ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ : ଦେଶର ୧୧୬ ଲୋକସଭା ଆସନରେ ୧୬୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

ଅମିତ ଶାହ, ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା ଜାରି

ନୂଆଦିଲ୍ଲୀ:  ଦେଶରେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ୧୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ ୧୧୬ଟି ଲୋକସଭା ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏଯାବତ ମତଦାନ ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ଖବର ମିଳିଛି। ତେବେ କେତେକ  ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି। ଫଳରେ କେତେକ ନିର୍ବାଚନ ମଣ୍ଡଳୀରେ ମତଦାନ ବିଳମ୍ବିତ ହୋଇଛି।

ଏହି ପର୍ଯ୍ୟାୟରେ ୧୬୦୦ରୁ ଅଧିକ ପ୍ରାର୍ଥୀ ଲୋକସଭାକୁ ଯିବା ପାଇଁ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ରାଜ୍ୟ ‌ଗୁଜରାଟରେ ମୋଟ ୨୬ଟି ଆସନରେ ଏହି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେହିଭଳି କେରଳର ସମସ୍ତ ୨୦ଟି ଯାକ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ ହେଉଛି । କର୍ଣ୍ଣାଟକର ୨୮ଟି ଆସନ ମଧ୍ୟରୁ ୧୪ଟି, ମହାରାଷ୍ଟ୍ରର ୪୮ଟି ଆସନ ମଧ୍ୟରୁ ୧୪ଟି ଆସନରେ ମତଦାନ ଚାଲିଛି । ଏତଦବ୍ୟତୀତ ଉତ୍ତର ପ୍ରଦେଶର ୧୦ଟି, ଛତିଶଗଡ଼ର ୭ଟି, ଓଡ଼ିଶାର ୬ଟି, ବିହାର ଓ ପଶ୍ଚିମ ବଙ୍ଗର ୫ଟି ଲେଖାଏଁ, ଆସାମର ୪ଟି, ଗୋଆର ୨ଟି ଏବଂ ତ୍ରିପୁରା, ଜମ୍ମୁ କଶ୍ମୀର, ଦାଦ୍ରା ଓ ନଗର ହାବେଳୀ, ଡାମନ ଓ ଡିଉରେ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ଜାରି ରହିଛି । ୭ଟି ପର୍ଯ୍ୟାୟ ମଧ୍ୟରୁ ତୃତୀୟ ପର୍ଯ୍ୟାୟରେ ସର୍ବାଧିକ ଆସନରେ ମତଦାନ ହେଉଛି।

ଏହି ପର୍ଯ୍ୟାୟରେ ବିଜେପି ସଭାପତି ଅମିତ ଶାହ (ଗାନ୍ଧୀ ନଗର) , କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ(ୱାୟନାଡ଼), ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବ ଏବଂ ଆରଜେଡି ନେତା ଶରଦ ଯାଦବ ପ୍ରମୁଖ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି।

ଏଥିସହିତ ଚୂଡ଼ାନ୍ତ ତଥା ଶେଷ ପର୍ଯ୍ୟାୟ ପାଇଁ ଗତକାଲି ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୫୯ଟି ଆସନ ପାଇଁ ଆସନ୍ତାମାସ ୧୯ ତାରିଖରେ ଭୋଟଦାନ ହେବ। ନିର୍ବାଚନ ଫଳାଫଳ ଆସନ୍ତାମାସ ୨୩ ତାରିଖରେ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର