ୟୁପି ମହାମେଣ୍ଟର ପ୍ରଥମ ରୢାଲି: ମୁସଲିମ୍‌ କାର୍ଡ ଖେଳିଲେ ମାୟାବତୀ

ରିପୋର୍ଟ ମାଗିଲେ ନିର୍ବାଚନ କମିସନ୍‌, ଇଭିଏମ୍‌ ଜାଲିଆତି ନହେଲେ ମେଣ୍ଟ ବିଜୟ ନିଶ୍ଚିତ: ଅଖିଳେଶ

ଦେବବନ୍ଦ: ଉତ୍ତରପ୍ରଦେଶରେ ଆଜି ମହାମେଣ୍ଟର ପ୍ରଥମ ରୢାଲିରେ ମୁସ୍‌ଲିମ କାର୍ଡ ଖେଳି ବିବାଦରେ ଫସିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ। ଶାହରନପୁରର ଦେବବନ୍ଦରେ ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳର ପ୍ରଥମ ମିଳିତ ମେଗା ରୢାଲିରେ ମାୟାବତୀ ସିଧାସଳଖ ଧର୍ମ ଆଧାରରେ ଭୋଟ୍‌ ଦେବାକୁ ଆହ୍ବାନ ଦେଇଛନ୍ତି। ବିଜେପି ବିରୋଧରେ ମୁସ୍‌ଲିମ୍‌ ସଂପ୍ରଦାୟ ଏକଜୁଟ ହୋଇ ଭୋଟ୍‌ ଦେବାକୁ ହେବ ଏବଂ ମୁସ୍‌ଲିମ୍‌ ଭୋଟ୍‌ରେ ବିଭାଜନ ରୋକିବାକୁ ହେବ ବୋଲି ସେ କହିଛନ୍ତି। ମାୟାବତୀ ଧର୍ମ ଆଧାରରେ ଭୋଟର୍‌ଙ୍କୁ ବିଭାଜନ କରିବାକୁ ପ୍ରୟାସ କରିଥିବାରୁ ମହାମେଣ୍ଟର ପ୍ରଥମ ରୢାଲି ବିବାଦରେ ଘେରିଯାଇଛି। ନିର୍ବାଚନ କମିସନ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସ୍ଥାନୀୟ ପ୍ରଶାସନକୁ ଏ ବାବଦରେ ରିପୋର୍ଟ ମଗାଯାଇଛି। ଧର୍ମ ଆଧାରରେ ପ୍ରଚାର ନକରିବାକୁ ନିର୍ବାଚନ କମିସନଙ୍କ କଠୋର କଟକଣା ରହିଥିଲେ ମଧ୍ୟ ମାୟାବତୀ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ରୢାଲିରେ କଂଗ୍ରେସ ବିରୋଧରେ ମଧ୍ୟ ମାୟବତୀ ଗର୍ଜିଛନ୍ତି। ଗରିବଙ୍କ ପ୍ରତି କଂଗ୍ରେସର କୌଣସି ଦରଦ ନାହିଁ ଏବଂ କେବଳ ଭୋଟ୍‌ ଋତୁରେ ଗରିବଙ୍କ ସହ ଚାଲ୍‌ ଖେଳିଥାଏ ବୋଲି ମାୟାବତୀ କହିଛନ୍ତି। କଂଗ୍ରେସ ଓ ବିଜେପିକୁ ପ୍ରତ୍ୟାଖ୍ୟାନ କରି ମହାମେଣ୍ଟର ପ୍ରାର୍ଥୀମାନଙ୍କୁ ଜିତାଇବାକୁ ମାୟାବତୀ ଆହ୍ବାନ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ମହାମେଣ୍ଟର ମହା ରୢାଲିରେ ହୋଇଥିବା ଭିଡ଼କୁ ଦେଖି ପ୍ରଧାନମନ୍ତ୍ରୀ ପାଗଳ ଭଳି ହୋଇଯିବେ ଏବଂ ‘ସରାବ୍‌-ସରାବ୍‌’ କହି ପ୍ରଳାପ କରିବେ ବୋଲି ମାୟାବତୀ କହିଛନ୍ତି। ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଦେଶରେ ବଡ଼ ସଙ୍କଟ ସୃଷ୍ଟି କରିଛି ଏବଂ ଏଥିଯୋଗୁଁ ବେକାରୀ ସମସ୍ୟା ବଢ଼ିଛି ବୋଲି ମତଦେଇ ମାୟାବତୀ କହିଛନ୍ତି ଯେ କେବଳ ପ୍ରଧାନମନ୍ତ୍ରୀଙ୍କ ବେପରୁଆ ନିଷ୍ପତ୍ତି ଯୋଗୁଁ ଦେଶ ଏଭଳି ସଙ୍କଟର ସମ୍ମୁଖୀନ ହୋଇଛି। ବିଜେପି ସରକାର ବିରୋଧୀ ଦଳମାନଙ୍କୁ ଦୁର୍ବଳ କରିବା ପାଇଁ ସିବିଆଇକୁ ବ୍ୟବହାର କରୁଛି ବୋଲି ମଧ୍ୟ ମାୟାବତୀ କହିଛନ୍ତି। ବିଜେପିର ୧୫ ଲକ୍ଷ ଟଙ୍କା ପ୍ରତିଶ୍ରୁତି ଏବେ ଏକ ଉପହାସ ହୋଇ ରହିଯାଇଛି ଏବଂ ଚୌକିଦାରଙ୍କ ନାଟକବାଜି ଆଉ କାମ ଦେଉନାହିଁ ବୋଲି ସେ କହିଛନ୍ତି। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏହି ରୢାଲିରେ କହିଛନ୍ତି ଯେ ଚଳିତ ଲୋକସଭା ନିର୍ବାଚନ ଇତିହାସ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ଅଖିଳେଶ କହିଛନ୍ତି, ପ୍ରଥମେ ମୋଦୀ ଚା’ ବାଲା ସାଜି ଆସିଲେ ଏବଂ ଅଚ୍ଛେଦିନ ପ୍ରତିଶ୍ରୁତି ଦେଇଥିଲେ। ଏଥର ଚୌକିଦାର ସାଜି ଆସିଛନ୍ତି। କିନ୍ତୁ ଉତ୍ତର ପ୍ରଦେଶର ଦଳିତ, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ଚୌକିଦାରଙ୍କ ଚୌକି ଛଡ଼ାଇ ନେବେ। ଇଭିଏମ୍‌ରେ ଜାଲିଆତି ନହେଲେ ମହାମେଣ୍ଟର ବିଜୟ ସୁନିଶ୍ଚିତ ବୋଲି ଅଖିଳେଶ କହିଛନ୍ତି।

ସମ୍ବନ୍ଧିତ ଖବର