ହେଭିୱେଟ୍‌ ‌ଲଢ଼େଇ: ପୁରୀ ଲୋକସଭା ଆସନରେ ସମ୍ବିତ, ପିନାକୀ, ସତ୍ୟପ୍ରକାଶ

କେନ୍ଦ୍ରାପଡ଼ା ଲୋକସଭା ଆସନ ବୈଜୟନ୍ତ, ଅନୁଭବ

ସାରା ରାଜ୍ୟର ସବୁଠି ନିର୍ବାଚନର ପଦଧ୍ବନି… ସବୁଦଳ ଭିତରେ ପରସ୍ପରକୁ ଟପିଯିବାର ଏକ ସୁଦୃଶ୍ୟ ପ୍ରତିଦ୍ବନ୍ଦ୍ବିତା….କର୍ମୀଙ୍କ ଭିତରେ ଉତ୍ସାହ, ପ୍ରାର୍ଥୀଙ୍କ ଭିତରେ ଉତ୍କଣ୍ଠା…! ଏହା କେବଳ ଗୋଟିଏ ନିର୍ବାଚନମଣ୍ଡଳୀର ଚିତ୍ର ନୁହେଁ, ୨୧ଟି ଲୋକସଭା ଓ ୧୪୭ ବିଧାନସଭା କ୍ଷେତ୍ରରେ ଛାଇ ହୋଇଯାଇଥିବା ରାଜନୈତିକ ଦୃଶ୍ୟପଟ। ତେବେ, କେତେକ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ପ୍ରଭାବ ଓ ପତିଆରା ଦୃଷ୍ଟିକୋଣରୁ ଅଧିକ ବ୍ୟଗ୍ରତା ଓ ସର୍ବାଧିକ ଉଷ୍ମତା ଦେଖିବାକୁ ମିଳୁଛି। ସମସ୍ତଙ୍କ ଦୃଷ୍ଟି ବି ଏହିସବୁ ‌କ୍ଷେତ୍ର ଉପରେ ନିବଦ୍ଧ ରହିଛି। ଯେମିତିକି, ଏହିଠାରେ ହିଁ ହେବ
‘ହେଭିୱେଟ୍‌ ଲଢ଼େଇ’…

କେନ୍ଦ୍ରାପଡ଼ା ଲୋକସଭା ଆସନ ବୈଜୟନ୍ତ, ଅନୁଭବ
ଚଳିତ ନିର୍ବାଚନରେ ଯଦି କୋଉ ଆସନ ସବୁଠୁ ବେଶୀ ଚର୍ଚ୍ଚାରେ ରହିଛି ତାହା ହେଉଛି କେନ୍ଦ୍ରାପଡା ଲୋକସଭା ଆସନ। ବିଜେଡି ଛାଡି ନିକଟରେ ବିଜେପିରେ ମିଶିଥିବା ଶିଳ୍ପପତି ବୈଜୟନ୍ତ ପଣ୍ଡା ଏଠାରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ବିଜେଡି ଛିଡା କରିଛି ରାଜ୍ୟସଭା ସାଂସଦ ତଥା ଓଲିଉଡ୍‌ର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ। ବୈଜୟନ୍ତ ଏବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବେଳେ ୨୦୦୯ ଓ ୨୦୧୪ରେ ବିଜୁ ଜନତା ଦଳରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଗୋଟିଏ ପଟେ ରାଜ୍ୟର ଜଣେ ପ୍ରତିଷ୍ଠିତ ଶିଳ୍ପପତି ଏବଂ ଅନ୍ୟପଟେ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗଧାଡ଼ିର ଅଭିନେତାଙ୍କ ମଧ୍ୟରେ ସାମନାସାମ୍‌ନି ଲଢେଇ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଅନୁଭବଙ୍କୁ କାଉଣ୍ଟର କରିବା ପାଇଁ ବିଜେପି ଏବେ ଲୋକପ୍ରିୟ ଅଭିନେତା ବାବୁସାନଙ୍କ ସାହାରା ନେଇଛି। ଅନ୍ୟପକ୍ଷରେ ଏଠାରୁ କଂଗ୍ରେସରୁ ବିଶିଷ୍ଟ ଆଇନଜୀବୀ ଧରଣୀଧର ନାୟକ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ନିର୍ବାଚନ ମଣ୍ଡଳୀର ଭୋଟ୍‌ ଫଳାଫଳ କହିବ କାହାର ଲୋକପ୍ରିୟତା କେତେ?

ପୁରୀ ଲୋକସଭା ଆସନ:  ସମ୍ବିତ, ପିନାକୀ, ସତ୍ୟପ୍ରକାଶ
ହାଇପ୍ରୋଫାଇଲ୍‌ ପୁରୀ ଲୋକସଭା ଆସନ ଉପରେ ଖାଲି ଓଡ଼ିଶା କାହିଁକି, ସମଗ୍ର ଭାରତବର୍ଷର ରହିଛି ନଜର। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ଏଠାରୁ ଲଢିବେ ବୋଲି ଜୋରଦାର ଚର୍ଚ୍ଚା ହେବା ପରେ ଜାତୀୟ ଗଣମାଧ୍ୟମରେ ମର୍ଯ୍ୟାଦାଜନକ ପୁରୀ ସଂସଦୀୟ କ୍ଷେତ୍ର ପାଲଟି ଯାଇଥିଲା ମୁଖ୍ୟ ଖବର। ତେବେ ବାରଣାସୀରୁ ମୋଦୀଙ୍କ ପ୍ରାର୍ଥିତ୍ବ ସ୍ପଷ୍ଟ ହେବା ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ଏହାର ଜଣାଶୁଣା ଟିଭି ଚେହେରା ତଥା ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ରଙ୍କୁ ଏଠାରୁ ଏମ୍‌ପି ପ୍ରାର୍ଥୀ କରିଛି। ଶାସକ ବିଜେଡିକୁ ଏଥର ଚେକ୍‌ ଦେବା ପାଇଁ ବିଜେପି ସୁଚିନ୍ତିତ ରଣକୌଶଳ ସ୍ବରୂପ ସମ୍ବିତଙ୍କୁ ପ୍ରାର୍ଥୀ କରିଥିବା ବେଳେ ସାଂସଦ ପିନାକୀ ମିଶ୍ରଙ୍କ ଉପରେ ବିଜେଡି ପୁଣିଥରେ ଭରସା କରିଛି। ପିନାକୀ ଏଠାରୁ ଲଗାତାର ଦୁଇ ଥର ୨୦୦୯, ୨୦୧୪ରେ ବିଜୟୀ ହୋଇ ଏବେ ହାଟ୍ରିକ୍ ଅପେକ୍ଷାରେ ଅଛନ୍ତି। ସେପଟେ ବିଜେପି, ବିଜେଡିକୁ ଟକ୍କର ଦେବା ପାଇଁ କଂଗ୍ରେସ ଏହାର ରାଜ୍ୟ ମୁଖପାତ୍ର ତଥା ଜଣାଶୁଣା ଟିଭି ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କୁ ରଣାଙ୍ଗନକୁ ଓହ୍ଲାଇଛି। ଏହି ତିନି ପ୍ରାର୍ଥୀଙ୍କ ବିଶେଷତ୍ବ ହେଲା ଏମାନେ ସମସ୍ତେ ଉଚ୍ଚ ଶିକ୍ଷିତ ଓ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ। ଡାକ୍ତର ସମ୍ବିତ ପାତ୍ର କଟକ ଏସ୍‌ସିବି ମେଡ଼ିକାଲ କଲେଜରୁ ୨୦୦୨ ମସିହାରେ ସର୍ଜରୀରେ ପିଜି ସାରିବା ପରେ ୨୦୦୩ ମସିହାରେ ୟୁପିଏସ୍‌ସି ପରିଚାଳିତ କମ୍ବାଇନ୍‌ ମେଡ଼ିକାଲ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦିଲ୍ଲୀ ହିନ୍ଦୁ ରାଓ ହସ୍‌ପିଟାଲରେ ମେଡ଼ିକାଲ ଅଫିସର ଭାବେ ଯୋଗ ଦେଇଥିଲେ। ପରେ ସେ ଚାକିରି ଛାଡ଼ି ସକ୍ରିୟ ରାଜନୀତିକୁ ଆସିଥିଲେ। ଜଣେ ଭଲ ବକ୍ତା ହୋଇଥିବାରୁ ସମ୍ବିତଙ୍କୁ ଦଳ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି। ଭାରତର ପ୍ରମୁଖ ଟିଭି ଚ୍ୟାନେଲଗୁଡ଼ିକରେ ତାଙ୍କୁ ଦେଖିବାକୁ ମିଳିଥାଏ। ବିଜେଡି ସାଂସଦ ପିନାକୀ ମିଶ୍ର ସୁପ୍ରିମ୍‌କୋର୍ଟରେ ଜଣେ ଆଗଧାଡିର ଓକିଲ। ଜାତୀୟସ୍ତରରେ ବି‌େଶଷ କରି ଦିଲ୍ଲୀରେ ଯେଉଁ କେତେକ ଓଡ଼ିଆଙ୍କର ପ୍ରଭାବ ରହିଛି ସେମାନଙ୍କ ମଧ୍ୟରେ ପିନାକୀ ହେଉଛନ୍ତି ଅନ୍ୟତମ। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ଓଡ଼ିଶାର ଜଣେ ଜଣାଶୁଣା ଟିଭି ସାମ୍ବାଦିକ ଥିଲେ। ନିଜର ଦମ୍‌ଦାର୍‌ ଭାଷଣ ଏବଂ ରୋ‌କଠୋକ କଥା ପାଇଁ ସତ୍ୟପ୍ରକାଶ ବେଶ ଚର୍ଚ୍ଚିତ। ତେବେ ସମ୍ବିତ ଓ ସତ୍ୟପ୍ରକାଶଙ୍କର ଏହା ପ୍ରଥମ ନିର୍ବାଚନୀ ଏଣ୍ଟ୍ରି। ସୁତରାଂ ଏହି ଚର୍ଚ୍ଚିତ ଲଢେଇରେ କିଏ ବାଜିମାତ୍‌ କରିବ ତାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ରହିଛି।

ସମ୍ବନ୍ଧିତ ଖବର