ଓଡ଼ିଶାରେ କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ ଚୂଡ଼ାନ୍ତ, ୩ ବିଧାନସଭା ଆସନରେ ମେଣ୍ଟ ପ୍ରାର୍ଥୀ,

୨ ଆସନରେ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ‌

ବାରିପଦା: ଜାତୀୟ ସ୍ତରରେ ହୋଇଥିବା ମହାମେଣ୍ଟ ଆଧାରରେ ଓଡ଼ିଶାରେ ମଧ୍ୟ କଂଗ୍ରେସ-ଜେଏମ୍‌ଏମ୍‌ ମଧ୍ୟରେ ମେଣ୍ଟ ପ୍ରାୟତଃ ଚୁଡ଼ାନ୍ତ ହୋଇଛି। ଝାଡ଼ଖଣ୍ଡରେ ଉଭୟ ଦଳ ମଧ୍ୟରେ ମେଣ୍ଟ ଚୁଡ଼ାନ୍ତ ହେବା ପରେ ଓଡ଼ିଶାର ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି। ‌ଜେଏମ୍‌ଏମ୍‌କୁ ମୟୂରଭଞ୍ଜ ଲୋକସଭା ସମେତ ଜିଲ୍ଲାର ‌ବାଙ୍ଗିରିପୋଷି, ରାଇରଙ୍ଗପୁର ଏବଂ ସାରସକଣା ବିଧାନସଭା ଆସନକୁ ଜେଏମ୍‌ଏମ୍‌କୁ ଛାଡ଼ିଛି କଂଗ୍ରେସ। ଏହା ସହିତ ମୟୂରଭଞ୍ଜର ମୋରଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବିଧାନସଭା ଆସନରେ ଦୁଇ ଦଳ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ହେବା ନେଇ ଜେଏମ୍‌ଏମ୍‌ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍‌ ସୂଚନା ଦେଇଛନ୍ତି। ତେବେ ଏନେଇ ବିଦ୍ଧିବଧ ଘୋଷଣା ଆସନ୍ତା ୨୯ରେ ହେବ। ଭୁବନେଶ୍ବରରେ ଉଭୟ ଦଳ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏସମ୍ପର୍କରେ ଘୋଷଣା କରିବେ ବୋଲି ଶ୍ରୀ ହେମ୍ବ୍ରମ୍‌ ସୂଚନା ଦେଇଛନ୍ତି। ତେବେ ମୟୂରଭଞ୍ଜ ଲୋକସଭା ଆସନରେ ଜେଏମଏମ ପକ୍ଷରୁ ଦଳର ସୁପ୍ରି‌ମୋ ଶିବୁ ସୋରେନଙ୍କ କନ୍ୟା ଅଞ୍ଜନୀ ସୋରେନଙ୍କୁ ପ୍ରାର୍ଥୀ କରାଯିବା ଏକ ପ୍ରକାର ଚୁଡ଼ାନ୍ତ ହୋଇସାରିଛି।

ଜେଏମଏମକୁ ମୟୂରଭଞ୍ଜ ଲୋକସଭା ଆସନ
ଭୁବନେଶ୍ବରରେ ହେବ ମିଳିତ ସାମ୍ବାଦିକ ସମ୍ମିଳନୀ
ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇକୁ ନେଇ ଚର୍ଚ୍ଚା

ସେ ମେଣ୍ଟ ପ୍ରାର୍ଥୀ ହେବେ। ମାତ୍ର ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ଆସନ ମୋରଡ଼ାରେ ଉଭୟ ଦଳ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ କରିବେ। ଯାହାକି ଉଭୟ ଦଳକୁ ଦ୍ବନ୍ଦ୍ବରେ ପକେଇଛି। ସାଂସଦ ପ୍ରାର୍ଥୀ ମେଣ୍ଟରୁ ହୋଇଥିବା ବେଳେ ସଂସଦୀୟ କ୍ଷେତ୍ରର ‌ଏକ ଆସନରେ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ପୁରା ଜିଲ୍ଲାରେ ଉଭୟ ଦଳର କର୍ମୀଙ୍କୁ ଅଡ଼ୁଆରେ ପକେଇଛି। ଏହାକୁ ନେଇ ଜିଲ୍ଲା କଂଗ୍ରେସରେ କ୍ରମଶଃ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି। ଜିଲ୍ଲା କଂଗ୍ରେସର ଅନେକ ବରିଷ୍ଠ ନେତା ଏପରି ମେଣ୍ଟ ନୀତିକୁ ପସନ୍ଦ କରୁନଥିବା ଜଣାପଡ଼ିଛି। ଏନେଇ ପିସିସି ସଭାପତିଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଆସନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। କଂଗ୍ରେସ ନେତା ତଥା ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ ତିର୍କୀଙ୍କୁ ଏହି ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ତେଣୁ ଉଭୟ ଦଳ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ବେଶ୍‌ ରୋଚକ ହେବ ବୋଲି ଜଣାପଡ଼ିଛି। ତେବେ ବିଜେପିର ଗତିରୋଧ କରିବାକୁ ଜାତୀୟ ସ୍ତରରେ ହୋଇଥିବା ମହାମେଣ୍ଟ ଓଡ଼ିଶାରେ ପ୍ରଭାବୀ ଢଙ୍ଗରେ ହେଉନଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଜେଏମଏମ-କଂଗ୍ରେସ ମେଣ୍ଟ ମୟୂରଭଞ୍ଜରେ ବିଜେପିକୁ କିପରି ପ୍ରତିରୋଧ କରୁଛି ତାହା ସମୟ କହିବ। ମାତ୍ର ଯଦି ଉଭୟ ଦଳ ମଧ୍ୟରେ ବର୍ତ୍ତମାନ ସମୟରେ ଉପୁଜିଥିବା ଦ୍ବନ୍ଦ୍ବ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିଲେ ଏହା ମେଣ୍ଟର ସ୍ବାସ୍ଥ୍ୟ ପାଇଁ ହାନିକାରକ ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର