ପଦ୍ମ ଧରିଲେ ରଘୁ ମହାନ୍ତି, ରାଜା-ବର୍ଷା ସୋନି ବି ମିଶିଲେ

ଭୁବନେଶ୍ବର: ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ଆଜି ବିଜେପିରେ ସାମିଲ ହୋଇଛନ୍ତି। ନିଜ ପୁଅ-ବୋହୂ ରାଜା-ବର୍ଷା ‌େସାନିଙ୍କ ସମେତ ଶତାଧିକ ସମର୍ଥକଙ୍କ ସହ ସେ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସେମାନଙ୍କୁ ବିଧିବଦ୍ଧ ଭାବେ ସ୍ବାଗତ କରିଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ, ବିଜେପିକୁ ଶକ୍ତିଶାଳୀ କରିବା ପାଇଁ ଉଦ୍ୟମ କରିବି। ବିଜେଡିର କୁଶାସନ ବିରୋଧରେ ଲଢ଼େଇ ଜାରି ରହିବ। ପୂର୍ବତନ ବିଧାୟକ ମନୋରଞ୍ଜନ ସେଠୀ, ବିଜେଡି ନେତା ଯଯାତି ଦାସ, କର୍ଣ୍ଣଲ ବିଶ୍ବାଳ, ରାଧାକୃଷ୍ଣ ମେକପ, ପ୍ରଦୀପ ପ୍ରଧାନ, କୈଳାସ ନାୟକ, ଅତୁଳ ଜେନା, ମନୋରଞ୍ଜନ ଦାସ, ସରସ୍ବତୀ ଦାସମହାପାତ୍ର, ରାଧାଶ୍ୟାମ ମହାପାତ୍ର, ସତ୍ୟ ମହାପାତ୍ରଙ୍କ ସମେତ ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ କଂଗ୍ରେସ ଓ ବିଜେଡିର ବହୁ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ନିର୍ମାପଡ଼ା ବିଧାୟକ ପ୍ରାର୍ଥୀ ପ୍ରଭାତି ପରିଡ଼ା ଓ ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ ଧଳସାମନ୍ତଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ବହୁ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଥିଲେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ କାର୍ଯ୍ୟକ୍ରମକୁ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପରିଚାଳନା କରିଥିଲେ। ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ଓ ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର