ଡେରା ସଚ୍ଚା ସୌଦା ମାମଲା: ଆତ୍ମସମର୍ପଣ ପାଇଁ ସର୍ତ୍ତ ରଖିଲେ ହନିପ୍ରୀତ

ଚଣ୍ଡିଗଡ଼ : ଡେରା ସଚ୍ଚା ସୌଦା ସଂପ୍ରଦାୟର ମୁଖ୍ୟ ରାମରହିମ ସିଂହ ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଯିବାପରେ ଫେରାର ରହିଥିବା ତାଙ୍କ ପାଳିତା ଝିଅ ହନିପ୍ରୀତ ଇନସାନଙ୍କୁ ଗିରଫ କରିବାକୁ ହରିଆଣା ପୁଲିସ ବ୍ୟାପକ ଉଦ୍ୟମ ଚଳାଇଛି। ଗିରଫରୁ ବର୍ତ୍ତିବାକୁ ସେ ଓକିଲଙ୍କ ମାଧ୍ୟମରେ ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହାକୁ ଖାରଜ କରି ଆତ୍ମସମର୍ପଣ କରିବାକୁ ତାଙ୍କୁ ଗତ ମଙ୍ଗଳବାର ପରାମର୍ଶ ଦେଇଥିଲେ। ପୁଲିସ ଗିରଫଦାରି ଏଡ଼ାଇବାକୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବା, ଲୁଚି ରହିବା ଆଦି କାରଣରୁ ସେ ମାନସିକ ଅବସାଦ ମଧ୍ୟରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଛି ଓ ସେ ଦୁର୍ବଳ ହୋଇପଡ଼ିଥିବାରୁ ଆତ୍ମସମର୍ପଣ କରିବାକୁ ରାଜି ହୋଇଛନ୍ତି। ତେବେ ଏଥିପାଇଁ ହନିପ୍ରୀତ ପୁଲିସ ନିକଟରେ କେତେକ ସର୍ତ୍ତ ଆରୋପ କରିଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି।
ହନିପ୍ରୀତ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିବାବେଳେ ଏଥିରେ ତାଙ୍କ ସ୍ୱାକ୍ଷର ରହିଥିବାରୁ ସେ ଦିଲ୍ଲୀର କୌଣସି ସ୍ଥାନରେ ଲୁଚି ରହିଥିବା ପୁଲିସ ସନ୍ଦେହ କରୁଛି। ଦିଲ୍ଲୀରେ ଜଣେ ଓକିଲଙ୍କ ଘର ପାଖ ସିସିଟିଭିରୁ ମିଳିଥିବା ଫଟୋରେ ତାଙ୍କ ଭଳି ଜଣେ ମହିଳା ବୁର୍ଖା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଆସନ୍ତା ଅକ୍ଟୋବର ୩୦ସୁଦ୍ଧା ସେ ଆତ୍ମସମର୍ପଣ ନକଲେ ତାଙ୍କୁ ଅପରାଧୀ ଭାବେ ଘୋଷଣା କରାଯିବ ବୋଲି ପଞ୍ଚକୁଳା ପୁଲିସ ନିଷ୍ପତ୍ତି ନେଇଛି। ଏହାସହ ପଞ୍ଚକୁଲା କୋର୍ଟ ପକ୍ଷରୁ ଫେରାର ରହିଥିବା ରାମରହିମଙ୍କ ୩ ପ୍ରମୁଖ ସହଯୋଗୀ ହନିପ୍ରୀତ, ଆଦିତ୍ୟ ଇନସାନ ଓ ପବନ ଇନସାନଙ୍କ ବିରୋଧରେ ଗିରଫ ଓ୍ଵାରେଣ୍ଟ ଜାରି କରାଯାଇଛି।
ରାମରହିମ ପଞ୍ଚକୁଳାର ସ୍ୱତନ୍ତ୍ର ସିବିଆଇ କୋର୍ଟଦ୍ୱାରା ଦୋଷୀ ସାବ୍ୟସ୍ତ ହେବାପରେ ହନିପ୍ରୀତଙ୍କ ଇଙ୍ଗିତରେ ବ୍ୟାପକ ହିଂସା ଘଟିଥିଲା ବୋଲି ପୁଲିସ କହିଛି। ଏହି ହିଂସାରେ ୩୮ଜଣ ପ୍ରାଣ ହରାଇଥିଲେ ଓ କୋଟି କୋଟି ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଥିଲା। ତାଙ୍କ ବିରୋଧରେ ହିଂସା ଉସୁକାଇବା ଓ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର