୩୦ରେ ନୂଆ ସରକାର! ମୋଦୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି
୧୬ତମ ଲୋକସଭା ଭଙ୍ଗ ପାଇଁ ସୁପାରିସ, ମେ ୩୦ରେ ମୋଦୀଙ୍କ ଶପଥ ଗ୍ରହଣ ପାଇଁ ଯୋଜନା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍ଡିଏର ଐତିହାସିକ ବିଜୟ ପରେ ଆଜି କେନ୍ଦ୍ର କ୍ୟାବିନେଟ୍ ୧୬ତମ ଲୋକସଭା ଭଙ୍ଗ କରିବାକୁ ସୁପାରିସ କରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ସହ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିବା ସହ ନୂତନ ସରକାର ଦାୟିତ୍ବ ଗ୍ରହଣ କରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମନ୍ତ୍ରି ପରିଷଦକୁ ଦାୟିତ୍ବରେ ରହିବା ପାଇଁ କହିଛନ୍ତି। ଦ୍ବିତୀୟ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ୩୦ରେ ଶପଥ ଗ୍ରହଣ କରିବେ ବୋଲି ଯୋଜନା ହୋଇଛି। ଏହା ପୂର୍ବରୁ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀ ଗସ୍ତ କରିବେ ଏବଂ ଗୁଜରାଟ ଯାଇ ମା’ଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହି ଦୁଇ ଗସ୍ତ କାର୍ଯ୍ୟକ୍ରମ ପରେ ହିଁ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇ ଲୋକସଭା ଭଂଗ ପ୍ରସ୍ତାବ ଗୃହୀତ ହୋଇଥିଲା। ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)କୁ ବିପୁଳ ବିଜୟ ମିଳିଥିବାରୁ ସରକାର ଗଠନ କ୍ଷେତ୍ରରେ କୌଣସି ସମସ୍ୟା ନାହିଁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ୟାବିନେଟ୍ ସୁପାରିସ ଅନୁଯାୟୀ ଲୋକସଭା ଭଙ୍ଗ କରିବାକୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ୧୬ତମ ଲୋକସଭାର କାର୍ଯ୍ୟକାଳ ୩ ଜୁନ୍ରେ ସମାପ୍ତ ହେଉଛି। ୧୭ତମ ଲୋକସଭାର ଗଠନ ୩ ଜୁନ୍ ପୂର୍ବରୁ କରାଯିବ। ଏଥିପାଇଁ ୩ ନିର୍ବାଚନ କମିସନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଏବଂ ନବ ନିର୍ବାଚିତ ସାଂସଦମାନଙ୍କ ତାଲିକା ପ୍ରଦାନ କରିବେ। ନିର୍ବାଚନ ହୋଇଥିବା ମୋଟ ୫୪୨ ଲୋକସଭା ଆସନରୁ କେବଳ ବିଜେପି ୩୦୦ରୁ ଅଧିକ ଆସନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ କ୍ୟାବିନେଟ୍ରେ କାହାକୁ କେଉଁ ବିଭାଗ ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସୁଷମା ସ୍ବରାଜ, ନୀତିନ ଗଡ଼କରୀ, ନିର୍ମଳା ସୀତାରମଣ, ମେନକା ଗାନ୍ଧୀ, ପୀୟୂଷ ଗୋୟଲ, ପ୍ରକାଶ ଜାଭଡେକର ପ୍ରମୁଖ ସାମିଲ ହୋଇଥିଲେ। ଅସୁସ୍ଥତା ଯୋଗୁଁ ଅରୁଣ ଜେଟ୍ଲି କ୍ୟାବିନେଟ୍ ବୈଠକରେ ଯୋଗ ଦେଇପାରି ନଥିଲେ।