ଉଡ଼ାଣ ପୂର୍ବରୁ ମଦ୍ୟପାନ ମହଙ୍ଗା ପଡ଼ିଲା; ନିଲମ୍ବିତ ହେଲେ ମହିଳା ପାଇଲଟ

ନୂଆଦିଲ୍ଲୀ: ପ୍ରଶିକ୍ଷଣ (ଟ୍ରେନିଂ) ପରେ ଏୟାର ହୋଷ୍ଟେସ୍‌ରୁ ପାଇଲଟ୍‌ ହୋଇ ପାରିଥିବା ଜଣେ ଯୁବତୀଙ୍କୁ ଉଡ଼ାଣ ପୂର୍ବରୁ ମଦ୍ୟପାନ କରିଥିବା ଆରୋପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଭତ ରବିବାର କାର୍ଯ୍ୟ ନିଲମ୍ବିତ କରିଛନ୍ତି।
ଏୟାର ଇଣ୍ଡିଆ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ରବିବାର ଦିନ ବେଙ୍ଗାଲୁରୁରୁ ତ୍ରିଭେନ୍ଦମ୍‌ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଆର ଏଆଇ ୫୮୩ ନମ୍ବର ବିମାନର କୋ-ପାଇଲଟ୍‌ ଥିଲେ ଏୟାର ହୋଷ୍ଟେସ୍‌ରୁ ପାଇଲଟ୍‌ ହୋଇଥିବା ସଂପୃକ୍ତା ଯୁବତୀ। ତେବେ, ବିମାନଟି ଉଡ଼ାଣ ଭରିବା ପୂର୍ବରୁ ଯେତେବେଳେ ବ୍ରେଥ୍‌ ଆନାଲାଇଜର ଜରିଆରେ ପାଇଲଟ୍‌ମାନଙ୍କର ପରୀକ୍ଷା କରା ଯାଇଥିଲା ସେତେବେଳେ ମହିଳା ପାଇଲଟ୍‌ ଜଣକ ମଦ୍ୟପାନ କରିଥିବା ଜାଣିବାକୁ ମିଳିଥିଲା। ପରେ, ତାଙ୍କୁ ଯେତେବେଳେ ମେଡିକାଲ ନିଆଯାଇ ତାଙ୍କର ରକ୍ତ ପରୀକ୍ଷା କରାଗଲା ସେତେବେଳେ ସେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିବା ଜଣା ପଡ଼ିଥିଲା। ଏ ଘଟଣା ଜଣା ପଡ଼ିବା ପରେ ସଂପୃକ୍ତା ମହିଳା ପାଇଲଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଏୟାର ଇଣ୍ଡିଆର ଜନୈକ ବରିଷ୍ଠ କର୍ମଚାରୀ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର