ସନତ ଖେଳିବେ କୁଲ୍‌ତା କାର୍ଡ!

ବରଗଡ଼: ବିଜେପୁର ବିଧାନସଭା ଆସନ ପାଇଁ ଚିତ୍ର ସ୍ପଷ୍ଟ ହୋଇଛି। ସୋମବାର ମଧ୍ୟରାତ୍ର ପରେ ବିଜେପି ସନତ ଗଡ଼ତିଆଙ୍କୁ ମଇଦ‌ାନକୁ ଓହ୍ଲାଇଛି। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସର ରିପୁନାଥ ସେଠ ଏବଂ ବିଜେପିରୁ ସନତ ଟକ୍କର ଦେବେ। ରିପୁନାଥଙ୍କ ପୂର୍ବରୁ ନିର୍ବାଚନ ଅଭିଜ୍ଞତା ଅଛି। ସନତ ପ୍ରଥମ ଥର ପାଇଁ ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ଅଭିଜ୍ଞତା ମାନଦଣ୍ଡରେ‌ ସେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ଠାରୁ ପଛରେ ଅଛନ୍ତି। କିନ୍ତୁ ବିଜେପୁରର ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ସେ ଅଛନ୍ତି। ଜମିଦାର ପରିବାରର ସନତ ଏକଦା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘନିଷ୍ଠ ଥିଲେ। ପ୍ରସନ୍ନଙ୍କ ତତ୍ବାବଧାନରେ ସେ ରାଜନୀତି ପାଠ ଶିଖିଥିଲେ। ଗତ ବିଜେପୁର ଉପନିର୍ବାଚନ ବେଳେ ବିଜେଡିରୁ ବିଜେପିକୁ ଲମ୍ଫ ଦେଇଥିଲେ। ତାଙ୍କ ମିଶ୍ରଣ ପର୍ବକୁ ବିଜେପି ସେତିକି ବେଳେ ଭବ୍ୟ ରୂପ ଦେବାକୁ ଚେଷ୍ଟା କରିଥିଲା।

ସନତଙ୍କୁ ଅପ୍ରତ୍ୟାଶିତ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ଏବେ ତାଙ୍କର ସଂଗଠନ ସଜାଡ଼ିବା ପ୍ରଥମ ଲକ୍ଷ୍ୟ ‌ହୋଇଛି। ବିଶେଷକରି କୁଲତା ଭୋଟ୍‌ ସାଉଁଟିବାକୁ ସେ ଉଦ୍ୟମ କରିବେ। ବିଜେପୁର ନିର୍ବାଚନମଣ୍ଡଳୀର ଜନସଂଖ୍ୟାକୁ ଆକଳନ କଲେ ଏଠ‌ାରେ ୭୦ ପ୍ରତିଶତ କୁଲତା ଅଛନ୍ତି। ତେଣୁ ଏହି ଭୋଟ୍‌ବ୍ୟାଙ୍କକୁ ନିଜ ପକ୍ଷକୁ ଟାଣିବାକୁ ସନତ କସରତ କରିବେ ବୋଲି କୁହାଯାଉଛି। ଏହି ନିର୍ବାଚନମଣ୍ଡଳୀ ବରପାଲି, ବିଜେପୁର ଏବଂ ଗାଇସିଲାଟ୍‌କୁ ନେଇ ଗଠିତ। ୧୯୬୧ ମସିହାରୁ ୨୦୧୪ ଯାଏଁ ଏହି ଆସନ ୧୩ଟି ସାଧାରଣ ନିର୍ବାଚନ ଏବଂ ଦୁଇଟି ଉପନିର୍ବାଚନର ସାମନା କରିଛି। କିନ୍ତୁ ୪ଜଣ ବିଜେପୁର ବାସିନ୍ଦାଙ୍କୁ ହିଁ ଟିକଟ୍‌ ମିଳିଛି। ଜନତା ଦଳରୁ ଦେବାନନ୍ଦ ଗଡ଼ତିଆ, ନିତ୍ୟାନନ୍ଦ ଗଡ଼ତିଆ (୧୯୭୭), ୧୯୭୪ରେ କଂଗ୍ରେସରୁ ମାର୍କଣ୍ଡ ପ୍ରଧାନ ଏବଂ ୧୯୯୧ ଉପନିର୍ବାଚନରେ ଘନଶ୍ୟାମ ସାହୁଙ୍କୁ ବିଜେପି ଟିକଟ୍‌ ଦେଇଥିଲା। ନହେଲେ ସର୍ବାଧିକ ଥର ବରପାଲି ଏବଂ ବରଗଡ଼ର ପ୍ରାର୍ଥୀ ଏଠାରେ ନିର୍ବାଚନ ଲଢ଼ିବା ନଜିର ରହିଛି। ତେଣୁ ସ୍ଥାନୀୟ ପ୍ରାର୍ଥୀ ହିସାବରେ ମନୋନୀତ ହୋଇଥିବାରୁ ଏହାର ସୁଯୋଗ ଉଠାଇବାକୁ ସେ ଚେଷ୍ଟା କରିବେ ବୋଲି ସମୀକ୍ଷକଙ୍କ ମତ।

ସମ୍ବନ୍ଧିତ ଖବର