ଶଶୀଙ୍କ ସମର୍ଥକ ଓ ଚନ୍ଦ୍ରସାରଥୀଙ୍କ ବିରୋଧୀଙ୍କ ନାରାବାଜି

ଭୁବନେଶ୍ବର: ଜୟଦେବ ବିଧାୟକ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବିଜେଡି ଟିକେଟ କଟିବା ନେଇ ମଙ୍ଗଳବାର ନବୀନ ନିବାସ ଆଗରେ ବିକ୍ଷୋଭ ଓ ନାରାବାଜି ଦେଖିବାକୁ ମିଳିଛି। ସେହିପରି କଟକ-ସଦର ବିଧାୟକ ତଥା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ବିେକ୍ଷାଭ ହୋଇଛି। ଜୟଦେବ ବିଧାନସଭା ଆସନ ପାଇଁ ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ବିଜେଡି ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରିବା ପରେ ମଙ୍ଗଳବାର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ନବୀନ ନିବାସ ଆଗରେ ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ସଦସ୍ୟ ଓ ଶତାଧିକ ମହିଳା କର୍ମୀ ବିଧାୟକ ଶଶିଭୂଷଣ ବେହେରାଙ୍କ ସମର୍ଥନରେ ନାରାବାଜି କରିବା ସହ ତାଙ୍କୁ ପ୍ରାର୍ଥୀ କରିବା ଲାଗି ଦାବି ରଖିଥିଲେ। ପରେ ସେମାନଙ୍କ ଭିତରୁ ପାଞ୍ଚଜଣ କର୍ମୀ ନବୀନ ନିବାସ ଭିତରକୁ ଯାଇ ଶ୍ରୀ ବେହେରାଙ୍କ ସମର୍ଥନରେ ଏକ ସ୍ମାରକ ପତ୍ର ଦେଇଥିଲେ। ସେହିପରି କଟକ-ସଦର ଆସନ ପାଇଁ ପୁଣି ଥରେ ପ୍ରାର୍ଥୀ ଘୋଷିତ ହୋଇଥିବା ମନ୍ତ୍ରୀ ତଥା ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି କିଛି ଲୋକ ବିରୋଧ ପ୍ରଦର୍ଶନ କରିବା ସହ ନାରାବାଜି କରିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର