କଂଗ୍ରେସ-ଜେଡିଏସ୍‌ ମେଣ୍ଟରେ ବିବାଦ ତୀବ୍ର

ଜେଡିଏସ୍‌ ବୈଠକରେ ମୋଦୀଙ୍କୁ ସମର୍ଥନ କରି ସ୍ଲୋଗାନ୍‌

ମହୀଶୁର: କଂଗ୍ରେସ-ଜେଡିଏସ୍‌ ମେଣ୍ଟରେ ଏବେ ତୀବ୍ର କନ୍ଦଳ ଲାଗି ରହିଛି। ରାଜ୍ୟର ଅନେକ ହାଇପ୍ରୋଫାଇଲ୍‌ ଆସନରେ ଜେଡିଏସ୍‌ କର୍ମୀମାନେ କଂଗ୍ରେସ ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ବେଳେ ଉଭୟ ଦଳର ନେତାଙ୍କ ମଧ୍ୟରେ ମତାନ୍ତର ବଢ଼ିଚାଲିଛି। ଗତକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଅଭିଯୋଗ କରିଥିଲେ ‌ଯେ ମାଣ୍ଡ୍ୟାରେ ନିର୍ବାଚନ ଲଢ଼ୁଥିବା ତାଙ୍କ ପୁଅ ନିଖିଳଙ୍କୁ ହରାଇବାପାଇଁ କଂଗ୍ରେସ ଚକ୍ରବ୍ୟୁହ ଚଳାଇଛି। ମାଣ୍ଡ୍ୟା ଆସନରେ ସ୍ବାଧୀନ ପ୍ରାର୍ଥୀଙ୍କୁ ଜିତାଇବାପାଇଁ କଂଗ୍ରେସ- ବି‌ଜେପି ହାତ ମିଳାଇଛନ୍ତି ବୋଲି କୁମାରସ୍ବାମୀ ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ଦଳର ବିଭିନ୍ନ ନିଷ୍ପତ୍ତି ଏବଂ ରଣନୀତିକୁ ବିରୋଧ କରି ଆଜି ଜେଡିଏସ୍‌ ବୈଠକରେ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରି ‌ସ୍ଲୋଗାନ୍‌ ଦେବା ଅଭାବନୀୟ ସ୍ଥିତି ସୃଷ୍ଟି କରିଥିଲା। ଉଲ୍ଲେଖଯୋଗ୍ୟ କର୍ଣ୍ଣାଟକରେ ସରକାର ଗଠନ କାଇଁ କଂଗ୍ରେସ ଜେଡିଏସ୍‌ ମେଣ୍ଟ କରିଥିଲେ ଏବଂ ଚଳିତ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ଉଭୟ ଦଳ ମେଣ୍ଟ କରିଛନ୍ତି। ରାଜ୍ୟରେ ଅର୍ଦ୍ଧାଧିକ ଆସନରେ କଂଗ୍ରେସ ଏବଂ ଜେଡିଏସ୍‌ କର୍ମୀଙ୍କ ମଧ୍ୟରେ ପ୍ରବଳ ଶତ୍ରୁତା‌ ଥିବାରୁ ସେମାନେ ଏକାଠି କାମ କରିବା ପାଇଁ ଆଗଭର ହେଉନାହାନ୍ତି। ଜେଡିଏସ୍‌ ମନ୍ତ୍ରୀ ଜିଟି ଦେବଗୌଡ଼ାଙ୍କ ତତ୍ତ୍ବାବଧାନରେ ହୋଇଥିବା ଏକ ବୈଠକରେ କର୍ମୀମାନଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବାପାଇଁ କୁହାଯାଇଥିଲେ ସୁଦ୍ଧା ସେମା‌ନେ ଏଥିପ୍ରତି କର୍ଣ୍ଣପାତ ନ କରିବା ଘଟଣା ଦଳକୁ ଘୋର ଅଡ଼ୁଆରେ ପକାଇଛି । କ୍ଷୁବ୍ଧ ଜେଡିଏସ୍‌ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ କ‌ଂ‌ଗ୍ରେସ ମାଣ୍ଡ୍ୟା ଏବଂ ହାସନ୍‌ରେ ମେଣ୍ଟ ଧର୍ମ ପାଳନ ନାହିଁ। କର୍ମୀମାନେ କହିଛନ୍ତି ଯେ ସେମାନେ କଂଗ୍ରେସ ନେତାଙ୍କ ଦ୍ବାରା ଅପମାନିତ ହେବାକୁ ଚାହୁନାହାନ୍ତି ଏବଂ କଂଗ୍ରେସ ଜେଡିଏସ୍‌ର ଶକ୍ତିରେ ଅନେକ ସ୍ଥାନରେ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର