କଂଗ୍ରେସରେ ସୁରେନ୍ଦ୍ର-ଶରତ କଳି!

ବଲାଙ୍ଗୀର/ଟିଟିଲାଗଡ: ଟିଟିଲାଗଡ ଆସନରେ ପୂର୍ବତନ ସାଂସଦ ଶରତ ପଟ୍ଟନାୟକଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ପୂର୍ବତନ ବିଧାୟକ ସୁରେନ୍ଦ୍ର େଭାଇଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶରତ ପଟ୍ଟନାୟକ ମୁର୍ଦ୍ଦାବାଦ ନାରା ଦେଇ ସେମାନେ ସଇଁତଲାରେ ଦୋକାନବଜାର ବନ୍ଦ କରାଇଛନ୍ତି। ଏହାସହ ସୁରେନ୍ଦ୍ର ସିଂଭୋଇ ଜିନ୍ଦାବାଦ ନାରା ଦେଇ ଟିକଟ ଅନ୍ୟ କୌଣସି ପ୍ରାର୍ଥୀଙ୍କୁ ଦେଲେ ବିରୋଧ କରାଯିବ ବୋଲି କହିଛନ୍ତି। ସୁରେନ୍ଦ୍ର ସିଂଭୋଇ ୧୯୯୫ରେ ବିଧାୟକ ଭାବେ ଜିତିଥିଲେ। ସେ ସମୟରେ ୬ ମାସ ପାଇଁ ମନ୍ତ୍ରୀ ମଧ୍ୟ ହୋଇଥିଲେ। ପରେ ୨୦୦୦ରୁ ୨୦୦୪ ମଧ୍ୟ ବିଧାୟକ ରହିଥିଲେ। ୨୦୦୪ରେ ସେ କଳିକେଶ ନାରାୟଣ ସିଂଦେଓଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ପରେ ସଇଁତଲା ନିର୍ବାଚନମଣ୍ଡଳୀ ବିଲୁପ୍ତ ହୋଇ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅଧୀନରେ ରହିଥିଲା। ୨୦୦୯ ନିର୍ବାଚନରେ ସୁରେନ୍ଦ୍ର ବିଜେଡିର ଯୋଗେନ୍ଦ୍ର ବେହେରାଙ୍କୁ ହରାଇ ବିଧାୟକ ହୋଇଥିଲେ। ୨୦୧୪ ନିର୍ବାଚନରେ ସୁରେନ୍ଦ୍ର ବିଜେଡି ପ୍ରାର୍ଥିନୀ ଟୁକୁନୀ ସାହୁଙ୍କଠାରୁ ପରାସ୍ତ ହୋଇଥିଲେ। ଗତ ୫ ବର୍ଷ ହେଲା ସେ ସଂଗଠନ ଚଳାଇଥିଲେ। ୨୦୧୯ ନିର୍ବାଚନ ପାଇଁ ଟିକଟ ଆନୁଷ୍ଠାନିକ ଭାବରେ ଘୋଷଣା ହୋଇ ନଥିଲେ ହେଁ ଗତ କିଛି ଦିନ ହେଲା ପୂର୍ବତନ ସାଂସଦ ଶରତ ପଟ୍ଟନାୟକଙ୍କ ନାଁ ସେହି ନିର୍ବାଚନମଣ୍ଡଳୀରୁ ଚର୍ଚ୍ଚାକୁ ଆସିଛି। ଦୁଇ ଦିନ ତଳେ ଶରତ ହିଁ ଉକ୍ତ ଆସନରୁ ଟିକଟ ପାଇବେ ବୋଲି ଦଳ ଭିତରେ ଚର୍ଚ୍ଚା ଜୋର ଧରିବା ପରେ ସୁରେନ୍ଦ୍ର ନିକଟକୁ ଖବର ପହଞ୍ଚି ଥିଲା। ସୁରେନ୍ଦ୍ର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ତାଙ୍କପ୍ରତି ବିଶ୍ୱାସଘାତ ହୋଇଥିବା ମନ୍ତବ୍ୟ ଦେଇଛନ୍ତି। ଶରତଙ୍କ କୌଣସି ସଂଗଠନ ନାହିଁ। ଟିକଟ ଘୋଷଣା ପରେ ସେ ଆଗକୁ ଚିନ୍ତା କରିବାକୁ କହୁଛନ୍ତି। ଅନ୍ୟପଟେ ଶରତ ନିଜେ ସମ୍ବଲପୁରରୁ ଆଶାୟୀ ଥିବା ବେଳେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ସେ ମାନିବେ ବୋଲି କହୁଛନ୍ତି। ଏଭଳି ସ୍ଥିତିରେ ଟିଟିଲାଗଡରେ ଏବେ ଶରତ-ସୁରେନ୍ଦ୍ରଙ୍କ ଭିତରେ କଳି ଆରମ୍ଭ ହୋଇଛି। ପୂର୍ବରୁ ଶରତ-ସୁରେନ୍ଦ୍ର ଯୋଡ଼ି ସଇଁତଲାରେ ଖୁବ ଜମିଥିଲା। ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ କଂଗ୍ରେସର ସମାବେଶମାନଙ୍କରେ ଉଭୟଙ୍କୁ ଏକାସାଙ୍ଗରେ ଦେଖିବାକୁ ମିଳୁଥିଲା।

ସମ୍ବନ୍ଧିତ ଖବର