ମୋଦୀ ସୁନାମି: ମମତା-ନାଇଡ଼ୁ-ତେଜସ୍ବୀ ସର୍ବାଧିକ କ୍ଷତିଗ୍ରସ୍ତ

ପାଟନ‌ା: ମୋଦୀ ଲହର ବିରୋଧୀ ଦଳମାନଙ୍କୁ ଛାରଖାର କରିଦେଇଛି। ୨୦୧୪ ନିର୍ବାଚନଠାରୁ ମଧ୍ୟ ବଡ଼ ବିଜୟ ହାସଲ କରିଛି ବିଜେପି। ଦଳ ଏକାକୀ ୩୦୦ରୁ ଅଧିକ ଆସନ ଅକ୍ତିଆର କରି ଭାରତର ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ମୋଦୀ ଲହରରେ ଜାତୀୟ ଦଳ ସହ ବହୁ ଆଞ୍ଚଳିକ ରାଜ‌ନୈତିକ ଦଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆରଜେଡି, ଟିଡିପି ଏବଂ ଟିଏମ୍‌ସି। ତେଜସ୍ବୀ ଯାଦବଙ୍କ ‌ନେତୃତ୍ବରେ ଆରଜେଡିକୁ ବିହାରରେ ଗୋଟିଏ ହେଲେ ଆସନ ମିଳିନଥିବା ବେଳେ ଟିଡପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ମାତ୍‌ ଦେଇଛନ୍ତି ୱାଇଏସ୍‌ଆର୍‌ସିପି ମୁଖ୍ୟ ଜଗନ ରେଡ୍ଡି। ସେହିଭଳି ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସବୁ ଯୋଜନାକୁ ଧୁଳିସାତ୍‌ କରିଦେଇଛି ବିଜେପି।

ତେଜସ୍ବୀଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ
ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ଆରଜେଡି ସ୍ଥିତି ବିଗିଡ଼ି ଯାଇଛି। ଲାଲୁଙ୍କ ଅନୁପସ୍ଥିତିରେ ତେଜସ୍ବୀ ଆରଜେଡିର ନେତୃତ୍ବ ନେଇଥିଲେ ମଧ୍ୟ ଏବେ ତାଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। କଂଗ୍ରେସ ଏବଂ ଅନ୍ୟ ଦଳ ସହ ମିଶି ଆରଜେଡି ବିହାରର ୪୦ ଲୋକସଭା ଆସନରୁ ୨୦ଟି‌‌ରେ ନିର୍ବାଚନ ଲଢ଼ିଥିଲା। କିନ୍ତୁ ଆରଜେଡିକୁ ଗୋଟିଏ ହେଲେ ଆସନ ମଧ୍ୟ ମିଳିନାହିଁ। ୨୦୧୪ ଲୋକସଭା ନିର୍ବାଚନରେ ଆରଜେଡି ୨୭ ଆସନ‌ରେ ବିଜୟୀ ହୋଇଥିଲେ ମଧ୍ୟ ଏଥର ଗୋଟିଏ ବି ଆସନ ନ ପାଇବା କର୍ମୀ ମହଲରେ ଘୋର ନୈରାଶ୍ୟ ଖେଳାଇ ଦେଇଛି। ଅନ୍ୟପକ୍ଷେ ବିହାର ମହାମେଣ୍ଟରେ ଅନ୍ୟତମ ଅଂଶୀଦାର କଂଗ୍ରେସ ୯ ଆସନରେ ପ୍ରାର୍ଥୀ‌ ଦେଇଥିବାବେଳେ କେବଳ ଗୋଟିଏ ଆସନରେ ବିଜୟୀ ହୋଇଛି। ସେହିପରି ଆରଏଲଏସପି ଏବଂ ହିନ୍ଦୁସ୍ତାନୀ ଅୱମ ମୋର୍ଚ୍ଚା ମଧ୍ୟ ଖାତା ଖୋଲିପାରି ନାହାନ୍ତି।

ମମତାଙ୍କୁ ଶକ୍ତ ଝଟ୍‌କା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଗଡ଼ରେ ‌ମୋଦୀଙ୍କ ଅକଳ୍ପନୀୟ ପ୍ରଭାବ ଦେଖି ହତବାକ୍‌ ହୋଇଯାଇଛନ୍ତି। ରାଜ୍ୟରେ ୪୨ ଲୋକସଭା ଆସନରୁ ବିଜେପି ୧୮ଟି ନିଜ ଦଖଲକୁ ନେଇଥିବା ବେଳେ ଦିଦିଙ୍କୁ ୨୨ଟି ଆସନ ମିଳିଛି। ବିଜେପିଠାରୁ ଟିଏମ୍‌ସି ସଂଖ୍ୟା ଅଧିକ ଥିଲେ ମଧ୍ୟ ଦିଦିଙ୍କ ଲୋକପ୍ରିୟତାକୁ ପ୍ରଚଣ୍ଡ ଝଟ୍‌କା ଲାଗିଛି। ମୋଦୀଙ୍କୁ ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ଲୋକସଭା ନିର୍ବାଚନ ଫଳାଫଳ ମମତାଙ୍କ ସବୁ ଆଶା ଧୂଳିସାତ୍‌ କରିଦେଇଛି। ମୋଦୀ ଲହରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମମତା। ଆସନ୍ତା ୨୦୨୧ରେ ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଟିଏମ୍‌ସିକୁ ମାତ୍‌ ଦେବାପାଇଁ ଏବେଠାରୁ ପ୍ରୟାସ ଆରମ୍ଭ କରିଦେଲାଣି।

ନାଇଡ଼ୁ ହାର୍‌ ମାନିଲେ
ଲୋକସଭା ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଧରିନେଇ କେନ୍ଦ୍ରରେ ଅଣ ଏନ୍‌ଡିଏ ସରକାର ଗଠନ ପ୍ରୟାସରେ ବିରୋଧୀମାନଙ୍କୁ ଏକଜୁ୍ଟ୍‌ କରିବା କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଗୁରୁଦାୟିତ୍ବ ନିର୍ବାହ କରିଥିଲେ।। ନିକଟରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିଥିଲେ। କିନ୍ତୁ ନାଇଡ଼ୁଙ୍କ ସବୁ ରଣନୀତି ଫେଲ୍‌ ମାରିଲା। ଅଣ ଏନ୍‌ଡିଏ ମେଣ୍ଟ ସରକାର ଦୂରର କଥା ନାଇଡ଼ୁଙ୍କୁ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ଆନ୍ଧ୍ରପ୍ରଦେଶରେ ୨୫ ଲୋକସଭା ଆସନରୁ ୱାଇଏସଆରସିକୁ ୨୨ଟି ମିଳିଥିବାବେଳେ ଟିଡିପିକୁ ମାତ୍ର ୩ଟି ଆସନ ମିଳିଛି। ଅନ୍ୟପକ୍ଷେ ରାଜ୍ୟରେ ୧୭୫ ବିଧାନସଭା ଆସନରୁ ୱାଇଏସ୍‌ଆରସିକୁ ୧୫୧ଟି ଆସନ ମିଳିଥିବାବେଳେ ଟିଡିପିକୁ ୨୩ଟି ଏବଂ ଜେଏସ୍‌ପିକୁ ଗୋଟିଏ ଆସନ ମିଳିଛି। ଆନ୍ଧ୍ରରେ ନାଇଡ଼ୁଙ୍କ ସ୍ଥାନ ନେଇଛନ୍ତି ଜଗନ ରେଡ୍ଡି। ନାଇଡ଼ୁ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମୋଦୀ ଲହର ନାଇଡ଼ୁଙ୍କ ଜାତୀୟ ରାଜନୀତିରେ ଏକପ୍ରକାର ପୂର୍ଣ୍ଣଛେଦ ପକାଇ ଦେଇଛି।

ସମ୍ବନ୍ଧିତ ଖବର