ଭୋଟ ପେଡ଼ିର ପୁରୁଣା କଥା, ୧୦୦୦ରୁ କମ୍‌ ଭୋଟରେ ଫଇସଲା

0

‌ସ୍ବରାଜ ମିଶ୍ର: ଲୋକସଭାର ବାଚସ୍ପତି ପଦମଣ୍ଡନ କରିଥିବା ପ୍ରଥମ ଓ ବର୍ତ୍ତମାନ ସୁଦ୍ଧା ଏକମାତ୍ର ଓଡ଼ିଆ ରବି ରାୟ ତାଙ୍କ ଜୀବନକାଳ ଭିତରେ ବିଧାନସଭା ଆସନ ପାଇଁ କେବେ ବି ପ୍ରତିଦ୍ବନ୍ଦ୍ବିତା କରିନାହାନ୍ତି। ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ୱିତା କରି ସେ ତିନିଥର ନିର୍ବାଚିତ ହୋଇଛନ୍ତି। ସେ ପୁରୀରୁ ଥରେ ଓ କେନ୍ଦ୍ରାପଡ଼ାରୁ ଦୁଇ ଥର ଜିଣିଥିଲାବେଳେ, ଜଗତସିଂହପୁରରୁ ଆଦୌ ଜିଣିପାରି ନାହାନ୍ତି। ଏଠାରେ ତାଙ୍କର ରାସ୍ତା ରୋକିଛନ୍ତି କଂଗ୍ରେସ ନେତା ଲକ୍ଷ୍ମଣ ମଲ୍ଲିକ। ଏଥିମଧ୍ୟରୁ ଗୋଟିଏ ନିର୍ବାଚନ ଏତେ ପ୍ରତିଦ୍ବନ୍ଦ୍ୱିତାମୂଳକ ହୋଇଥିଲା ଯେ, ନିର୍ବାଚନଟି ଏକ ହଜାରରୁ କମ୍‌ ଭୋଟରେ ଫଇସଲା ହୋଇଥିଲା। ଏହା ଘଟିଥିଲା ୧୯୮୪ ମସିହାରେ। ଓଡ଼ିଶାରେ ଗଣତାନ୍ତ୍ରିକ ସମାଜବାଦୀ ଆନ୍ଦୋଳନର ଅନ୍ୟତମ ମୁଖ୍ୟ ପୁରୋଧା ରବି ରାୟ ୨୬ ନଭେମ୍ବର ୧୯୨୬ ରେ ଖୋର୍ଦ୍ଧା ଜିଲ୍ଲା ବନମାଳୀପୁର ଅନ୍ତର୍ଗତ ଭଅଁରାଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ଡକ୍ଟର ରାମ ମନୋହର ଲୋହିଆଙ୍କ ପଟ୍ଟଶିଷ୍ୟ ରବି ସଂଯୁକ୍ତ ସମାଜବାଦୀ ପାର୍ଟି (ଏସ୍‌.ଏସ୍‌.ପି.) ତରଫରୁ ଲଢ଼ି ପ୍ରଥମଥର ପାଇଁ ୧୯୬୭ରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୭୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ଜନତାଦଳ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ। ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୧୯୮୦ରେ ସରିବା ପରେ ସେ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ଜନତାଦଳ ତରଫରୁ ଦୁଇଥର ପ୍ରତିଦ୍ବନ୍ଦ୍ୱିତା କରିଛନ୍ତି। ଏହି ସମୟରେ ତାଙ୍କ ବିରୋଧରେ ଲଢ଼ୁଥାନ୍ତି କଂଗ୍ରେସ ନେତା ଲକ୍ଷ୍ମଣ ମଲ୍ଲିକ। ଓଡ଼ିଶାରେ ଦଳିତବର୍ଗଙ୍କ ପାଇଁ ଲଢ଼େଇକରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କଟକ ରୁରାଲ ଆସନରୁ ୧୯୫୨, କଟକ ସଦରରୁ ୧୯୬୧ ଏବଂ ଜଗତସିଂହପୁରରୁ ୧୯୭୧ ଓ ୧୯୭୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ଲକ୍ଷ୍ମଣ, ରବି ରାୟଙ୍କୁ କଡ଼ା ଟକ୍କର ଦେଇଥିଲେ। ଉଭୟ ୧୯୮୦ ଓ ୧୯୮୪ ଲୋକସଭା ନିର୍ବାଚନରେ ସେ କଂଗ୍ରେସ ଦଳ ତରଫରୁ ଲଢ଼ି ରବି ରାୟଙ୍କୁ ପରାସ୍ତ କରିଥିଲେ। ଜନତା ଦଳ ବିରୋଧରେ ଜନ ଅସନ୍ତୋଷ କାରଣରୁ ୧୯୮୦ରେ ନିର୍ବାଚନ ହାରିବା ପରେ ରବି ରାୟ ଜଗତସିଂହପୁରରେ ସାଂଗଠନିକ କାର୍ଯ୍ୟ ଓ ଜନସଂପର୍କ ଏତେ ବଢ଼ାଇଥିଲେ ଯେ, ୧୯୮୪ ନିର୍ବାଚନରେ ସେ ସେଠାରୁ ଜିଣିବା ଏକ ପ୍ରକାର ନିଶ୍ଚିତ ଥିଲା। ମାତ୍ର ୧୯୮୪ ଅକ୍ଟୋବର ୩୧ରେ ଇନ୍ଦିରାଗାନ୍ଧୀ ହତ୍ୟାକାଣ୍ଡ ପରେ ନିର୍ବାଚନର ଅବହାୱା ସମ୍ପୂର୍ଣ୍ଣ ବଦଳିଗଲାଏବଂ ଜଗତସିଂହପୁରବାସୀ ଦେଖିଲେ ତାଙ୍କ ଅଞ୍ଚଳର ସବୁଠାରୁ ବେଶୀ ସଂଘର୍ଷପୂର୍ଣ୍ଣ ଲୋକସଭା ଲଢ଼େଇ।

ରବି ରାୟଙ୍କ ଜୀବନୀ ‘ମାଟିରୁ ଆକାଶ’ ପୁସ୍ତକରେ ଡକ୍ଟର ସୁଲୋଚନା ଦାସ ଲେଖିଛନ୍ତି, ‘‘ପ୍ରଥମେ ପ୍ରଚାରିତ ହୋଇଗଲା ଯେ, ରବି ରାୟ ଜୟଯୁକ୍ତ ହୋଇଗଲେ। ଆନନ୍ଦରେ ପ୍ରାୟ ଅଧିକାଂଶ କର୍ମୀ ଭୋଟଗଣତି ସ୍ଥାନ ଛାଡ଼ି ଚାଲିଆସିଲେ, କିନ୍ତୁ ବଡ଼ ନାଟକୀୟ ଭାବରେ ଶେଷରେ ବିଧିବଦ୍ଧ ଫଳାଫଳ ସରକାରୀ ଭାବରେ ଘୋଷିତ ହେଲା ଯେ, ମାତ୍ର ୧୦୦୦ ଭୋଟରେ ରବି ରାୟ ନିର୍ବାଚନ ହାରିଯାଇଛନ୍ତି।’’ରବି ରାୟଙ୍କ ତରଫରୁ ନିର୍ବାଚନ ମକଦ୍ଦମା କରାଗଲା ଏବଂ ମାନ୍ୟବର ହାଇକୋର୍ଟ ପୁନର୍ବାର ଭୋଟଗଣତି ପାଇଁ ଆଦେଶ ଦେଲେ। ପୁନଃଗଣତିବେଳେ ବହୁ ଅନିୟମିତତା ପରିଲକ୍ଷିତ ହେଲା ଏବଂ ଭୋଟ୍‌ ବ୍ୟବଧାନ କମି ୫୦୦ରେ ରହିଲା। ମାତ୍ର ହାଇକୋର୍ଟ ନିର୍ବାଚନକୁ ରଦ୍ଦ କଲେନାହିଁ। ଆଉମାତ୍ର ବର୍ଷେ ପରେ ନିର୍ବାଚନ ହେବାକୁ ଥିବାରୁ ରବି ରାୟ ମଧ୍ୟ ସୁପ୍ରିମକୋର୍ଟ ଯିବାକୁ ଚାହିଁଲେ ନାହିଁ। ଓଡ଼ିଶାର ସବୁଠାରୁ ପ୍ରତିଦ୍ଵନ୍ଦ୍ୱିତାମୂଳକ ଲୋକସଭା ନିର୍ବାଚନ କଥା ଉଠିଲେ ଲୋକେ ସୁରେନ୍ଦ୍ର ମହାନ୍ତି ଓ ସୁରେନ୍ଦ୍ର ଦ୍ବିବେଦୀଙ୍କ ମଧ୍ୟରେ ଲଢ଼ାଯାଇଥିବା କେନ୍ଦ୍ରାପଡ଼ା ନିର୍ବାଚନ କଥା କୁହନ୍ତି। କିନ୍ତୁ ଜଗତସିଂହପୁରରେ ରବି ରାୟ-ଲକ୍ଷ୍ମଣ ମଲ୍ଲିକ ଲୋକସଭା ଲଢ଼େଇ ଏହାଠାରୁ କୌଣସି ଗୁଣରେ କମ୍‌ ନଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.