ଧର୍ମେନ୍ଦ୍ର ପ୍ରଧାନଙ୍କ ଟଙ୍କିକିଆ ସ୍କିମର ଗୁମର ଖୋଲିଲା ବିଜେଡି

ପରାଜୟ ଭୟରେ ବିଜେପି ଲୋକଙ୍କୁ ଚନ୍ଦ୍ରପୃଷ୍ଠକୁ ନେଇଯିବା ପ୍ରତିଶ୍ରୁତି ଦେଇଦେବ

ଭୁବନେଶ୍ବର: ଚଳିତ ମାସ ୧୧ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଭଳି ଭାବରେ ଭୋଟରଙ୍କୁ ପ୍ରଭାବିତ କଲାଭଳି ୧ ଟଙ୍କାରେ ୫ କିଲୋ ଚାଉଳ, ଅଧ କିଲୋ ଡାଲି ଓ ଲୁଣ ଅଧକିଲୋ ଦେବାକୁ ପ୍ରତିଶ୍ରୁତି ଦେଇ ପକାଇଲେ ତାର ପର୍ଦ୍ଦାଫାଶ ବିଜେଡି କରିଛି। ରାଜ୍ୟବାସୀଙ୍କୁ ଜୁମଲା ଦେଖାଇବାକୁ ଶ୍ରୀ ପ୍ରଧାନ ଏଭଳି ଉଦ୍ଭଟ ବୁଦ୍ଧି କୋଉଠୁ ଓ କିଭଳି ପାଇଲେ ସାମ୍ବାଦିକ ସମ୍ମିଳନୀ କରି ତାକୁ ବିଜେଡି ପ୍ରକାଶ କରିଛି। ମଙ୍ଗଳବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଥିଲେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ବିଜେପି ଦଳ ଛାନିଆଁ ହୋଇଯାଇଛନ୍ତି। ଫଳାଫଳ ବିଜେପି ସପକ୍ଷରେ ଯାଉନଥିବା ଜାଣିବା ପରେ ଆଗକୁ ୩ ଟି ପର୍ଯ୍ୟାୟ ନିର୍ବାଚନ ଥିବାରୁ ଋଣନୀତି ଖୋଜା ଚାଲିଲା। ଚିନ୍ତାରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ଦୁଇଜଣ ସହଯୋଗୀ ଉପାୟ ବତାଇ କହିଲେ, ରାଜ୍ୟ ସରକାର ଗରିବଙ୍କ ପାଇଁ କରିଥିବା ଟଙ୍କିକିଆ ଚାଉଳ କାର୍ଯ୍ୟକ୍ରମ ଯୋଗୁଁ ଲୋକପ୍ରିୟତା ପାଇଛନ୍ତି। ବିଜେପି ମଧ୍ୟ ସମାନ ରାସ୍ତାରେ ଯିବା ଦରକାର। ଯେହେତୁ ବିଜେପି ସରକାରକୁ ଆସିବାର ନାହିଁ ତେଣୁ ଭୋଟ ବେଳେ ଏଭଳି ପ୍ରତିଶ୍ରୁତି ଦେଇଦେଇ ଭୁଲିଗଲେ କ୍ଷତି କିଛି ନାହିଁ ବୋଲି ଦୁଇ ସହଯୋଗୀ ପରାମର୍ଶ ଦେଇଥିଲେ। ସହଯୋଗୀଙ୍କ ପରାମର୍ଶକୁ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟଙ୍କାକରେ ୫ କିଲୋ ଚାଉଳ ସହ ଅଧ କିଲୋ ଡାଲି ଓ ଅଧ କିଲୋ ଲୁଣ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେବାକୁ କହିଲେ। ପରେ ସହଯୋଗୀମାନେ ଏଭଳି ମିଛ ପ୍ରତିଶ୍ରୁତି ଉପରେ ଲୋକେ କେତେ ବିଶ୍ବାସ କରିବେ ବୋଲି ପ୍ରଶ୍ନ କରିବାରୁ ଲୋକଙ୍କ ପାଖରେ ମିଛକୁ ଜୋରରେ କହିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିବା ବିଜେଡି ଅଭିଯୋଗ କରିଛି।

ବିଜେଡି ଆହୁରି ମଧ୍ୟ ବିଜେପିକୁ କଟାକ୍ଷ କରି କହିଛି, ଯଦି ପ୍ରଥମ ପର୍ଯାୟ ଭୋଟ ପରେ ଏଭଳି ଟଙ୍କିକିଆ ଚାଉଳ, ଡାଲି ଓ ଲୁଣର ପ୍ରତିଶ୍ରୁତି ମିଳୁଛି ତାହେଲେ ଦ୍ବିତୀୟ ପର୍ଯ୍ୟାୟ ପରେ ଲୋକଙ୍କୁ କାର ଦେବାର ପ୍ରତିଶ୍ରୁତି ବିଜେପି ଦେବ। ତୃତୀୟ ପର୍ଯ୍ୟାୟ ବିଫଳତା ପରେ ଲୋକଙ୍କୁ ହେଲିକପ୍ଟର ଏବଂ ଏରୋପ୍ଲେନର ପ୍ରତିଶ୍ରୁତି ମିଳିବ। ଚତୁର୍ଥ ପର୍ଯ୍ୟାୟ ପାଖାପାଖି ବେଳକୁ ଯଦି ବିଜେପି ଲୋକଙ୍କୁ ଚନ୍ଦ୍ରପୃଷ୍ଠକୁ ନେବାର ପ୍ରତିଶ୍ରୁତି ବି ଦେବ ତାହେଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି। ୨୦୧୪ରେ ବର୍ଷକୁ ୨ କୋଟି ଚାକିରି, ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଓ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାର ପ୍ରତିଶ୍ରୁତି ଦେଇ ଭୁଲିଗଲା। କାରଣ ବିଜେପି ଦଳ ମିଛ ଓ ଜୁମଲାବାଜି କରିବାରେ ଅଭ୍ୟସ୍ତ। ବିଜେପି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହାର ଜବାବ ଦେବାକୁ ଓଡ଼ିଶାବାସୀ ପ୍ରସ୍ତୁତ ହୋଇସାରିଛନ୍ତି। ଏଥର ନିର୍ବାଚନରେ ସେମାନଙ୍କର ବିପର୍ଯ୍ୟସ୍ତ ସହ ମିଥ୍ୟା ଓ ଜୁମଲାବାଜି ଖତମ ହେବ ବୋଲି ବିଜେଡି କହିଛି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେନିନ୍ ମହାନ୍ତି, ମୁଖପାତ୍ର ସସ୍ମିତ୍ ପାତ୍ର, ମୁଖପାତ୍ର ପ୍ରିୟଦର୍ଶୀ ମିଶ୍ର, ମୁଖପାତ୍ର ସୁଲତା ଦେଓ ଏବଂ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର