ସମ୍ବଲପୁର: ହେଲିକପ୍ଟର ଚେକିଂକୁ କେନ୍ଦ୍ର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ ଅଧିକାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କର ଏକ ଭିଡିଓ ଆଜି ଭାଇରାଲ ହୋଇଛି। ମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍କ୍ଷିପ୍ତ ଅବସ୍ଥାରେ ବୁର୍ଲା ଆଇଆଇସି ବି.ବି.ଭୋଇ ଓ ଯାଞ୍ଚ୍ ଟିମ୍ଙ୍କୁ ପାଟିତୁଣ୍ଡ କରୁଥିବା ଓ ସେମାନେ ତାଙ୍କୁ ବୁଝାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଆଜି ଦିନତମାମ ରାଜନୈତିକ ଚର୍ଚ୍ଚା ଲାଗି ରହିଛି। ସୋମବାର ଶ୍ରୀ ପ୍ରଧାନ ହେଲିକପ୍ଟର ଯୋଗେ ବୁର୍ଲାସ୍ଥିତ ଏମ୍ସିଏଲ୍ ହେଲିପ୍ୟାଡରେ ଅବତରଣ କରିବା ପରେ ଫ୍ଲାଇଂ ସ୍କ୍ବାଡ୍ ଓ ସ୍ଥାନୀୟ ପୁଲିସ୍ ସେଠାରେ ପହଞ୍ଚି କେନ୍ଦ୍ର ମନ୍ତ୍ରୀଙ୍କ ହେଲିକପ୍ଟର ଓ ତାଙ୍କ ଆଟାଚ୍, ବ୍ୟାଗ୍ ଆଦି ଯାଞ୍ଚ କରିବାକୁ କହିଥିଲେ। ସେମାନଙ୍କ ସହ ଭିଡିଓ ରେକର୍ଡିଂ ଟିମ ମଧ୍ୟ ଥିଲେ। ତେବେ ଏହି ଘଟଣାରେ ଶ୍ରୀ ପ୍ରଧାନ ଉତ୍କ୍ଷିପ୍ତ ହୋଇ କାହିଁକି ଓ କାହା ନିର୍ଦେଶ ବଳରେ ଯାଞ୍ଚ କରାଯାଉଛି ବୋଲି ପ୍ରଶ୍ନ ଉଠାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ଗାଡ଼ି ଓ ଜିନିଷପତ୍ରକୁ ମଧ୍ୟ ଏଭଳି ଯାଞ୍ଚ କରୁଛ କି ବୋଲି କହି ଶ୍ରୀ ପ୍ରଧାନ ଅଧିକାରୀମାନଙ୍କ ଉପରେ ବର୍ଷିଥିଲେ। ତେବେ ନିର୍ବାଚନ କମିସନଙ୍କ ନିର୍ଦେଶ ମୁତାବକ ସେମାନେ ଏଭଳି ଯାଞ୍ଚ କରୁଥିବା ଅଧିକାରୀମାନେ ଉତ୍ତର ଦେଇଥିଲେ। ସେମାନଙ୍କୁ ଶ୍ରୀ ପ୍ରଧାନ କାଗଜପତ୍ର ମାଗିବା ସହ ପକ୍ଷପାତିତା କରୁଛ ବୋଲି ଅଭିଯୋଗ କରିଥିଲେ। ବେଶ କିଛି ସମୟ କଥା କଟାକଟି ହୋଇଥିଲା। ପରିଚୟପତ୍ର ଓ କାଗଜପତ୍ର ଦେଖାଇବା ପରେ ଯାଞ୍ଚ ପାଇଁ ଶ୍ରୀ ପ୍ରଧାନ ରାଜି ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସଂପର୍କରେ ବୁର୍ଲା ଏସ୍ଡିପିଓ ଶିଶୁରଞ୍ଜନ ମହାପାତ୍ରଙ୍କୁ ଯୋଗାଯୋଗ କରିବାରେ ‘ଆମେ ଆମ କାମ କରିଛୁ, ଏଥିରେ କାହା ସ୍ବାର୍ଥରେ ବାଧା ସୃଷ୍ଟି ହୋଇଥିଲେ ଆମେ ଦାୟୀ ନୁହେଁ’ ବୋଲି କହିଛନ୍ତି। ସଂପୂର୍ଣ୍ଣ ଘଟଣା ସେ ସମ୍ବଲପୁର ଏସ୍ପିଙ୍କୁ ଜଣାଇ ଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏ ସଂପର୍କରେ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ସମ୍ବଲପୁର ଏସ୍ପି ସଞ୍ଜୀବ ଅରୋରା କହିଛନ୍ତି। ସେପଟେ ଭିଡିଓ ସର୍ଭେଲାନ୍ସ ଟିମ୍ ମଧ୍ୟ ଘଟଣାର ସଂପୂର୍ଣ୍ଣ ଫୁଟେଜ୍ ପ୍ରଶାସନକୁ ପ୍ରଦାନ କରିଛି। ଘଟଣାକୁ ନେଇ ରାଜନୀତି ବେଶ୍ ଜମିବାରେ ଲାଗିଥିବା ବେଳେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।