ରେଂଗାଲି ଚିତ୍ର ଏବେ ବି ଅସ୍ପଷ୍ଟ: ବିଜେଡି ଟିକେଟ୍‌ ଦୌଡ଼ରେ ଗାନ୍ଧୀ-ରୀନା-ଦିଲୀପ

ବିଜେପିରେ ବି ବିବାଦ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଶିଳ୍ପ ସମୃଦ୍ଧ ରେଂଗାଲି ନିର୍ବାଚନମଣ୍ଡଳୀରେ ‌ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥିତ୍ବ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ବିଧାୟକ ରମେଶ ପଟୁଆ ପୁଣି ଥରେ ବିଜେଡି ଟିକେଟ୍ ପାଇବା ନେଇ ସଂଦେହ ରହିଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେଡି ବ୍ୟାପକ ପରୀକ୍ଷା ନିରୀକ୍ଷା କରିଥିବାବେଳେ ଜାତି ବିବାଦ ନେଇ ଅଦାଲତରେ ମାମଲା ଚାଲିଥିବାରୁ ଏହି ସଂରକ୍ଷିତ ଆସନରୁ ଶ୍ରୀ ପଟୁଆଙ୍କୁ ପୁଣିଥରେ ଟିକେଟ୍ ମିଳିବା ସମ୍ଭାବନା କମ୍ ବୋଲି ଆଲୋଚନା ହେଉଛି। ତଥାପି ଶ୍ରୀ ପଟୁଆ ନିଜର ଦଳୀୟ କାର୍ଯ୍ୟକ୍ରମ ଓ ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ତେବେ ରେଂଗାଲିରୁ ବିଜେଡି ଟିକଟ୍ ପାଇଁ ଏବେ ଜଙ୍ଗଲାର ସରପଞ୍ଚ ଇଂ ଗାନ୍ଧୀ ବେହେରା ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି। ନିଜର ଭଦ୍ର ଓ ମେଳାପି ଆଚରଣ ପାଇଁ ନିର୍ବାଚନମଣ୍ଡଳୀରେ ଲୋକପ୍ରିୟ ଶ୍ରୀ ବେହେରାଙ୍କର ଦୃଢ଼ ସଂଗଠନ ମଧ୍ୟ ରହିଛି। ଦଳର ପୁରୁଣା ନେତା ଓ କର୍ମୀମାନେ ମଧ୍ୟ ଶ୍ରୀ ବେହେରାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରୁଛନ୍ତି। ଶ୍ରୀ ବେହେରା ମଧ୍ୟ ନିର୍ବାଚନମଣ୍ଡଳୀରେ ବୁଲି ନିଜ ସାଂଗଠନିକ କାର୍ଯ୍ୟ ଜାରି ରଖିଛନ୍ତି।

ଅପରପକ୍ଷରେ ନବ ଦାସଙ୍କ ଏକାନ୍ତ ଅନୁଗତ ମୋତିଲାଲ ତନ୍ତୀ ନିକଟରେ ସପତ୍ନୀକ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଶ୍ରୀ ତନ୍ତୀଙ୍କ ପଛରେ ନବଙ୍କ ସମର୍ଥନ ରହିଛି। କିନ୍ତୁ ତାଙ୍କୁ ପ୍ରାର୍ଥୀ କଲେ କାଳେ ସ୍ଥାନୀୟ ବିଜେଡି ଆଶାୟୀ ଓ କର୍ମୀମାନେ ବିଦ୍ରୋହ କରିବେ ସେଥି ପାଇଁ ତାଙ୍କ ପତ୍ନୀ ରୀନା ତନ୍ତୀଙ୍କୁ ଟିକେଟ୍ ଦେବା ପାଇଁ ଯୋଜନା ହୋଇଥିବା କୁହାଯାଉଛି। ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ନିବାସୀ ଶ୍ରୀ ତନ୍ତୀ ଇତି ମଧ୍ୟରେ ରେଂଗାଲିରେ ଘର ନେଇ ଅବସ୍ଥାନ କରିବା ସହ ଜୋରସୋରରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ତେବେ ରେଂଗାଲିରେ ବିଜେଡିର ଅନ୍ୟ ଆଶାୟୀ ସୁବାସ ସିଂହ, ପ୍ରମୋଦ ସୁନା, ଭରତ କରାଳୀ, ସନ୍ତୋଷ ‌ଡନ୍‌ସେନା ପ୍ରମୁଖ ଦଳର ପୁରୁଣା କର୍ମୀଙ୍କ ଭିତରୁ ଜଣକୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି। ନବାଗତଙ୍କୁ ପ୍ରାର୍ଥୀ କଲେ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବ ବୋଲି ସେମାନେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି। ବିଜେଡିର ଅନ୍ୟ ଜଣେ ପ୍ରମୁଖ ଆଶାୟୀ ପ୍ରାର୍ଥୀଭାବେ ଯୁବ ଇଂ ଦିଲୀପ ଦୁରିଆ ମଧ୍ୟ ଜୋରଦାର ଲବି ଚଳାଇଛନ୍ତି। ପ୍ରାୟ ବର୍ଷେ ହେବ ନିର୍ବାଚନମଣ୍ଡଳୀର ଗାଁଗାଁ’ରେ ତାଙ୍କର ସାଂଗଠନିକ କାର୍ଯ୍ୟ ଜାରି ରହିଛି ଓ ସେ ମଧ୍ୟ ଲୋକଙ୍କ ମଧ୍ୟରେ ଆଦୃତ ହୋଇଛନ୍ତି। ବିଜେଡି ତୁଳନାରେ ବିଜେପିର ପ୍ରାର୍ଥିତ୍ବ ଅପେକ୍ଷାକୃତ ସ୍ପଷ୍ଟ ରହିଛି। ଗତ ନିର୍ବାଚନରେ ଅଳ୍ପକେ ପରାଜିତ ହୋଇଥିବା ନାଉରୀ ନାୟକ ଏଥର ବି ପଦ୍ମ ଟିକେଟ୍‌ର ପ୍ରମୁଖ ଦାବିଦାର ଅଛନ୍ତି। ବହୁ ବର୍ଷ ହେଲା ନାଉରୀ ନିର୍ବାଚନମଣ୍ଡଳୀରେ ବୁଲି ନିଜ ସାଂଗଠନିକ କାର୍ଯ୍ୟ ଜାରି ରଖିଛନ୍ତି। ତାଙ୍କ ଉପରେ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ରଙ୍କ ଆଶୀର୍ବାଦ ରହିଛି। ଜୟ-ନାଉରୀଙ୍କ ନେତୃତ୍ବରେ ଗତ ପଞ୍ଚାୟତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରେ ବିଜେପି ଜୋରଦାର ପ୍ରଦର୍ଶନ କରିଥିଲା। ସେହି ପ୍ରଦର୍ଶନକୁ ସାଧାରଣ ନିର୍ବାଚନରେ ବି ବଜାୟ ରଖିବାକୁ ଦଳ ଆଶା ବାନ୍ଧି ଥିଲାବେଳେ ଏବେ କିନ୍ତୁ ଦଳ ଭିତରେ ନାଉରୀଙ୍କ ପ୍ରାର୍ଥୀକୁ ବିରୋଧ କରି ଆଉ ଏକ ଗୋଷ୍ଠୀ ମୁଣ୍ଡ ଟେକିଛି। ଦଳର ପ୍ରାୟ ୫୦ ଜଣ କର୍ମୀ ନାଉରୀଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏହାର ନକଲ ରାଷ୍ଟ୍ରୀୟ ସଭାପତି ଓ ଅନ୍ୟ ପଦାଧିକାରୀଙ୍କୁ ପଠାଇଛନ୍ତି। ବିରୋଧ କରିଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ଜିତେନ ପଣ୍ଡା, ପ୍ରଶାନ୍ତ ପଣ୍ଡା, ଜ୍ୟୋତିର୍ମୟ ସାହୁ, ଭଗବାନ ମାହାନା, ଡ. ଅର୍ଜୁନ ନାୟକ, ଉତ୍ତମ ବିଶ୍ବାଳ, ସଲିଳା ପଣ୍ଡା, ସରୋଜିନି ବ‌ନଛୋର, ଶ୍ରୀପତି ଷଣ୍ଢ ପ୍ରମୁଖ। ସେମାନଙ୍କ ମଧ୍ୟରୁ କିଛି ଜଣ ମଧ୍ୟ ଭୁବନେଶ୍ବର ଯାଇ ଦଳୀୟ ନେତୃବୃନ୍ଦଙ୍କୁ ଫେରାଦ ହୋଇଛନ୍ତି। ଏହି ସମସ୍ତ କର୍ମକର୍ତ୍ତା ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀଙ୍କ ସମର୍ଥକ ହୋଇଥିବାବେଳେ ଦଳ ପ୍ରତି ଶ୍ରୀ ନାୟକଙ୍କ ଆନୁଗତ୍ୟ ନଥିବା ସେମାନେ ଅଭିଯୋଗ କରିଛନ୍ତି। ନାଉରୀଙ୍କ ବ୍ୟତୀତ ହରିହର ମହାନନ୍ଦ ବିଜେପି ଟିକଟର ଅନ୍ୟତମ ପ୍ରମୁଖ ଦାବିଦାର ଅଛନ୍ତି। କଂଗ୍ରେସ୍‌ ଟିକେଟ ପାଇଁ ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ବାଳକୃଷ୍ଣ ରୋହିଦାସ, ତପସ୍ୟା ମହାନନ୍ଦ, ସୂଚନା ଅଧିକାର କର୍ମୀ ସଂଜୟ ଛୁରିଆ, ଆଇନ୍‌ଜୀବୀ ପ୍ରମୋଦ ଛୁରିଆ ପ୍ରମୁଖ ଆଶାୟୀ ଅଛନ୍ତି। କଂଗ୍ରେସ୍‌ର ପ୍ରାୟ ୨୦ ଜଣ ଆଶାୟୀ ପ୍ରାର୍ଥୀ ରେଂଗାଲି ଟି‌କେଟ୍ ପାଇଁ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର