ନକ୍ସଲ ଶିବର ମଧ୍ୟରୁ ନାବାଳିକାକୁ ଉଦ୍ଧାର କଲା ପୁଲିସ୍‌; ସଂଗଠନରେ କାମ କରିବା ବାହାନାରେ ଯୁବତୀ ଓ ନାବାଳିକାଙ୍କୁ ଉଠାଇ ନେଉଛନ୍ତି ନକ୍ସଲ

ଲତିହାର (ଝାଡ଼ଖଣ୍ଡ): ନକ୍ସଲମାନଙ୍କର କୌଣସି ନୀତି ଓ ଆଦର୍ଶ ନାହିଁ! ସେମାନେ ମଧ୍ୟ ସମାଜର ଅନ୍ୟ ଅପରାଧୀମାନଙ୍କ ପରି ଅପରାଧୀ! ଝାଡ଼ଖଣ୍ଡର ଏକ ନକ୍ସଲ ଶିବିର ଉପରେ ଲତିହାର ପୁଲିସ୍‌ ମଙ୍ଗଳବାର ରାତିରେ ଚଢ଼ାଉ କରି ଶିବିର ମଧ୍ୟରୁ ଜନୈକା ନାବାଳିକାକୁ ଉଦ୍ଧାର କରିବା ପରେ ଏହି ଘଟଣା ସ୍ପଷ୍ଟ ହୋଇ ଯାଇଛି। ଏଥିସହ ନକ୍ସଲମାନେ ସେମାନଙ୍କର ଯୌନ ଲାଳସା ମେଣ୍ଟାଇବା ପାଇଁ ନକ୍ସଲ ଅଧ୍ୟୁଷିତ ଅଞ୍ଚଳର ଗ୍ରାମମାନଙ୍କରୁ ବଳ ପୂର୍ବକ ଭାବେ ଯୁବତୀ ଓ ନାବାଳିକାମାନଙ୍କୁ ଉଠାଇନେବା ସହ ସେମାନଙ୍କୁ ସଂଗଠନରେ ସାମିଲ କରାଇବା ବାହାନାରେ ଦୁଷ୍କର୍ମ କରୁଥିବା ଘଟଣା ମଧ୍ୟ ସାମନାକୁ ଆସିଛି।

ଝାଡ଼ଖଣ୍ଡ ଲତିହାର ଜିଲ୍ଲା ଏସ୍‌ପି ପ୍ରଶାନ୍ତ ଆନନ୍ଦଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଲତିହାର ସନ୍ନିକଟ ଜଙ୍ଗଲ ମଧ୍ୟରେ ଏକ ନକ୍ସଲ ଶିବିର ଚାଲିଥିବା ଖବର ପାଇ ଲତିହାର ପୁଲିସ୍‌ ସଦଳବଳେ ଉକ୍ତ ନକ୍ସଲ ଶିବିର ଉପରେ ଚଢ଼ାଉ କରିଥିଲା। ତେବେ, ପୁଲିସ୍‌ ଚଢ଼ାଉ ସଂପର୍କରେ ଖବର ପାଇଯିବା ପରେ ନକ୍ସଲମାନେ ଶିବିର ଛାଡ଼ି ପଳାଇ ଥିବା ବେଳେ ନକ୍ସଲ ଶିବିର ମଧ୍ୟରେ ଥିବା ଜନୈକା ନାବାଳିକାକୁ ଉଦ୍ଧାର କରିଥିଲା ପୁଲିସ୍‌। ନକ୍ସଲ ଶିବିର ମଧ୍ୟରୁ ନାବାଳିକା ଜଣକୁ ଉଦ୍ଧାର କରି ଅଣାଯିବା ପରେ ସେ ପୁଲିସ୍‌କୁ କହିଛି ଯେ ତା’କୁ ନକ୍ସଲମାନେ ବାହା କରାଇଦେବାର ପ୍ରତିଶ୍ରୁତି ଦେଇ ତାକୁ ତା’ ଘରୁ ନେଇ ଆସିଥିଲେ।

ଲତିହାର ଜିଲ୍ଲା ଏସ୍‌ପି ପ୍ରଶାନ୍ତ ଆନନ୍ଦ ମଧ୍ୟ ଏକଥାକୁ ସ୍ୱୀକାର କରିବା ସହ ଗଣମାଧ୍ୟମକୁ କହିଛନ୍ତି ଯେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳର ଗ୍ରାମମାନଙ୍କରୁ ଏବେ ନକ୍ସଲମାନେ ବଳ ପୂର୍ବକ ଭାବେ ଯୁବକ ଯୁବତୀ ଏପରିକି ନାବାଳକ ନାବାଳିକାମାନଙ୍କୁ ମଧ୍ୟ ନକ୍ସଲ ସଂଗଠନରେ କାମ କରିବାର ବାହାନାରେ ଉଠାଇ ନେଉଥିବାର ଏକାଧିକ ଘଟଣା ନଜରକୁ ଆସିଲାଣି। ତେଣୁ, ଏହି ପରିପ୍ରେକ୍ଷୀରେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ଗ୍ରାମମାନଙ୍କର ଗ୍ରାମବାସୀମାନଙ୍କୁ ଏଦିଗରେ ସଚେତନ କରିବା ପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି, ଲତିହାର ଜିଲ୍ଲା ଏସ୍‌ପି ପ୍ରଶାନ୍ତ ଆନନ୍ଦ।

ସମ୍ବନ୍ଧିତ ଖବର