ଟିକେଟ ଆଶାୟୀ ନୁହନ୍ତି ! ନବୀନ ନିବାସ ଆସି ବିଜୟ ପାଇଁ ବିଜେଡି ସୁପ୍ରିମୋଙ୍କୁ ଆଶୀର୍ବାଦ କଲେ ସାଧୁସନ୍ଥ

ଭୁବନେଶ୍ବର : ନେତା ନୁହେଁ ନବୀନ ନିବାସରେ ବାବା । ଟିକେଟ ପାଇଁ ନୁହେଁ ବରଂ ବିଜୟ ପାଇଁ ଦେଇଛନ୍ତି ଆଶୀର୍ବାଦ। ଗତ କିଛି ଦିନ ଧରି ନବୀନ ନିବାସରେ ନେତାଙ୍କ ଭିଡ ଦେଖିବାକୁ ମିଳୁଥିଲା । କିନ୍ତୁ ଏହି ଭିଡ ଭିତରେ ଆଜି ବାରି ହୋଇପଡିଥିଲେ ଗେରୁଆ ବସ୍ତ୍ରଧାରୀ ବାବା । ଆଜି ନବୀନ ନିବାସରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଥମେ ବାବାଙ୍କୁ ଦେଖି ନେତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରିକି ବାବାମାନେ କେଉଁ ନେତାଙ୍କ ପାଇଁ ବୋଧହୁଏ ଟିକେଟ ଲବି କରିବାକୁ ଆସିଥିବା ନେଇ ନବୀନ ନିବାସରେ ଡେରା ପକାଇଥିବା ନେତା ଟୁପୁର ଟାପୁର ହୋଇଥିଲେ । କିନ୍ତୁ ନବୀନଙ୍କ ସହ ଭେଟ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ।

ଉତ୍କଳୀୟ ସନାତନ ଧର୍ମ ପରିଷଦର ସଦସ୍ୟଗଣ ନବୀନଙ୍କୁ ଭେଟିବା ପରେ ୨୦୧୯ ନିର୍ବାଚନ ପାଇଁ ଆଶୀର୍ବାଦ ଦେଇଥିଲେ । ଦୀର୍ଘ ୨୦ ବର୍ଷ ଧରି ନବୀନ ଓଡ଼ିଶାରେ ଯେଉଁ ଜନହିତକର କାମ କରିଛନ୍ତି ସେଥିପାଇଁ ରାଜ୍ୟର ପୁରପଲ୍ଲୀରେ ନବୀନଙ୍କ କଥା ଚାଲିଛି । ଆଗାମୀ ଦିନରେ ଉତ୍କଳୀୟ ସନାତଦ ଧର୍ମ ପରିଷଦ ପକ୍ଷରୁ ରାଜ୍ୟରେ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ସେଥିପାଇଁ ନବୀନଙ୍କୁ ନିମନ୍ତ୍ରଣ କରିବା ସହ ୨୦୧୯ ନିର୍ବାଚନ ପାଇଁ ଶୁଭ ଆଶୀର୍ବାଦ ପ୍ରଦାନ କରିଥିବା କହିଛନ୍ତି ସାଧୁସନ୍ଥଗଣ । ନିର୍ବାଚନ ପୂର୍ବରୁ ସାଧୁସନ୍ଥଙ୍କର ଏଭଳି ଆଶୀର୍ବାଦ ବିଜେଡି ଶିବିରକୁ ଉତ୍ସାହିତ କରିଛି । ଖାସକରି ସାଧୁ ସନ୍ଥ ମାନଙ୍କୁ ଭେଟୁଥିବା ବେଳେ ନବୀନ ମଧ୍ୟ ବେଶ ଖୁସି ଥିଲେ ।

୨୦୧୯ ନିର୍ବାଚନ ଜିତିବା ପାଇଁ ପ୍ରତ୍ୟେକ ଦଳ ଭିନ୍ନ ଭିନ୍ନ ରଣନୀତି ଆପଣାଉଛନ୍ତି । କିଏ ଅନ୍ୟ ଶିବିରର ସିପାହୀଙ୍କୁ ନିଜ ଶିବିରକୁ ଆଣି ବିଜୟ ପାଇଁ ପଥ ପରିଷ୍କାର କରୁଛି ତ ପୁଣି କେଉଁ ଦଳ ମେଣ୍ଟ କରି ବିଜୟ ବାନା ଉଡାଇବାକୁ ପ୍ରୟାସ ଚଳାଇଛି । ଆଉ ଏସବୁ ଭିତରେ ବିଜେଡି ସୁପ୍ରିମୋଙ୍କୁ ସାଧୁସନ୍ଥ ମାନଙ୍କ ଆଶୀର୍ବାଦ ଦଳୀୟ ନେତାଙ୍କ ମନୋବଳ ବୃଦ୍ଧି କରିଛି ।

ସମ୍ବନ୍ଧିତ ଖବର