୍ୟକ ମହିଳା, ଯୁବ ତଥା ନୂଆ ମୁହଁକୁ ନିର୍ବାଚନ ମଇଦାନରେ ଛିଡ଼ା କରାଇବାକୁ ବିଚାର ବିମର୍ଶ କରୁଛି କଂଗ୍ରେସ। ପୂର୍ବରୁ ସମସ୍ତ ବିଧାୟକଙ୍କୁ ପ୍ରାର୍ଥୀ କରିବାକୁ ସ୍କ୍ରିନିଂ କମିଟି ନିଷ୍ପତ୍ତି ନେବା ସହିତ ଏ ନେଇ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ମଧ୍ୟ ସୁପାରିସ କରିସାରିଛି। ବଲାଙ୍ଗୀର ଲୋକସଭା ଆସନ ପାଇଁ ନୂଆ ମୁହଁ ଭାବେ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରାଯିବା ଚର୍ଚା ହେଉଛି। ତେବେ ଏ ନେଇ ଦ୍ବନ୍ଦ୍ବ ସୃଷ୍ଟି କରିଛି ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକ। ଏଭଳି ଅନେକ ଲୋକସଭା ଓ ବିଧାନସଭା ଆସନ ପାଇଁ ରହିଛନ୍ତି ଅନେକ ଆଶାୟୀ। ସେମାନଙ୍କୁ ଟିକେଟ୍‌ ନ ମିଳିଲେ, ‌ଦଳ ବିରୋଧରେ ଘୋର ଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ୨୨ ତାରିଖରେ ବସୁଥିବା ବୈଠକରେ ଏଭଳି ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ କରି ସମସ୍ତ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର