ଏକ୍‌ଜିଟ୍ ପୋଲ୍‌ର ଇତିହାସ: ୩ ଥର ଭୁଲ, ୨ ଥର ଠିକ୍

ନୂଆଦିଲ୍ଲୀ: ଦେଶରେ ଗତକାଲି ୭ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ପ୍ରକାଶ ପାଇଛି। ଚଳିତ ଥର ପ୍ରାୟ ସମସ୍ତ ସଂସ୍ଥା ବିଜେପି ଏବଂ ଏନଡିଏକୁ ଅଧିକ ଆସନ ପ୍ରଦାନ କରିଛନ୍ତି। ଫଳରେ ମୋଦୀ ପୁଣି ଦ୍ବିତୀୟ ଥର ପାଇଁ ଦେଶରେ ସରକାର ଗଢ଼ିବାକୁ ଯାଉଥିବା ଚର୍ଚା ଆରମ୍ଭ ହୋଇଛି। ତେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏକଜିଟ୍ ପୋଲ୍ ସମ୍ପର୍କରେ ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ କରିଦେଇଛନ୍ତି।
ଭୋଟ ଦେଇଥିବା ବ୍ୟକ୍ତିମାନେ ଯେଉଁ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ଏକ୍‌ଜିଟ୍ ପୋଲ୍ କରୁଥିବା ସଂସ୍ଥାକୁ ଯଦି ତାହା ଠିକ୍‌ରେ ପ୍ରକାଶ କରିଥାନ୍ତି ତାହେଲେ ଏକ୍‌ଜିଟ୍ ପୋଲ୍‌ର ଆକଳନ ଭୋଟ ଗଣତିର ଫଳାଫଳ ସହ ଠିକ୍ ହେବାର ସମ୍ଭାବନା ଅଧିକ ରହିଛି।

କିନ୍ତୁ ଅତୀତରେ ଅନେକ ଥର ଏକ୍‌ଜିଟ୍ ପୋଲ୍‌ର ଆକଳନ ବାସ୍ତବ ଫଳାଫଳଠାରୁ ବହୁ ଦୂରରେ ରହିଥିବା ନଜିର ରହିଛି। ଏଠାରେ ୧୯୯୮ରୁ ୨୦୧୪ ସୁଦ୍ଧା ହୋଇଥିବା ୫ଟି ସାଧାରଣ ନିର୍ବାଚନ ଉପରେ ନଜର ପକାଇଲେ ଜଣା‌ପଡ଼େ ୧୯୯୮ ଏବଂ ୨୦୧୪କୁ ବାଦ୍ ଦେଲେ ଅନ୍ୟ ୩ ଥର ଏକ୍‌ଜିଟ୍‌ ପୋଲ୍‌ର ଆକଳନ ଭୁଲ୍ ହୋଇଛି। ଏତଦବ୍ୟତୀତ ନିକଟ ଅତୀତରେ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଉତ୍ତର ପ୍ରଦେଶ, ବିହାର, ତାମିଲନାଡ଼ୁ ଏବଂ ଦିଲ୍ଲୀ ଭଳି ରାଜ୍ୟ ପାଇଁ ହୋଇଥିବା ଏକ୍‌ଜିଟ୍ ପୋଲ୍ ମଧ୍ୟ ଭୁଲ୍ ହୋଇଥିବା ତଥ୍ୟାଭିଜ୍ଞ ମହଲ ମତ ‌ଦିଅନ୍ତି। ତେଣୁ ୨୦୧୯ ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍ ପୋଲ୍ ଠିକ୍‌ କିମ୍ବା ଭୁଲ୍ ତାହା ଆସନ୍ତା ୨୩ ତାରିଖରେ ଭୋଟ୍ ଗଣତି ପରେ ସ୍ପଷ୍ଟ ହୋଇଯିବ। ଏଠାରେ ୧୯୯୮ ମସିହାଠାରୁ କେଉଁ ନିର୍ବାଚନରେ ଏକ୍‌ଜିଟ୍ ପୋଲ୍ ଆକଳନ ଏବଂ ଗଣତି ଫଳାଫଳ କ’ଣ ରହିଥିଲା ତାହାର ତଥ୍ୟ ପ୍ରଦାନ କରାଯାଇଛି।

୧୯୯୬ ଯୁଗାନ୍ତକାରୀ ବର୍ଷ
ଭାରତର ଏକ୍‌ଜିଟ୍ ପୋଲ୍ ଇତିହାସରେ ୧୯୯୬ ମସିହା ହେଉଛି ଏକ ଯୁଗାନ୍ତକାରୀ ବର୍ଷ। ଏହି ବର୍ଷ ସରକାରୀ ପ୍ରସାରଣକାରୀ ସଂସ୍ଥା ଦୂରଦର୍ଶନ ପକ୍ଷରୁ ସେଣ୍ଟର ଫର୍ ଦି ଷ୍ଟଡି ଅଫ୍ ଡେଭଲପିଂ ସୋସାଇଟିଜ୍‌ (ସିଏସଡିଏସ)କୁ ଆନୁଷ୍ଠାନିକ ଭାବେ ଏକ୍‌ଜିଟ୍ ପୋଲ୍‌ କରିବା ପାଇଁ କୁହାଯାଇଥିଲା। ୧୯୯୬ ସାଧାରଣ ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିବ ନାହିଁ ବୋଲି ସିଏସଡିଏସ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ସେହି ପୂର୍ବାନୁମାନ ମଧ୍ୟ ସତ ହୋଇଥିଲା। ବିଜେପି ଯଦିଓ ଏକକ ବୃହତ୍ ଦଳ ହୋଇଥିଲା କିନ୍ତୁ ସରକାର ଗଠନ କରିବା ଲାଗି ଏହା ପାଖରେ ଆବଶ୍ୟକ ସଂଖ୍ୟା ନଥିଲା। ଅଟଳ ବିହାରୀ ବାଜପେୟୀ ସରକାର ଗଢ଼ିଥିଲେ କିନ୍ତୁ ୧୩ ଦିନ ପରେ ସେ ଇସ୍ତଫା ଦେଇଥିଲେ। ଏହା ପରେ ଏଚ ଡି‌ ଦେବେଗୌଡ଼ା ଏବଂ ଇନ୍ଦର କୁମାର ଗୁଜରାଲ ପ୍ରଧାନମନ୍ତ୍ରୀ ହୋଇଥିଲେ।

୮୦ ଦଶକରେ ଆରମ୍ଭ ହୋଇଥିଲା
ଭାରତରେ ଗତ ଶତାବ୍ଦୀର ୮୦ ଦଶକର ମଧ୍ୟଭାଗ ବେଳକୁ ଜନମତ ସର୍ବେକ୍ଷଣ ଏବଂ ବୁଥ ବାହୁଡ଼ା ମତ ସଂଗ୍ରହ ହୋଇଥିଲା। ନିର୍ବାଚନରେ ଭୋଟରଙ୍କ ମନକଥା ଜାଣିବା ପାଇଁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ସାମ୍ବାଦିକ ହୋଇଥିବା ପ୍ରଣୟ ରାୟ ଓପିନିଅନ ପୋଲ୍ ଆରମ୍ଭ କରିଥିଲେ। ତେବେ ୯୦ ଦଶକରେ ଦେଶରେ ଘରୋଇ ଟିଭି ଚ୍ୟାନେଲ ସଂଖ୍ୟା ବଢ଼ିବା ଫଳରେ ବିଭିନ୍ନ ସଂସ୍ଥା ଏବଂ ଚ୍ୟାନେଲ ମିଶି ଏକ୍‌ଜିଟ୍ ପୋଲ୍ ଆରମ୍ଭ କରି ଦେଇଥିଲେ।

୨୦୦୪ରେ ବଡ଼ ବିଫଳତା
୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ଏନଡିଏ ଦେଶରେ ସରକାର ଗଠନ କରିଥିଲା। ଏହାପରେ ସରକାର ତାଙ୍କ ସଫଳତାକୁ ଦର୍ଶାଇବା ପାଇଁ ଭାରତ ଉଦୟ ପ୍ରଚାର ଅଭିଯାନ ଆରମ୍ଭ କରିବା ସହିତ ଆଗୁଆ ନିର୍ବାଚନ ଘୋଷଣା କରିଥିଲେ। ୨୦୦୪ରେ ସାଧାରଣ ନିର୍ବାଚନ ହୋଇଥିଲା। କିନ୍ତୁ ୨୦୦୪ରେ ହୋଇଥିବା ଏକଜିଟ୍ ପୋଲ୍‌ରେ ବାଜପେୟୀ ସରକାର ପୁଣି କ୍ଷମତାକୁ ଫେରିବେ ବୋଲି କୁହାଯାଇଥିଲା। କିନ୍ତୁ ତାହା ଭୁଲ୍ ହୋଇଯାଇଥିଲା। ବାଜପେୟୀଙ୍କ ବଦଳରେ ଉପା ସରକାର ଗଠନ ହୋଇଥିଲା ଏବଂ ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେଣୁ ୨୦୦୪ର ଏକଜିଟ୍ ପୋଲ୍‌କୁ ବଡ଼ ବିଫଳତା ବୋଲି କୁହାଯାଇଥାଏ।

ସମ୍ବନ୍ଧିତ ଖବର