କୋଲ୍‌କାତା ହିଂସାକୁ ନେଇ ମୁହାଁମୁହିଁ, ଦିଦିଙ୍କୁ କ୍ଷମତା ହରାଇବା ଭୟ ଘାରିଛି

୨୦୧୯ରେ ହିଁ ଟିଏମ୍‌ସି ସରକାରର ପତନ

କୋଲକାତା: ପଶ୍ଚିମବଂଗରେ ରାଜନୈତିକ ହିଂସାକୁ ନେଇ ଦିଲ୍ଲୀ ଓ କୋଲକାତାରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଶିରହାଟରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇଛନ୍ତି। ଏହି ରୢାଲିରେ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍‌ରେ ସଂପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଥିଲେ। ସେ କହିଥିଲେ ଯେ ଦିଦିଙ୍କ କ୍ରୋଧ ଓ ଅହଙ୍କାର ତାଙ୍କ ହତାଶାର ପରିଣାମ। କ୍ଷମତାରୁ ବେଦଖଲ ଭୟରେ ଦିଦି ଏବେ ହିଂସାର ରାସ୍ତାକୁ ଆପଣାଇ ନେଇଛନ୍ତି। କିନ୍ତୁ ପଶ୍ଚିମବଂଗର ଜନତା ଟିଏମ୍‌ସିର ହିଂସା, ବର୍ବରତା ଏବଂ ଗଣତନ୍ତ୍ର ବିରୋଧୀ କାର୍ଯ୍ୟକୁ ଆଉ ବରଦାସ୍ତ କରିବେ ନାହିଁ ଏବଂ ୨୦୧୯ରେ ହିଁ ଏହି ସରକାରର ପତନ ଘଟିବ ବୋଲି ମୋଦୀ କହିଛନ୍ତି। ପଶ୍ଚିମବଂଗରେ ଏଥର ଲୋକସଭା ନିର୍ବାଚନରେ ବିଜେପି ଇତିହାସ ସୃଷ୍ଟି କରିବ ବୋଲି ଦର୍ଶାଇ ମୋଦୀ କହିଥିଲେ ଯେ ଦେଶରେ ଏହା ୩୦୦ ଆସନ ଅତିକ୍ରମ କରିବ ଏବଂ ବିରୋଧୀ ଦଳମାନଙ୍କ ମିଥ୍ୟା ଓ ବିଭ୍ରାନ୍ତି କାମ ଦେବନାହିଁ। ପଶ୍ଚିମବଂଗରେ ଦିଦି (ମମତା) ବଙ୍ଗାଳୀମାନଙ୍କ ପରମ୍ପରା ଉପରେ ପ୍ରହାର କରିଛନ୍ତି। ଦିଦିଙ୍କ ହାତରୁ ଏଥର କ୍ଷମତା ଯାଉଥିବା ନେଇ ପଶ୍ଚିମବଂଗରେ ସବୁଠି ଚର୍ଚ୍ଚା ଚାଲିଛି। ଲୋକଙ୍କୁ ଧୋକା ଦେଇ ଡରାଇ, ଧମକାଇ ଶାସନ କରିହେବ ବୋଲି ଦିଦି ଧରିନେଇଛନ୍ତି, କିନ୍ତୁ ରାମକୃଷ୍ଣ ପରମହଂସ, ସ୍ବାମୀ ବିବେକାନନ୍ଦ, ରବିନ୍ଦ୍ର ନାଥ ଟାଗୋର, ସୁଭାଷ ଚନ୍ଦ୍ର ବୋଷଙ୍କ ମାଟିର ଜନତା ଏଭଳି ନୀତିକୁ ବରଦାସ୍ତ କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦୁଇ ଗୁଣ୍ଡା ମୋର କିଛି କରିପାରିବେ ନାହିଁ, ବିଜେପିକୁ ଉଚିତ ଶାସ୍ତି ମିଳିବ
କୋଲକାତାରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ୍‌ ସେ ବେଳେ ଘଟିଥିବା ବ୍ୟାପକ ହିଂସା ଏବଂ ପୋଡ଼ାଜଳା ପାଇଁ ବିଜେପି ହିଁ ଦାୟୀ ବୋଲି ଅଭିଯୋଗ କରି ଆଜି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲାକାତାରେ ଏକ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ମମତା କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ବଡ଼ ଗୁଣ୍ଡା ଭାବେ ନିଜକୁ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଦୁଇ ଗୁଣ୍ଡାଙ୍କୁ ମୁଁ ଡରୁନାହିଁ ଏବଂ ସେମାନଙ୍କୁ ପଶ୍ଚିମବଂଗରେ କଡ଼ା ଜବାବ ମିଳିବ ବୋଲି କହିଛନ୍ତି। ବିଜେପି କର୍ମୀମାନେ ହିଂସାକୁ ଓହ୍ଲାଇ ଆସିବା ପରେ ସେମାନଙ୍କୁ ସ୍ଥାନୀୟ ଲୋକେ ବିରୋଧ କରିବା ସ୍ବାଭାବିକ କଥା ବୋଲି ମମତା କହିଛନ୍ତି। ଅମିତ ଶାହ ଭଗବାନ ନୁହନ୍ତି ଯେ ତାଙ୍କୁ କେହି ବିରୋଧ କରିବେ ନାହିଁ ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ଯେନତେନ ପ୍ରକାରେ ବିଭ୍ରାନ୍ତି ସୃଷ୍ଟି କରି ଭୋଟ୍‌ ହାସଲ କରିବାକୁ ଚାହୁଁଛି। ବିଜେପିକୁ ଭୋଟ୍‌ ମିଳିବ ନାହିଁ ଏବଂ ଉଚିତ ଶାସ୍ତି ମିଳିବ ବୋଲି ସେ କହିଛନ୍ତି।

ବିଜେପି ବିରୋଧରେ ଭିଡିଓ ପ୍ରମାଣ ଦେଲା ଟିଏମ୍‌ସି, ଅମିତ ଶାହ ମିଛୁଆ: ଡେରେକ୍‌ ଓବ୍ରେନ୍‌

ଗତକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ସୋ’ ସମୟରେ କୋଲକାତାରେ ଘଟିଥିବା ବ୍ୟାପକ ହିଂସା ଏବଂ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗଯିବା ଘଟଣାରେ ବିଜେପିକୁ ଦାୟୀ କରି ଆଜି ଟିଏମ୍‌ସି ନେତାମାନେ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ଟିଏମ୍‌ସି ଏ ବାବଦରେ ୧୫ଟି ଭିଡିଓ ଫୁଟେଜ ନିର୍ବାଚନ କମିସନଙ୍କଠାରେ ଦାଖଲ କରି ହିଂସା ପାଇଁ ବିଜେପି ଦାୟୀ ବୋଲି ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀରେ ଟିଏମ୍‌ସିର ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଡେରେକ୍‌ ଓବ୍ରେନ୍‌ କହିଥିଲେ ଯେ ଆମେ ବିଜେପି ବିରୋଧ‌େର ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିଛୁ ଏବଂ ଏଥିରୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଜଣେ ମିଛୁଆ ଏବଂ ପ୍ରତାରକ ପ୍ରମାଣିତ ହୋଇଛନ୍ତି।

ପଶ୍ଚିମବଂଗ ହିଂସା ପଛରେ ଟିଏମ୍‌ସି, ସିଆର୍‌ପିଏଫ୍‌ ଯୋଗୁଁ ବଞ୍ଚିଗଲି
ପଶ୍ଚିମବଂଗରେ ଏବେ ଯେଉଁ ରାଜନୈତିକ ହିଂସା ଚାଲିଛି ସେଥିପାଇଁ ଟିଏମ୍‌ସି ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତାଙ୍କର ରୋଡ ସୋ’ ସମୟରେ ଟିଏମ୍‌ସି କର୍ମୀମାନେ ଯେଭଳି ପ୍ରଚଣ୍ଡ ଆକ୍ରମଣ କରିଥିଲେ ତାହା ନିର୍ବାଚନୀ ଇତିହାସରେ ବିରଳ ବୋଲି ଶାହ କହିଛନ୍ତି। ସିଆର୍‌ପିଏଫ୍‌ ଯବାନଙ୍କ ତତ୍ପରତା ଓ ସୁରକ୍ଷା ବଳୟ ଯୋଗୁଁ ତାଙ୍କ ଜୀବନ ରକ୍ଷା ପାଇଗଲା ବୋଲି ଶାହ କହିଛନ୍ତି। ଟିଏମ୍‌ସି କର୍ମୀମାନେ ଈଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଦ୍ବାରା ସାଧାରଣରେ ଏହା ବିରୋଧରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ନିର୍ବାଚନ ସରିଥିବା ସମସ୍ତ ୬ଟି ପର୍ଯ୍ୟାୟରେ ଦେଶବ୍ୟାପୀ ମତଦାନ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ କେବଳ ପଶ୍ଚିମବଂଗରେ ଟିଏମ୍‌ସିର ବ୍ୟାପକ ହିଂସା ଦେଖିବାକୁ ମିଳିଛି ଏବଂ ଟିଏମ୍‌ସି କର୍ମୀ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କମସନ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଶାହ କହିଛନ୍ତି।

ସମ୍ବନ୍ଧିତ ଖବର