ପୁଣି ଖରାପ ହେଲା ଆମେରିକା-ଉତ୍ତରକୋରିଆ ସଂପର୍କ, ଜୁନ ୧୨ରେ ହେବାକୁ ଥିବା ଟ୍ରମ୍ପ-କିମ ଆଲୋଚନା ବାତିଲ

ଓ୍ଵାସିଂଟନ ଡିସି : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତରକୋରିଆ ଶାସନ ମୁଖ୍ୟ କିମ ଜଙ୍ଗ ଉନଙ୍କ ସହ କଥାବାର୍ତ୍ତାକୁ ବାତିଲ କରିଛନ୍ତି । ଆଜି ହ୍ଵାଇଟ ହାଉସ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏକଥା ଘୋଷଣା କରାଯାଇଛି । ଟ୍ରମ୍ପ କହିଛନ୍ତି ଯେ ଆଜି ଉତ୍ତରକୋରିଆ ପକ୍ଷରୁ ଦିଆଯାଇଥିବା ବକ୍ତବ୍ୟ ବେଶ ଦୁର୍ଭାଗ୍ୟଜନକ ଥିଲା । ଏଥିରେ କ୍ରୋଧ ଓ ଧମକ ବେଶ ସ୍ପଷ୍ଟ ଜଣାପଡୁଥିଲା । ଏ ପରିପ୍ରେକ୍ଷୀରେ ଆଉ କଥାବାର୍ତ୍ତା କରିବା ଠିକ ହେବ ନାହିଁ । ଏହି ସୁଯୋଗ ଚାଲିଯାଇଛି, ଆଗକୁ ଆଶା କରୁଛି ଯେ କିମ୍‌ଙ୍କ ସହ ସାକ୍ଷାତ ହେବ । ଆଜି ଉତ୍ତରକୋରିଆ ଜୁନ ୧୨ରେ ହେବାକୁ ଥିବା କଥାବାର୍ତ୍ତାରୁ ଓହରିବା ପାଇଁ ଧମକ ଦେଇଥିଲା ଓ ଆବଶ୍ୟକ ପଡିଲେ ଆମେରିକା ସହ ପରମାଣୁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି ବୋଲି ଚେତାବନୀ ଦେଇଥିଲା । ତେବେ କିମ ନିଜର ପୂର୍ବ ପ୍ରତିଶୃତି ମୁତାବକ ନିଜର ପରିମାଣୁ ପରୀକ୍ଷଣ ସ୍ଥଳରେ ଥିବା ଟନେଲଗୁଡ଼ିକୁ ଧ୍ୱଂସ କରିଦେଇଛନ୍ତି । ଗତ ମାସରେ କିମ୍‌ ଜଙ୍ଗ ୟୁନ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁ ଜେ ଇନଙ୍କ ମଧ୍ୟରେ କଥାବାର୍ତ୍ତା ପରେ କୋରିଆ ଉପଦ୍ୱୀପରେ ପରମାଣୁ ନିରସ୍ତୀକରଣ ପାଇଁ ଉଭୟ ଦେଶ ସହମତ ହୋଇଥିଲେ । ଏହା ସହିତ ବିଗତ ଅନେକ ଦଶନ୍ଧୀ ଧରି ଚାଲିଥିବା କୋରିଆ ଯୁଦ୍ଧକୁ ସମାପ୍ତ କରିବାକୁ ମଧ୍ୟ ଉଭୟେ ରାଜି ହୋଇଥିଲେ ।

ସମ୍ବନ୍ଧିତ ଖବର