ଏକଜିଟ୍‌ ପୋଲ୍‌ ୨୦୧୯: ଷ୍ଟାଲିନ୍‌-ଜଗନ-କେସିଆର୍‌ଙ୍କ କମାଲ

ଦିଲ୍ଲୀରେ ସଫା ହୋଇଯିବ ଆପ୍‌

ନୂଆଦିଲ୍ଲୀ: ନିର୍ବାଚନ ଶେଷ ହୋଇଛି। ଏବେ କିଏ ସରକାର ଗଢ଼ିବ, ତାହା ଉପରେ ସମଗ୍ର ଦେଶର ନଜର।‌ କେନ୍ଦ୍ରରେ ପୁଣି ଥରେ ଏନ୍‌ଡିଏ ସରକାର ଗଠନ ହେଉଥିବା ଏକଜିଟ୍‌ ପୋଲ୍‌ଗୁଡ଼ିକରୁ ସଙ୍କେତ ମିଳୁଥିବା ବେଳେ ଏଥର ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ସରକାର ଗଠନରେ ପ୍ରମୁଖ ଭୂମିକା ନିର୍ବାର କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଉତ୍ତର ପ୍ରଦେଶରେ ସପା-ବସପା ମହାମେଣ୍ଟ ଯୋଗୁଁ ୨୦୧୪ ତୁଳନାରେ ଏଥର ବିଜେପିର ଆସନ ଯଥେଷ୍ଟ କମିଯିବା ଅନୁମାନ କରାଯାଇଛି। କର୍ଣ୍ଣାଟକରେ ବିଜେପି ସହିତ କଂଗ୍ରେସ-ଜେଡିୟୁ ମେଣ୍ଟର ସିଧାସଳଖ ମୁକାବିଲା ହୋଇଥିବା ବେଳେ କେରଳ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ବିଜେପିର କିଛି ବିଶେଷ ପ୍ରଭାବ ନାହିଁ। ତେବେ ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ଗୋଆରେ ବିଜେପି ତା’ର ପୂର୍ବ ସଫଳତା ଦୋହରାଇବ ବୋଲି ଜଣାପଡ଼ିଛି। ବିହାରରେ ଜେଡିୟୁ ସହିତ ମେଣ୍ଟ ସତ୍ତ୍ବେ ବିଜେପିକୁ ୨୦୧୪ ତୁଳାନାରେ ଏଥର ବିଶେଷ ଫାଇଦା ମିଳିବ ନାହିଁ। ବିହାରର ମୋଟ ୪୦ ଲୋକସଭା ଆସନରୁ ଏଥର ଏନ୍‌ଡିଏକୁ ୩୦ ଆସନ ଏବଂ ମହାମେଣ୍ଟକୁ ୧୦ଟି ଆସନ ମିଳିବା ସମ୍ଭାବନା ରହିଛି। ୨୦୧୪ରେ ବିଜେପି ଏକାକୀ ନିର୍ବାଚନ ଲଢ଼ି ୩୦ ଆସନରେ ବିଜୟୀ ହୋଇଥିଲା। କେରଳରେ ଏଥର ବିଜେପି ଖାତା ଖୋଲିବା ସମ୍ଭାବନା ରହିଛି। କେରଳରେ ୨୦୧୪ରେ ବିଜେପିର ଭୋଟ୍‌ ପ୍ରତିଶତ ୧୦.୫୭ ରହିଥିବା ବେଳେ ଏଥର ଏହା ୨୩.୫୩ ପ୍ରତିଶତରେ ପହଂଚିବ ବୋଲି ଏକ୍‌ଜିଟ୍‌ ପୋଲ ଆକଳନରୁ ଜଣାପଡ଼ିଛି ।

କେରଳରେ ବିଜେପି ଖାତା ଖୋଲିପାରେ
ୟୁପିରେ ବିଜେପିକୁ ଆଶାଠାରୁ କମ୍‌, ବିହାରରେ ଏନ୍‌ଡିଏକୁ କ୍ଷତି

ଆନ୍ଧ୍ର ପ୍ରଦେଶରେ ଏଥର ୱାଇଏସ୍‌ଆର୍‌ କଂଗ୍ରେସ ସମସ୍ତଙ୍କୁ ଚମକାଇ ଦେବ ବୋଲି ଏକ୍‌ଜିଟ୍‌ ପୋଲରୁ ଜଣାପଡ଼ିଛି। ରାଜ୍ୟର ୨୫ ଆସନରୁ ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍‌ଆର୍‌ କଂଗ୍ରେସ ୧୬ ଆସନରେ ବିଜୟୀ ହେବା ସମ୍ଭାବନା ରହିଛି। ଏଭଳି ହେଲେ ଜଗନଙ୍କୁ ୮ଆସନର ଫାଇଦା ମିଳିବ। ଗତ ନିର୍ବାଚନରେ ଜଗନଙ୍କ ଦଳ ୮ଟି ଆସନରେ ବିଜୟୀ ହୋଇଥିଲା। ଏଥର ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦଳକୁ ମାତ୍ର ୯ଟି ଆସନ ମିଳିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ତେଲେଙ୍ଗାନାରେ ଟିଆର୍‌ଏସ୍‌ ସୁପ୍ରିମୋ କେ ଚନ୍ଦ୍ର ଶେଖର ରାଓଙ୍କ ପ୍ରଭାବ କାଏମ ରହିଛି। ଏଠାରେ ମୋଟ ୧୭ ଆସନରୁ କେସିଆର୍‌ଙ୍କ ଟିଆର୍‌ଏସ୍‌କୁ ୧୨ଟି ଆସନ ମିଳିବା ସମ୍ଭାବନା ରହିଛି। ଏଠାରେ ଏଆଇଏମ୍‌ଆଇଏମକୁ ଗୋଟିଏ ଆସନ ମିଳିପାରେ।

ତାମିଲନାଡ଼ୁରେ ମୋଟ ୩୮ ଆସନରୁ ଏଥର ଷ୍ଟାଲିନ୍‌ଙ୍କ ନେତୃତ୍ବରେ ଡିଏମ୍‌କେ-କଂଗ୍ରେସ ମେଣ୍ଟକୁ ୨୬ ଆସନ ମିଳିବା ସମ୍ଭାବନା ରହିଛି। ଏଆଇଏଡିଏମ୍‌କେ-ବିଜେପି ମେଣ୍ଟକୁ ୧୧ ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ପଶ୍ଚିମବଂଗରେ ବିଜେପିକୁ ଏଥର ବଡ଼ ଫାଇଦା ମିଳିବ। ଏଠାରେ ମୋଟ ୪୨ ଆସନରୁ ଟିଏମ୍‌ସିକୁ ୨୪, ବିଜେପିକୁ ୧୪ ଏବଂ କଂଗ୍ରେସକୁ ୨ଟି ଆସନ ମିଳିବ ବୋଲି ଏକ୍‌ଜିଟ୍‌ ପୋଲ୍‌ରୁ ଜଣାପଡ଼ିଛି। ଦିଲ୍ଲୀରେ ୭ଟି ଆସନରୁ ୬ଟି ଆସନ ବିଜେପି ଏବଂ ଗୋଟିଏ କଂଗ୍ରେସ ଦଖଲକୁ ଯିବ ଏବଂ ଆମ୍‌ ଆଦ୍‌ମୀ ପାର୍ଟି ମୂଳପୋଛ ହୋଇଯିବ ବୋଲି ଆକଳନ କରାଯାଇଛି। ୨୦୧୪ରେ ଦିଲ୍ଲୀର ସମସ୍ତ ଆସନ ବିଜେପିକୁ ଯାଇଥିଲା। ଗୋଆର ସମସ୍ତ ୨ଟି ଯାକ ଆସନ ବିଜେପି ଦଖଲକୁ ଯିବ ବୋଲି ଆକଳନରୁ ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ମୋଟ ୬ଟି ଆସନରୁ ୟୁପିଏକୁ ୪ ଏବଂ ବିଜେପିକୁ ୨ଟି ଆସନ ମିଳିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର